ଭୁବନେଶ୍ବର: ଭାରତୀୟ ରେଳବାଇର ଉଚ୍ଚ ଘନତା ବିଶିଷ୍ଟ ଦିଲ୍ଲୀ-ମୁମ୍ବାଇ ମାର୍ଗର ମଥୁରା-କୋଟା ସେକ୍ସନ ମଧ୍ୟରେ କବଚ ୪.୦ ସ୍ଥାପିତ ହୋଇଛି। ଦେଶରେ ରେଳ ସୁରକ୍ଷା ବ୍ୟବସ୍ଥାର ଆଧୁନିକୀକରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ଦୃଷ୍ଟିକୋଣରୁ ଅନୁପ୍ରାଣିତ ହୋଇ ସ୍ୱଦେଶୀ ଭାବରେ କବଚ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ ଡିଜାଇନ୍, ବିକଶିତ ଓ ନିର୍ମାଣ ହୋଇଛି। କବଚ୍‌ ୪.୦ ଏକ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପ୍ରଣାଳୀ, ଯାହାକି ୨୦୨୪ ଜୁଲାଇରେ ଗବେଷଣା ଡିଜାଇନ୍ ଓ ମାନକ ସଙ୍ଗଠନ ଦ୍ୱାରା ଅନୁମୋଦିତ ହୋଇଥିଲା। ଏପରି ଟ୍ରେନ ସୁରକ୍ଷା ପ୍ରଣାଳୀ ବିକଶିତ ଏବଂ ସ୍ଥାପନ କରିବାକୁ ବିକଶିତ ଦେଶଗୁଡ଼ିକୁ ୨୦ରୁ ୩୦ ବର୍ଷ ସମୟ ଲାଗିଥାଏ। ମାତ୍ର କୋଟା-ମଥୁରା ରେଳ ସେକ୍ସନରେ କବଚ ୪.୦ ବହୁତ କମ୍‌ ସମୟ ମଧ୍ୟରେ ସ୍ଥାପନ କରାଯାଇପାରିଛି।

Advertisment

୫,୮୫୬ କିମିରେ ଅପ୍ଟିକାଲ୍ ଫାଇବର୍‌ ବିଛାଯାଇଛି

ସ୍ୱାଧୀନତାର ୬୦ ବର୍ଷ ପରେ ମଧ୍ୟ ଦେଶରେ ଅନ୍ତର୍ଜାତୀୟ ମାନର ଟ୍ରେନ୍ ସୁରକ୍ଷା ବ୍ୟବସ୍ଥା ସ୍ଥାପନ ହୋଇ ନ ଥିଲା। ମାତ୍ର ଏବେ ଟ୍ରେନ୍‌ ଓ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କବଚ ସିଷ୍ଟମ ପ୍ରଚଳନ ହୋଇଛି। ଆଗାମୀ ୪ବର୍ଷ ମଧ୍ୟରେ ଦେଶର ବିଭିନ୍ନ ରେଳ ରୁଟ୍‌ରେ କବଚ ୪.୦ ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି। ଏବେ ସୁଦ୍ଧା କବଚ ବ୍ୟବସ୍ଥାରେ ୩୦ ହଜାରରୁ ଅଧିକ ଅଧିକ ଲୋକଙ୍କୁ ତାଲିମ ଦିଆଯାଇଛି। ଇଣ୍ଡିଆନ ରେଲୱେ ଇନଷ୍ଟିଚ୍ୟୁଟ୍ ଅଫ୍ ସିଗନାଲ ଇଞ୍ଜିନିୟରିଂ ଆଣ୍ଡ ଟେଲିକମ୍ୟୁନିକେସନ୍ ୧୭ଟି ଏଆଇସିଟିଇ ସ୍ୱୀକୃତିପ୍ରାପ୍ତ ଇଞ୍ଜିନିୟରିଂ କଲେଜ, ପ୍ରତିଷ୍ଠାନ ଓ ବିଶ୍ୱବିଦ୍ୟାଳୟ ସହିତ ଚୁକ୍ତି କରିଛି, ଯାହାଦ୍ୱାରା ବି.ଟେକ୍ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇପାରିବ। ଏହି ପ୍ରଣାଳୀ ଲୋକୋ ପାଇଲଟ୍‌ଙ୍କୁ ପ୍ରଭାବଶାଳୀ ଭାବେ ବ୍ରେକ୍‌ ଲଗାଇବାରେ ଏବଂ କୁହୁଡ଼ି ଭଳି କମ୍ ଦୃଶ୍ୟମାନ ପରିସ୍ଥିତିରେ ସିଗ୍‌ନାଲ ଦେଖିବାର ଆବଶ୍ୟକତାକୁ ଦୂର କରିବାରେ ସାହାଯ୍ୟ କରିବ। ଏବେ ସୁଦ୍ଧା ୫,୮୫୬ କିମିରେ ଅପ୍ଟିକାଲ୍ ଫାଇବର ବିଛାଯାଇଛି। ୬୧୯ଟି ଟେଲିକମ୍ ଟାୱାର, ୭୦୮ଟି ଷ୍ଟେସନ, ୧,୧୦୭ଟି ଲୋକୋରେ କବଚ ସ୍ଥାପନ ଓ ୪,୦୦୧ ରୁଟ୍‌ କିମିରେ ଟ୍ରାକସାଇଡ୍ ଉପକରଣ ସ୍ଥାପିତ ହୋଇଛି। ଭାରତୀୟ ରେଳବାଇ ପ୍ରତିବର୍ଷ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରୁଛି। କବଚଗୁଡ଼ିକର ଦ୍ରୁତ ଅଗ୍ରଗତି ଏବଂ ନିୟୋଜିତ ହେବାର ସ୍ତର ରେଳବାଇର ସୁରକ୍ଷା ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।