ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରତି ଅବହେଳା : ଦୃଷ୍ଟି ଆଢ଼ୁଆଳରେ ଓଡ଼ଗାଁ ବ୍ଲକ୍‌ର ଜାକଡ଼ା ଗ୍ରାମ ନିକଟସ୍ଥ କଦମ୍ବା ଝରଣା

ଓଡ଼ଗାଁ : ନୟାଗଡ଼ ଜିଲ୍ଲାର ବହୁ ସ୍ଥାନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ମାତ୍ର ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଏସବୁ ରହିଯାଉଥିବା ବେଳେ କେତେକ ସ୍ଥାନ ପ୍ରତି ଅଧିକାରୀମାନଙ୍କ ଅଣଦେଖା ମନୋଭାବ ଯୋଗୁ ବିକାଶ ସମ୍ଭବ ହୋଇ ପାରୁନାହିଁ। ଏମିତି ଏକ ମନଲୋଭା ଝରଣା ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସ୍ଥାନ ଦେଖିବାକୁ ମିଳିଛି ଓଡ଼ଗାଁ ବ୍ଲକ୍‌ର ନବଗଠିତ ହରିଡ଼ାବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜାକଡ଼ା ଗ୍ରାମ ନିକଟସ୍ଥ କଦମ୍ବା ଝରଣା କ୍ଷେତ୍ରରେ। ବ୍ଲକ୍‌ କାର୍ଯ୍ୟାଳୟଠାରୁ ୨୮ କିମି ଓ ଶରଣକୁଳଠାରୁ ୧୫ କିମି ଦୂରରେ ଅବସ୍ଥିତ ଏହି ସ୍ଥାନ। ଜାକଡ଼ା ଗ୍ରାମଠାରୁ ଏକ କିମି ଜଙ୍ଗଲ ରାସ୍ତା ଦେଇ ଗଲେ ପଡ଼େ ରତ୍ନମାଳା ପାହାଡ଼। ଏହି ପାହାଡ଼ରୁ ବର୍ଷତମାମ ଶହ ଶହ ଫୁଟ ଉଚ୍ଚରୁ ଝରିଆସୁଛି ଚିରସ୍ରୋତା କଦମ୍ବା ଝରଣା। ଯାହାର କଳକଳ ଶବ୍ଦ, ଶାନ୍ତ ଶୀତଳ ସବୁଜିମାରେ ଭରପୁର ଜଙ୍ଗଲ ପରିବେଶ ବେଶ୍‌ ଆକର୍ଷଣୀୟ ଓ ମନଲୋଭା। ଏହା ଯେକୌଣସି ପର୍ଯ୍ୟଟକଙ୍କୁ ସହଜରେ ଆକର୍ଷିତ କରି ପାରିବ। ଓଡ଼ଗାଁ ବ୍ଲକ୍‌ ସମେତ ଆଖପାଖ ସ୍ଥାନୀୟ ଅଞ୍ଚଳରୁ ବହୁ ଲୋକ, ସ୍କୁଲ୍‌, କଲେଜ ଓ ଅନୁଷ୍ଠାନର କର୍ମଚାରୀମାନେ ଏହି ସ୍ଥାନକୁ ବୁଲି ଆସିବା ସହିତ ବଣଭୋଜି କରି ମଜା ଉଠାଉଛନ୍ତି। ତେବେ ଏହି ପର୍ଯ୍ୟଟନସ୍ଥଳୀ ଲୋକଲୋଚନକୁ ଆସିପାରୁ ନ ଥିବାରୁ ଏହାର ପ୍ରଚାର ପ୍ରସାର ହୋଇପାରୁନାହିଁ। ଜିଲ୍ଲା ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହିତ ଏହାର ପ୍ରଚାର ପ୍ରସାର ଓ ବିକାଶ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି। ସେହିପରି ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଚିହ୍ନଟ କରାଯାଇ ଏ ସବୁର ବିକାଶ ପାଇଁ ବିଭାଗ ତତ୍ପରତା ପ୍ରକାଶ କରୁ ବୋଲି ପରିବେଶପ୍ରେମୀ ଓ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର