କବି ସୀତାକାନ୍ତ ମହାପାତ୍ରଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର

ଛତ୍ରପୁର : ଆସନ୍ତା ଜାନୁଆରି ୨ ତାରିଖରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ ପାଳନ ହେବ। ଭଞ୍ଜବିହାର ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ରେ ଏହି ଉତ୍ସବରେ ପଦ୍ମଶ୍ରୀ ଗୀତା ମହାଲିକ ମୁଖ୍ୟଅତିଥି ଭାବେ ଯୋଗ ଦେବେ। ଉତ୍ସବରେ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ କବି ସୀତାକାନ୍ତ ମହାପାତ୍ରଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର ପ୍ରଦାନ କରାଯିବ। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପଦ୍ମଶ୍ରୀ ଶିଶିର ମିଶ୍ର ଏବଂ ପ୍ରଖ୍ୟାତ ଓଡ଼ିଆ କବି କମ୍ବୁପାଣି ସାମନ୍ତଙ୍କୁ ଅଙ୍ଗବସ୍ତ୍ରରେ ସମ୍ମାନିତ କରାଯିବା କାର୍ଯ୍ୟକ୍ରମ ରହିଛି।

ସମାରୋହରେ ଦାସକାଠିଆ ଓ ଶିଙ୍ଗ କାର୍ଯ୍ୟ ନିମନ୍ତେ ଉପେନ୍ଦ୍ର ପାଣିଗ୍ରାହୀ ଏବଂ କୃଷ୍ଣଚନ୍ଦ୍ର ମିଶ୍ରଙ୍କୁ ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନରେ ସମ୍ମାନିତ କରାଯିବ। ସୋଆ ବିଶ୍ବବିଦ୍ୟାଳୟ କୁଳପତି ଡା.ଅଶୋକ କୁମାର ମହାପାତ୍ର ଏବଂ ଆହ୍ଲାବାଦ ହରିଶ ଚନ୍ଦ୍ର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ପ୍ରଫେସର ଅରୁଣ କୁମାର ପତିଙ୍କୁ ଡିଷ୍ଟିଂଗୁଇସ୍‌ଡ‌ ଆଲୁମ୍‌ନି ପୁରସ୍କାରରେ ପୁରସ୍କୃତ କରାଯିବ। ସମୟାନୁବର୍ତ୍ତିତା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଟିଚିଂ ଏବଂ ନନ୍ ଟିଚିଂ କର୍ମଚାରୀଙ୍କୁ ସମ୍ମାନିତ କରାଯିବା ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ଥିର କରାଯାଇଛି। ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀଙ୍କ ନିକଟକୁ ଡାକ ଯୋଗେ ପୁରସ୍କାର ପ୍ରେରଣ କରିବା ଲାଗି ବିଶ୍ବ ବିଦ୍ୟାଳୟ ପକ୍ଷରୁ ସ୍ଥିର କରାଯାଇଛି। ସେହିପରି କ୍ରୀଡ଼ା କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସ୍ପୋର୍ଟସ୍ ଆଓ୍ବାର୍ଡ଼ ଏବଂ ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର