ପୁଣି ୧୨ ବର୍ଷକୁ ଅପେକ୍ଷା, କବିସୂର୍ଯ୍ୟନଗର ଯାତ୍ରା ଉଦ୍‌ଯାପିତ

କବିସୂର୍ଯ୍ୟନଗର : ଦୀର୍ଘ ୨୫ଦିନିଆ ବାପ ଘର ଯାତ୍ରା ଶେଷ କରି ଫେରିଛନ୍ତି କବିସୂର୍ଯ୍ୟନଗରର ଅଧିଷ୍ଠାତ୍ରୀ ମା’ ମହାମାୟୀ ଠାକୁରାଣୀ। ଭକ୍ତଙ୍କ ଗହଣରେ ଭାବବିହ୍ବଳ ପରିବେଶ ମଧୢରେ ବିଦାୟ ନେଇଛନ୍ତି ମା’। ପୁଣି ଥରେ ୧୨ ବର୍ଷକୁ ଅପେକ୍ଷା । ବିଦାୟୀ ବେଳାରେ କାହା ଆଖିରେ ଲୁହ ତ ଆଉ କାହାର ମନରେ ଅଭିମାନର ଛାପ। ମା’….ମା’…କୋହଭରା କଣ୍ଠ ଡାକରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ। ଦେଶୀବେହେରା ସାହି ଅଞ୍ଚଳ ପାଲଟିଥିଲା ଲୋକାରଣ୍ୟ। ଲୁହଭରା ଆଖିରେ ସମସ୍ତେ କରୁଣାମୟୀଙ୍କୁ ବିଦାୟ ଦେଇଛନ୍ତି। ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଭାବବିହ୍ବଳ ପରିବେଶରେ ମା’ଙ୍କୁ ବିଦାୟ ଦେଇଛନ୍ତି।  ରାତି ପ୍ରାୟ ୮ଟାରେ ମାଆ ଦେଶୀବେହେରା ସାହିର ଅସ୍ଥାୟୀ ମଣ୍ତପ ଛାଡ଼ିଥିଲେ। ଠିକ୍‌ ଝିଅ ବିଦା ହେବା ଭଳି ଭାର ସମେତ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଥିଲା।

ଏକ ବିଶାଳ ପଟୁଆରରେ ମାଆଙ୍କୁ ମେଲାଣି ଦିଆଯାଇଥିଲା। ସହସ୍ରାଧିକ ମହିଳା ଘଟ ପରିକ୍ରମାରେ ସାମିଲ ହୋଇଥିଲେ। ଏହାପରେ ମା’ ପାଟସିଲା ବାଡ଼, କୁମୁଟି ବାଡ଼ ଓ ଖରୁଡ଼ା ବାଡ଼ ପରିକ୍ରମା କରିଥି‌ଲେ। ବାଜାବାଜେଣି ଓ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ଭୋର୍ ୩ଟା ୫୭ ମିନିଟ୍‌‌ରେ ମା’ ନିଜସ୍ବ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା ଯାତ୍ରା  ଉଦ୍‌ଯାପିତ ହୋଇଥିଲା। ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଥିଲା। କିଏ ପାହାଡ଼ା ମାନସିକ କରିଥିଲା ତ ଆଉ କିଏ ମା’ଙ୍କୁ ବସ୍ତ୍ରଦାନ, ଚକ୍ଷୁଦାନ ଓ ଦୀପଦାନ କରି ପୂଜାର୍ଚ୍ଚନା କରିଥିଲେ। ସାହି ଗଳିକନ୍ଦିରେ କଳାକୁଞ୍ଜ, ରଥ ସାଙ୍ଗକୁ ବହୁ ଦେବଦେବୀଙ୍କ ବେଶ ଯାତ୍ରାର ପ୍ରମୁଖ ଆକର୍ଷଣ ପାଲଟିଥିଲା। ସକାଳୁ ସକାଳୁ ଅସ୍ଥାୟୀ ମନ୍ଦିରରେ ଏଥିପାଇଁ ଆରମ୍ଭ ହୋଇଯାଉଥିଲା ଭିଡ଼। ଏହାସହ ମୀନାବଜାରରେ ବି ଭିଡ଼ ପରିଲକ୍ଷିତ ହେଉଥିଲା। ଏବେ ମା’ଙ୍କ ଆସିବା ପାଇଁ ପାଇଁ ପୁଣି ୧୨ ବର୍ଷର ଅପେକ୍ଷା।

ସମ୍ବନ୍ଧିତ ଖବର