କଚେରୀ କହେ କେନ୍ଦୁଝର କଥା, ନିର୍ମାଣରେ ଖର୍ଚ୍ଚ ହୋଇଥିଲା ତିନି ଲକ୍ଷ ୪ ହଜାର ଟଙ୍କା

କେନ୍ଦୁଝର : କଚେରି କହେ କେନ୍ଦୁଝର ଅତୀତ କଥା। ୩ ଲକ୍ଷ ୪ ହଜାର ଟଙ୍କାରେ ନିର୍ମାଣ ହୋଇଥିଲା ଏହି କଚେରି। ଯେଉଁଠି ଏବେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ କାର୍ଯ୍ୟାଳୟ ରହିଛି। ଏହି ଐତିହ୍ୟପୂର୍ଣ୍ଣ କୋଠାର ନକଲ କରିବାକୁ କିଛି ବର୍ଷ ପୂର୍ବେ ଜିଲ୍ଲା ପ୍ରଶାସନ ଚେଷ୍ଟା କରି ବିଫଳ ହୋଇଥିଲା। କଚେରି ପଛପଟେ ଯେଉଁ କୋଠା ନର୍ମାଣ କରାଗଲା, ତାହା ଏହା ସହିତ ସମତୁଲ ହୋଇପାରିଲା ନାହିଁ।

୧୯୧୯ ମସିହାର କଥା। କେନ୍ଦୁଝର ରାଜ୍ୟରେ ଇଂରେଜ ସମର୍ଥିତ ରାଜାଥିଲେ ଗୋପୀନାଥ ନାରାୟଣ ଭଞ୍ଜ । ୧୯୧୯ ମସିହା ଜାନୁଆରି ୮ ତାରିଖରେ ଜେଏଚ ପ୍ରାଇସ ସାହେବ କେନ୍ଦୁଝରର ସୁପରିଣ୍ଟେଣ୍ଡେଣ୍ଟ ଭାବେ ଦାୟିତ୍ବ ନେଇଥିଲେ । ସେ ଥିଲେ ପ୍ରଚଣ୍ଡ ରାଗୀ, ବୁଦ୍ଧିମାନ ଏବଂ ଦୟାଳୁ ମଧ୍ୟ। ତେଣୁ ଲୋକମାନେ ସେତେବେଳେ ତାଙ୍କୁ ପାଗଳା ସାହେବ ବୋଲି କହୁଥିଲେ । ସେ କେନ୍ଦୁଝରର ସୁପରିଣ୍ଟେଣ୍ଡେଣ୍ଟ ଭାବେ ୧୯୨୮ ମସିହା ପର୍ଯ୍ୟନ୍ତ ଦାୟିତ୍ବ ନେଇଥିଲେ । ଏହି ସମୟରେ ସେ କେନ୍ଦୁଝର ରାଜ୍ୟର ବହୁ ବିକାଶମୂଳକ କାର୍ଯ୍ୟ କରିଥିଲେ । ଯାହାକି ଆଜି ବି ଏହି କେନ୍ଦୁଝର ରାଜ୍ୟର ଗୌରବ ଗାଥା ଗାଉଛି। ସେଥିମଧ୍ୟରୁ କେନ୍ଦୁଝର କଚେରି ଅନ୍ୟତମ।

କେନ୍ଦୁଝର କଚେରି ନିର୍ମାଣ ପାଇଁ ଯୋଜନା ହେବା ପରେ ଏହାର ନିର୍ମାଣ ପାଇଁ ଗୁଜୁରାଟ ଏବଂ କଲିକତାରୁ ରାଜମିସ୍ତ୍ରି ଆସିଥିଲେ। ଯେଉଁ କୋଠା ତିଆରି ହେଲା ସେଥିପାଇଁ ୩ ଲକ୍ଷ ୪ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ସେତେବେଳେ ତ ଫୁଟ କିମ୍ବା ମିଟରରେ ମାପ ହେଉ ନଥିଲା । ଯାହା ହେଉଥିଲା ହାତ କିମ୍ବା ଆଙ୍ଗୁଳିରେ। ଏହାର ଓସାର ଏବଂ ଲମ୍ବ ବିଶାଶହାତ ଅର୍ଥାତ ୧୨୦ ହାତ ଏବଂ ୪୦ ହାତ ଉଚ୍ଚତା। ତେବେ ଯେଉଁ କୋଠା ତିଆରି ହୋଇଥିଲା ସାରା ଓଡ଼ିଶାରେ ସେ ସମୟରେ ଏପରି କୋଠା କୌଣସି ରାଜ୍ୟରେ ହୋଇ ନଥିଲା। ଏହି ବିଶାଳ କୋଠ ମଧ୍ୟରେ ଆଲୋକ ପାଇଁ ବିଶାଳ କାୟ କାଚ ଏବଂ ବାୟୁ ପ୍ରଚଳନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଥିଲା । କୋଠାକୁ ଶହେ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ଅକ୍ଷୁଣ୍ଣ ରହିଛି । ଏହି କୋଠ‌ାରେ ଲାଗିଥିବା କାଚ ଆଜି ସେମିତି ରହିଛି । କୌଣସିପ୍ରକାର କ୍ଷତି ହୋଇନାହିଁ । ତେବେ ସମୟ କ୍ରମେ ଜିଲ୍ଲା ପ୍ରଶାସନ କେତେକ କୋଠରିର ପୁନରୁଦ୍ଧାର କରିଛନ୍ତି। ହେଲେ ସେ ସମୟର କାରୁକାର୍ଯ୍ୟ ଅକ୍ଷୁଣ୍ଣ ରହିଛି।

