ଭିଜିଲାନସ୍‌ ଜାଲରେ କେ.ବରିଡ଼ା ଆର୍‌ଆଇ

ବେଗୁନିଆପଡ଼ା/ବ୍ରହ୍ମପୁର : ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ରାଜସ୍ବ ବିଭାଗର ଜଣେ ଆର୍‌ଆଇ(ରାଜସ୍ବ ନିରୀକ୍ଷକ)। ଏକ ଜବତ ବାଲି ଗାଡ଼ି ଛାଡ଼ିଦେବା ପାଇଁ ୨୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ.ବରିଡ଼ା ଆର୍‌ଆଇ ଦେବାଶିଷ ମାଝୀଙ୍କୁ ବ୍ରହ୍ମପୁର ଭିଜିଲାନସ୍‌ ଗିରଫ କରିଛି।

କୋଦଳା ଥାନା କେ.ବରିଡ଼ା ଗ୍ରାମର ଅଜୟ କୁମାର କହଁରଙ୍କ ଏକ ବାଲି ବୋଝେଇ ଟିପ୍ପର୍‌କୁ ଆର୍‌ଆଇ ଶ୍ରୀ ମାଝୀ ଗତ ୪ତାରିଖରେ ଜବତ କରିଥିଲେ। ଜରିମାନା ବାବଦରେ ଟିପ୍ପର୍‌ ମାଲିକ ଶ୍ରୀ କହଁର ୩୦ହଜାର ଟଙ୍କା ଜମା କରିଥିଲେ। ତଥାପି ଆର୍‌ଆଇ ଟିପ୍ପର୍‌ ଛାଡ଼ି ନଥିଲେ। ଅଧିକ ୨୫ହଜାର ଟଙ୍କା ଦେବା ପରେ ଗାଡ଼ି ଛଡ଼ାଯିବ ବୋଲି ଆର୍‌ଆଇ କହିଥିଲେ। ଏ ନେଇ ଶ୍ରୀ କହଁର ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଆଜି ଶ୍ରୀ କହଁର ଆର୍‌ଆଇ ଅଫିସ୍‌ରେ ୨୫ହଜାର ଟଙ୍କା ଦେବା ପରେ ଭିଜିଲାନ୍ସ ଟିମ୍‌ ଆର୍‌ଆଇଙ୍କୁ କାବୁ କରିଥିଲା। ଭିଜିଲାନ୍ସ ଟିମ୍‌ ଘଟଣାସ୍ଥଳରୁ ଲାଞ୍ଚ ବାବଦ ଟଙ୍କା ଜବତ କରିବା ସହିତ ଆର୍‌ଆଇ ଶ୍ରୀ ମାଝୀଙ୍କୁ ଗିରଫ କରିଛି। ଭିଜିଲାନ୍ସ ଟିମ୍‌ ଆର୍‌ଆଇଙ୍କ କାର୍ଯ୍ୟାଳୟ, ବେଗୁନିଆପଡ଼ା ଶାନ୍ତିନଗର ସ୍ଥିତ ଭଡ଼ାଘର ଓ ଗଞ୍ଜାମ ଥାନା ଅନ୍ତର୍ଗତ ବରପଲ୍ଲୀ ସ୍ଥିତ ଘରେ ମଧ୍ୟ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧିତ ଖବର