ପବିତ୍ର ପାଣିଗ୍ରାହୀଙ୍କୁ କାଦମ୍ବିନୀ ଗଳ୍ପ ସମ୍ମାନ

ଧାମନଗର: ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶିଷ୍ଟ କଥାକାର ପବିତ୍ର ପାଣିଗ୍ରାହୀଙ୍କୁ କାଦମ୍ବିନୀର ୨୩ତମ ବାର୍ଷିକ ଉତ୍ସବରେ ୨୦୨୦ମସିହା ପାଇଁ ସମ୍ମାନଜନକ କାଦମ୍ବିନୀ ଗଳ୍ପ ସମ୍ମାନ ପ୍ରଦାନ କରାଯାଇଛି। ଭୁ୍ବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ, କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, କିସ୍‌ ବିଶ୍ବବିଦ୍ୟାଳୟ କୁଳାଧିପତି ସତ୍ୟ ଏସ. ତ୍ରିପାଠୀ, ସାଂସଦ ଅଚ୍ୟୁତ ସାମନ୍ତ ଓ ସଂପାଦିକା ଇତି ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପାଣିଗ୍ରାହୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।

୧୪ଟି ଗଳ୍ପ ସଂକଳନ, ୩ଟି ଉପନ୍ୟାସ ସମେତ ପ୍ରାୟ ୪୦ଟି ପୁସ୍ତକର ସ୍ରଷ୍ଟା ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଗଳ୍ପ ପୁରସ୍କାର ସମେତ ୨୦ରୁ ଊର୍ଦ୍ଧ୍ବ ରାଜ୍ୟସ୍ତରୀୟ ପୁରସ୍କାର ଓ ସମ୍ମାନ ପାଇସାରିଛନ୍ତି। ଏହି ପୁରସ୍କାର ପ୍ରାପ୍ତି ପାଇଁ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ, ଅଭିଭାବକ, ଛାତ୍ରଛାତ୍ରୀଙ୍କ ସହ ବୁଦ୍ଧିଜୀବୀମାନେ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର