ଟିକେଟ ପାଇଁ ଟଙ୍କା କାରବାର! : ଭାଇରାଲ ଅଡିଓର ସ୍ପଷ୍ଟୀକରଣ ଦେଲେ କେଭି

ସଇନ୍ତଲା/ବଲାଙ୍ଗୀର : କିଛିଦିନ ଧରି ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ସହ କଥୋପକଥନର ଏକ ଅଡିଓ ରେକର୍ଡିଂ ଭାଇରାଲ ହୋଇଛି। ଅଡିଓରେ ଟିକଟ ପାଇଁ ଟଙ୍କା କାରବାର ସମ୍ପର୍କରେ ଅଭିଯୋଗ ରହିଛି। ତେବେ, ଶ୍ରୀ ସିଂହଦେଓ ଏହି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି।

୨୦୧୪ ନିର୍ବାଚନରେ ବିଜେପି ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ପାଇଁ ମହେନ୍ଦ୍ର ଠାକୁରଙ୍କୁ ପ୍ରାର୍ଥୀ କରିଥିଲା। ପରାଜିତ ହେବା ପରେ ବି ଶ୍ରୀ ଠାକୁର ନିର୍ବାଚନମଣ୍ଡଳୀରେ ଦଳ ପାଇଁ କାର୍ଯ୍ୟ କରି ଆସୁଥିଲେ। ଚଳିତ ନିର୍ବାଚନରେ ସେ ଟିକଟ ପାଇଁ ପ୍ରମୁଖ ଦାବିଦାର ଥିଲେ। ତେବେ ଗତବର୍ଷ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଅଶୋକ ଦୋରାଙ୍କୁ ଟିକେଟ ପ୍ରଦାନ କରାଯାଇଛି। ଏହାକୁ ନେଇ ସ୍ଥାନୀୟ ବିଜେପିରେ ଅସନ୍ତୋଷ ସୃଷ୍ଟି ହେବା ସହ ଫାଟ ଦେଖା ଦେଇଛି। ମହେନ୍ଦ୍ରଙ୍କ ସମର୍ଥକମାନେ ଦଳୀୟ ପ୍ରାର୍ଥୀ ଅଶୋକଙ୍କ ସଭାରେ ଅନୁପସ୍ଥିତ ରହୁଥିବା ପରିଲକ୍ଷିତ ହେଉଛି। ଅଶୋକଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଥିବା ବିରୋଧରେ ଜଣେ ଦଳୀୟ କର୍ମୀ କନକ ବର୍ଦ୍ଧନ ସିଂହ ଦେଓଙ୍କୁ ଫୋନ କରି ଟିକଟ ପାଇଁ ଟଙ୍କା କାରବାର କରାଯାଇଥିବା ଅଭିଯୋଗ କରିଥିଲେ। ଏହାର ରେକର୍ଡିଂକୁ ଭାଇରାଲ କରାଯାଇଛି।

ଆଜି ସଇନ୍ତଲା ବ୍ଲକ କୁମ୍ଭାରୀ ନିକଟବର୍ତ୍ତୀ କାନ୍ଦୁଲସର ଗ୍ରାମରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଧାୟକ ଶ୍ରୀ ସିଂହଦେଓ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଯେଉଁ ଯୁବକ ଫୋନ୍ କରି ଏଭଳି ଆକ୍ଷେପ କରିଥିଲେ ଓ ପରେ କଥୋପକଥନକୁ ଭାଇରାଲ କରିଛନ୍ତି ସେ ଆମ ସୃଷ୍ଟି। କିନ୍ତୁ ଆମେ ତାଙ୍କୁ ସଂସ୍କାର ଶିଖାଇ ପାରିଲେ ନାହିଁ ବୋଲି କହିଛନ୍ତି।

ସଭାରେ ଦଳୀୟ ପ୍ରାର୍ଥୀ ଶ୍ରୀ ଦୋରାଙ୍କ ସହ ଜିଲ୍ଲା ସାଧାରଣ ସଂପାଦକ ମ‌ୁକେଶ ଜୈନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁ, ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ଚୌହାନ ଓ ସରୋଜିନୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।

ସମ୍ବନ୍ଧିତ ଖବର