କେ. ରମେଶ ହାଜତ ମୃତ୍ୟୁ ଘଟଣା : ଦେହସାରା କ୍ଷତ, ମୁଣ୍ଡରେ ରକ୍ତଜମାଟ

ବ୍ୟବଚ୍ଛେଦ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ

ପୁରୀ : ପୁରୀ ବାସେଳିସାହି ଥାନା ହାଜତ ମୃତ୍ୟୁ ଘଟଣାରେ ମୃତ କେ. ରମେଶଙ୍କୁ କୌଣସି ଶକ୍ତ ଜିନିଷରେ ନୃଶଂସ ଭାବେ ପିଟାଯାଇଛି। ଶରୀରରେ ୨୦ରୁ ଅଧିକ ସ୍ଥାନରେ ଗଭୀର ଆଘାତ ଲାଗିଛି। ମୁଣ୍ଡଠାରୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ସବୁଠି କ୍ଷତ ଚିହ୍ନ ରହିଛି। ମାଡ଼ ଯୋଗୁଁ ମୁଣ୍ଡରେ ବି ରକ୍ତ ଜମାଟ ବାନ୍ଧିଛି। କେ. ରମେଶଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ। ଶବ ବ୍ୟବଚ୍ଛେଦ ପରେ ଏଭଳି ରିପୋର୍ଟ ଦେଇଛନ୍ତି ତିନିରୁ ଅଧିକ ଡାକ୍ତର।

ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି, କେ. ରମେଶଙ୍କ ମୃତ୍ୟୁ ଅସ୍ବାଭାବିକ। ତାଙ୍କ ଆଣ୍ଠୁର ମଧ୍ୟ ଭାଗରେ ଚାରି ଇଞ୍ଚ ଲମ୍ବ ଓ ଏକ ଇଞ୍ଚ ଓସାରର ତିନିଟି ଗଭୀର କ୍ଷତ ରହିଛି। ଅଣ୍ଟାରେ ତିନି ଇଞ୍ଚ ଲମ୍ବ ଓ ଏକ ଇଞ୍ଚ ଓସାରର ତିନିଟି କ୍ଷତ ରହିଛି। ଏହାସହ ବାମ ହାତରେ ଚାରି ଇଞ୍ଚ ଲମ୍ବ ଓ ଏକ ଇଞ୍ଚ ଓସାରର କ୍ଷତ ଚିହ୍ନ ରହିଛି। ଡାହାଣ ହାତରେ କ୍ଷତ ଚିହ୍ନ ରହିଛି। ବାମ ଆଣ୍ଠୁ, ଆଖିପତା, ବାମ ହାତ ଓ ବାହୁରେ ବି କ୍ଷତ ଚିହ୍ନ ରହିଛି। ବାମ ଗୋଡ଼ ଗୋଇଠି ଆଘାତପ୍ରାପ୍ତ ହୋଇଛି। ହାତର ପାପୁଲି ଫୁଲିଛି। ମୁଣ୍ଡ ଉପରେ କୌଣସି ଶକ୍ତ ଜିନିଷରେ ପ୍ରହାର କରାଯାଇଛି। ଯେଉଁଥିପାଇଁ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ମାଡ଼ରେ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଛି। ଯାହା ମାରାତ୍ମକ ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରେ ଡାକ୍ତରମାନେ ଉଲ୍ଲେଖ କରିଛନ୍ତି।

ସେହିଭଳି କାନ ମୁଣ୍ଡା, ପେଟ, ଯକୃତ, କିଡ୍‌ନି ଆଦି ବି ଆଘାତପ୍ରାପ୍ତ ହୋଇଛି। ଶରୀରର ବିଭିନ୍ନ ସ୍ଥାନରେ ରକ୍ତ ଜମାଟ ବାନ୍ଧିଛି। ଡାକ୍ତରମାନେ ସ୍ପଷ୍ଟ ଲେଖିଛନ୍ତି, କୌଣସି ଶକ୍ତ ଜିନିଷ କିମ୍ବା ଦନ୍ଥରା ଜିନିଷରେ କେ. ରମେଶଙ୍କୁ ଏକାଧିକ ଥର ଆଘାତ ଦିଆଯାଇଛି। ରାଜ୍ୟ ପରୀକ୍ଷାଗାରକୁ ନମୁନା ପଠାଯାଇଥିବା ବେଳେ ଏହାର ରିପୋର୍ଟ ଆସିନଥିବାରୁ ଡାକ୍ତରମାନେ ମୃତ୍ୟୁର କାରଣକୁ ଝୁଲାଇ ରଖିଛନ୍ତି। କେ. ରମେଶଙ୍କ ମୃତ୍ୟୁର ୧୨ରୁ ୧୮ ଘଣ୍ଟା ଭିତରେ ଶବ ବ୍ୟବଚ୍ଛେଦ ହୋଇଥିବା ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ, ଏହାକୁ ନେଇ ବିଭିନ୍ନ ମହଲରେ ବି‌ରୋଧର ସ୍ବର ଉଠିଛି। ଜିଲ୍ଲା କଂଗ୍ରେସ ଏହାର ଦୃଢ଼ ନିନ୍ଦା କରିବା ସହ ଏହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ନଭେମ୍ବର ୧୯ ତାରିଖରେ କେ. ରମେଶଙ୍କ ମୃତ୍ୟୁ ଘଟଣା ଲୋକଲୋଚନକୁ ଆସିଥିଲା। ହାଜତ ଭିତରେ ପୁଲିସ ରମେଶଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରି ଏହା ବିରୋଧରେ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ଘଟଣାରେ ରାଜ୍ୟ ସରକାର ପୁରୀର ତତ୍କାଳୀନ ଏସ୍‌ପିଙ୍କୁ ବଦଳି କରିଥିବା ବେଳେ ଦୁଇ ପୁଲିସଙ୍କୁ ନିଲମ୍ବିତ କରିଛନ୍ତି।

ସମ୍ବନ୍ଧିତ ଖବର