ଗବେଷକ ନିରଞ୍ଜନ ବାରିକଙ୍କ କହିବା ଅନୁଯାୟୀ ୧୯୨୬ ମସିହାରେ ରାଜା ବଳଭଦ୍ର ଭଞ୍ଜ ଏହି କୋଠାରେ ତାଙ୍କର ଦରବାର କାର୍ଯ୍ୟ ଆରମ୍ଭ କରିଥିଲେ । ଆଜି ବି ସେହି ଦରବାର ହଲ ରହିଛି । ଯେଉଁଥିରେ ଜିଲ୍ଲା ପ୍ରଶାସନର ଅଧିକାଂଶ ସଭାସମିତି ଅନୁଷ୍ଠିତ ହେଉଛି । କୋଠାଟିର ଚର୍ତୁପାର୍ଶ୍ବ ଖୋଲା ରହିଥିଲା। ଫଳରେ ବିଭିନ୍ନ ସମୟରେ ଗାଈ ଗୋରୁଙ୍କଠାରୁ ଆରମ୍ଭ କରି ରାତିରେ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ସ୍ଥଳୀ ପାଲଟୁଥିଲା । ଏହାର ସୁରକ୍ଷା ଦୃଷ୍ଟିରୁ ତତ୍କାଳୀନ ଜିଲ୍ଲାପାଳ ସୁଶୀଲ ଲୋହାନୀ ଏହାର ଚର୍ତୁପାର୍ଶ୍ବରେ ଲୁହାର ପାଚେରି ନିର୍ମାଣ କରିଥିଲେ । ଯାହାକି କୋଠାର ସୌନ୍ଦର୍ଯ୍ୟକୁ ମଧ୍ୟ କୌଣସି ପ୍ରକାର ବିପଦ ସୃଷ୍ଟି କରି ନଥିଲା। ବର୍ତ୍ତମାନ କଚେରି କୋଠାକୁ ମାଳମାଳ ଖୋଲାରେ ବିଦ୍ୟୁତ ତାର ଟଣା ହୋଇଛି । ଯାହା କୋଠାର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛି । ସେହିପରି କଚେରି ପରିସରରେ ବହୁ ସ୍ଥାନରେ ଅଳିଆ ଆବର୍ଜନା ପଡିଛି । ବହୁସ୍ଥାନରେ ବୁଦା ହୋଇଛି । ସେଗୁଡିକୁ ସଫା କରିବା ସହିତ ସେଠାରେ ବୃକ୍ଷରୋପଣ, ପୁଲ ବଗିତା, ଲନ୍ ଆଦି କରି ଏହାର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

କେନ୍ଦୁଝରର ରଥଯାତ୍ରା ବିଶ୍ବ ପ୍ରସିଦ୍ଧ। ରଥଯାତ୍ରା ବେଳେ ବିଭିନ୍ନ ଗାଁ ଗଣ୍ଡାରୁ ଆସୁଥିବା ଲୋକମାନେ ରାତିରେ ଘରକୁ ଫେରି ନପାରିଲେ ଏହି କୋଠାରେ ରାତ୍ରୀଯାପନ କରୁଥିଲେ। ଏହି କୋଠାକୁ ବର୍ତ୍ତମାନ ମଧ୍ୟ ବିଭିନ୍ନ ସ୍ଥାନରୁ ଲୋକମାନେ ଦେଖିବା ପାଇଁ ଆସୁଛନ୍ତି । ଏହି କୋଠାର ଫାଉଣ୍ଡେସନ ଷ୍ଟୋନ ନଷ୍ଟ ହେବାକୁ ବସିଥିଲେ ମଧ୍ୟ କାହାରି ନଜର ନାହିଁ । ତେଣୁ ସେହି ଫାଉଣ୍ଡେସନ ଷ୍ଟୋନକୁ ଭଲ ସ୍ଥାନରେ ଭଲରେ ଲଗାଇବାକୁ ସଂଗ୍ରାହକ ସୁଜିତ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର