ଚୋରି ଜିନିଷ କିଣି କବାଡ଼ିବାଲା ଅଟକ

ଦଶରଥପୁର : ମଙ୍ଗଳପୁର ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ବିଭୂତିପୁର ଗ୍ରାମର ଜଣେ କବାଡ଼ିବାଲାକୁ ମଙ୍ଗଳପୁର ପୁଲିସ ଅଟକ ରଖିଛି। ଏହି କବାଡ଼ିବାଲା ପାଖରୁ ବହୁ ଚୋରା ସାମଗ୍ରୀ ଜବତ କରାଯାଇଛି। କବାଡ଼ି ଗୋଦାମର ମାଲିକ ସେକ ଅସ୍କର ଓ ତାଙ୍କ ପୁଅ ସେକ ଆଜମଲକୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ବିଭିନ୍ନ ପଞ୍ଚାୟତରେ ଚାଲିଥିବା ପାନୀୟ ଜଳ ମେଗା ପ୍ରକଳ୍ପରୁ ତାର, ଲୁହାଛଡ଼, ପାଇପ୍‌ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଚୋରି ହୋଇଥିଲା। ଚୋରମାନେ ଚୋରି ଜିନିଷକୁ ସେକ୍‌ ଅସ୍କରଙ୍କ କବାଡ଼ି ଗୋଦାମରେ ବିକ୍ରି କରିଥିଲେ। ଅଭିଯୋଗ ପରେ ମଙ୍ଗଳପୁର ଥାନା ଆଇଆଇସି ରୀନାରାଣୀ ସାହୁଙ୍କ ନିର୍ଦେଶରେ କବାଡ଼ି ଗୋଦାମରେ ଚଢ଼ଉ କରାଯାଇଥିଲା। ସେଠାରୁ ବହୁ ପରିମାଣର ଚୋରା ସାମଗ୍ରୀ ଜବତ ହୋଇଥିଲା। ଫଳରେ ସେକ ଅସ୍କର ଓ ତାଙ୍କ ପୁଅ ସେକ ଆଜମଲକୁ ଥାନାରେ ଅଟକ ରଖାଯାଇଛି ବୋଲି ଥାନାଧିକାରୀ ଶ୍ରୀମତୀ ସାହୁ କହିଛନ୍ତି। ପ୍ରକାଶ ଯେ, ପୂର୍ବରୁ ଅଭିଯୁକ୍ତ କବାଡ଼ି ଗୋଦାମ ମାଲିକ ରେଳବାଇ ଲୁହା କିଣିବା ଅଭିଯୋଗରେ ଜେଲ ଯାଇଥିଲା। ଆଜିର ଚଢ଼ଉରେ ଏସ୍‌ଆଇ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନ, ବିପିନ ସାହୁ, ଏଏସଆଇ ସଲିଳ କୁମାର ମଲ୍ଲିକ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର