ସୁଶାନ୍ତ କୁମାର ସ୍ବାଇଁ
କଟକ: ଯେଉଁ କଦମରସୁଲ ଅଞ୍ଚଳକୁ ସାଂପ୍ରଦାୟିକ ଦୃଷ୍ଟିରୁ ଭିନ୍ନ ଢଙ୍ଗରେ ଦେଖାଯାଉଛି। ଯେଉଁଠି ଦଶହରା ମେଢ଼ ଭସାଣି ସମୟରେ ଗଣ୍ଡଗୋଳ ଘଟି ସାଂପ୍ରଦାୟିକ ଉତ୍ତେଜନାର କାରଣ ହୋଇଥିବା କୁହାଯାଉଛି। ସେହି କଦମରସୁଲ୍ ଅଞ୍ଚଳର ସାଂପ୍ରଦାୟିକ ସଦ୍ଭାବନାର କାହାଣୀ ହୁଏତ ସାରା ରାଜ୍ୟ ଏମିତିକି ସାରା ଦେଶ ପାଇଁ ଉଦାହରଣ ରଖୁଛି। କଦମରସୁଲ୍ ଅଞ୍ଚଳକୁ ସଂପୂର୍ଣ୍ଣ ମୁସ୍ଲିମ ଅଞ୍ଚଳ ବୋଲି କହିବା ଭୁଲ। ଏହି ମୁସ୍ଲିମ ବହୁଳ ଅଞ୍ଚଳରେ ରହୁଛନ୍ତି ପାଖାପାଖି ୩୦ ପ୍ରତିଶତ ହିନ୍ଦୁ। ହିନ୍ଦୁଙ୍କ ମଧ୍ୟରେ ଅଛନ୍ତି ୨୦ ବ୍ରାହ୍ମଣ ପରିବାରର ଶହେରୁ ଅଧିକ ସଦସ୍ୟ। ସେହି ଅଞ୍ଚଳରେ ଦୁଇଟି ମସଜିଦ୍ ରହିଥିବା ବେଳେ ଗୋଟିଏ ଦୁର୍ଗାମନ୍ଦିର ଓ ଆଉ ଗୋଟିଏ ମା’ କୋଚିଲେଇ ମନ୍ଦିର ରହିଛି। ସାଂପ୍ରଦାୟିକ ଉତ୍ତେଜନା ଭିତରେ ଏମାନଙ୍କ ଉପରେ କିନ୍ତୁ କିଛି ଫରକ ପଡ଼େନି। ମୁସଲମାନଙ୍କ ମଧ୍ୟରେ ରହିଥିବା ସଂଖ୍ୟାଲଘୁ ହିନ୍ଦୁ ପରିବାର ସାଂପ୍ରଦାୟିକ ଉତ୍ତେଜନା ଭିତରେ ବି ସଂପୂର୍ଣ୍ଣ ସୁରକ୍ଷିତ ମନେ କରୁଛନ୍ତି। ଏଠି ଉଭୟ ହିନ୍ଦୁ ଓ ମୁସ୍ଲିମ ନିଜ ନିଜର ପର୍ବପର୍ବାଣି ପାଳନ କରନ୍ତି। ଗୋଟିଏ ସଂପ୍ରଦାୟର ଯାନିଯାତ୍ରାରେ ଅନ୍ୟ ସଂପ୍ରଦାୟ ଅଂଶଗ୍ରହଣ କରିଥାନ୍ତି। ଖାଲି ଓଷାପର୍ବ ନୁହେଁ, ସ୍ବନକ୍ଷତ୍ର, ବିବାହ, ବ୍ରତ, ଅନ୍ତିମ ସଂସ୍କାରରେ ମଧ୍ୟ ସମସ୍ତେ ଏକାଠି ହୋଇ ସହଯୋଗ ଓ ସହାୟତାର ହାତ ବଢ଼ାଇଥାନ୍ତି। ଇଦ୍ରେ ବ୍ରାହ୍ମଣ ପରିବାର ମୁସ୍ଲିମ ଭାଇଙ୍କ ଘରେ ଓ ଦୁର୍ଗାପୂଜାରେ ହିନ୍ଦୁ ପରିବାର ମୁସ୍ଲିମଙ୍କ ଘରକୁ ଭୋଗ ଦେବାର ପରମ୍ପରା ପୁରୁଷ ପୁରୁଷ ଧରି କଦମରସୁଲ ଅଞ୍ଚଳରେ ଚଳିଆସୁଛି। ୧୯୬୮ର ଦଙ୍ଗା ଅଥବା ୧୯୯୦ର ଦଙ୍ଗା କଦମ୍ରସୁଲ୍ର ଭାଇଚାରାକୁ ସାମାନ୍ୟ କ୍ଷତି ପହଞ୍ଚାଇ ପାରି ନଥିବା ବେଳେ ଏବର୍ଷର ଛୋଟ ଗଣ୍ଡଗୋଳ ଆମ ସଂପର୍କରେ କୌଣସି କ୍ଷତି ଆଣିପାରିବ ନାହିଁ ବୋଲି ଦୃଢ଼ତାର ସହ କହିଛନ୍ତି ସାହିବାସିନ୍ଦା। ଆମେ ଭାଇଭାଇ, ଆମକୁ କେହି ଅଲଗା କରିପାରିବେ ନାହିଁ ବୋଲି ଆଜି ସମସ୍ତେ ଏକ ସ୍ବରରେ କହିଛନ୍ତି।
କଦମରସୁଲ ଅଞ୍ଚଳର ବାସିନ୍ଦା ଉର୍ବଶୀ ଜେନା କହିଛନ୍ତି ଯେ ସେ କଦମରସୁଲ ଅଞ୍ଚଳର ବୋହୂ। ଏଠାରେ ଅଧିକାଂଶ ପରିବାର ମୁସ୍ଲିମ ହୋଇଥିଲେ ମଧ୍ୟ ଆମ ମଧ୍ୟରେ କିଛି ଫରକ ନାହିଁ। ଆମର କିଛି ଅସୁବିଧା ହେଲେ, ମୁସଲିମ୍ ଭାଇଭଉଣୀମାନେ ସହାୟତା ପାଇଁ ଆସନ୍ତି। ଏବେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଥିଲେ ମଧ୍ୟ ଆମେ ସୁରକ୍ଷିତ। ବହୁ ମୁସ୍ଲିମ୍ ଭାଇ ଆମକୁ ନ ଡରିବାକୁ ଆଶ୍ବାସନା ଦେଉଛନ୍ତି। ପିଲାଛୁଆ ସହ ଆମେ ବିନା ଭୟରେ ରହୁଛୁ। ବ୍ୟବସାୟୀ ତପନ ମହାନ୍ତି କହିଛନ୍ତି ଯେ ଆମ ଘର ଚାରିପଟେ ମୁସଲିମ୍ ପରିବାର ରହୁଥିଲେ ମଧ୍ୟ ଆମେ ଭିତରେ ସର୍ବଦା ସୁସଂପର୍କ ରହିଛି। ୧୯୯୦ରେ ବଡ଼ ଦଙ୍ଗା ବେଳେ ଆମେ ଭୟଭୀତ ହୋଇ ରହୁଥିବା ବେଳେ ମୁସଲିମ୍ ପରିବାର ଆମକୁ ସୁରକ୍ଷା ଦେବା ସହିତ ଖାଇବାକୁ ଦେଇଥିଲେ। ଅଞ୍ଚଳର ବାସିନ୍ଦା ମନରୋମା ମହାନ୍ତି କହିଛନ୍ତି ଯେ କେଉଁଠି ଗଣ୍ଡଗୋଳ ହେଲେ ଆମର କିଛି ଅସୁବିଧା ହୁଏନି। ଆମର ଏଠି ଉତ୍ସବ ସମୟରେ ପିଠାପଣା ଦିଆନିଆ ଚାଲେ। ଇଦ୍ ବେଳେ ମୁସଲିମ୍ ପରିବାର ଆମ ଘରକୁ ଖାଇବା ଦିଅନ୍ତି, ଆମ ପର୍ବପର୍ବାଣି ବେଳେ ଆମେ ତାଙ୍କୁ ଭୋଗ ଦେଉ।
କଦମରସୁଲ ଅଞ୍ଚଳର ମୁରବି ମୀର୍ଜା ବାବୁଲି ବେଗ୍ କହିଛନ୍ତି ଯେ ଏଠାରେ ହିନ୍ଦୁ, ସମୁଲିମ୍, ଖ୍ରୀଷ୍ଟିୟାନ ବର୍ଷ ବର୍ଷ ଧରି ପରସ୍ପର ମଧ୍ୟରେ ସୁସଂପର୍କ ରଖି ବସବାସ କରୁଛନ୍ତି। କିନ୍ତୁ କିଛି ମଦ୍ୟପ ଏଭଳି କାଣ୍ଡ କରି କଟକବାସୀଙ୍କୁ ବଦନାମ କରିବାକୁ ଉଦ୍ୟମ ଚଳାଇଛନ୍ତି। ଆଉ କିଛି ଖଳପ୍ରକୃତିର ଲୋକ ଏହାକୁ ରାଜନୈତିକ ରୂପେ ଦେଇ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। କଦମରସୁଲ୍ରେ ବିଭିନ୍ନ ସଂପ୍ରଦାୟର ଲୋକ ରହୁଥିଲେ ମଧ୍ୟ ତାଙ୍କ ମଧ୍ୟରେ ସୁସଂପର୍କ ରହିଛି, ରହିଥିବ। ପ୍ରକୃତ କଟକିଆ କେବେ ଭାଇଚାରାକୁ ନଷ୍ଟ ହେବାକୁ ଦେବେନାହିଁ। ଅଞ୍ଚଳର ଅନ୍ୟତମ ମୁରବି ୮୦ ବର୍ଷ ବୟସ୍କ ପ୍ରହଲ୍ଲାଦ ମିଶ୍ର କହିଛନ୍ତି ଯେ ଆମେ ବ୍ରାହ୍ମଣ ପରିବାର ଏଠି ୩ ପିଢ଼ି ଧରି ରହି ଆସିଛୁ। ମୋ ସହ ସାହିରେ ୨୦ଟି ବ୍ରାହ୍ମଣ ପରିବାର ରହୁଛନ୍ତି। ମୋ ଘରକୁ ଲାଗି ଛୋଟି ମସଜିଦ୍। ମସଜିଦ୍ରେ କୌଣସି ଦିନ ଆଜାନ ବିଳମ୍ବ ହେଲେ ମୁଁ ପାଟି କରେ। ବିବାହ, ବ୍ରତ ବା ପରଲୋକ ବେଳେ ସାହିବାସୀ ହିନ୍ଦୁ, ମୁସଲିମ୍ ଭୁଲି ଏକାଠି ହୋଇ ସହାୟତା ପାଇଁ ଆସନ୍ତି। ଏଠି ରହି ୧୯୬୮ ଓ ୧୯୯୦ ମସିହାର ଦଙ୍ଗା ଦେଖିଛି। କିନ୍ତୁ ବାହାର ଗଣ୍ଡଗୋଳ ଆମ ସାହିବାସୀଙ୍କୁ ପ୍ରଭାବିତ କରିନାହିଁ। ମୁରବି ହାଜି ମୀର୍ଜା ହଲିମ୍ ବେଗଙ୍କ କହିବା ଅନୁଯାୟୀ ସାହିରେ ବିଭିନ୍ନ ସଂପ୍ରଦାୟର ଲୋକ ରହୁଥିଲେ ବି କେହି କାହାକୁ କୌଣସି ସ୍ଥିତିରେ ବିରୋଧ କରନ୍ତି ନାହିଁ। ଦୁର୍ଗାପୂଜା ହେଉ ବା ଇଦ୍, ସମସ୍ତେ ମିଳିମିଶି ପାଳିବାର ପରମ୍ପରା ଏଠି ରହିଆସିଛି। ଆମ ଭାଇଚାରାକୁ କେହି ନଷ୍ଟ କରିପାରିବେ ନାହିଁ।