ଢେଙ୍କାନାଳ: ସ୍ବାଧୀନତା ସଂଗ୍ରାମର ସର୍ବକନିଷ୍ଠ ସହିଦ ଥିଲେ ବାଜି ରାଉତ। ଦେହରେ ଗୁଳି ଖାଇ ବି ଗୋରା ସିପାହିଙ୍କୁ ନଦୀ ପାର କରାଇ ନଥିଲେ ବାଜି। ୧୯୩୮ ମସିହା ଅକ୍ଟୋବର ୧୧ ତାରିଖରେ ମାତ୍ର ୧୨ବର୍ଷ ବୟସରେ ସହିଦ ହୋଇଥିଲେ କୁନି ସଂଗ୍ରାମୀ। ମାଟି ମା’ର ସୁରକ୍ଷା ପାଇଁ ହସି ହସି ଗୁଳି ଖାଇଥିଲେ। ତେବେ ସେହି ଗୁଳିବର୍ଷାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଭାବେ ବାଜି ରାଉତଙ୍କ ପିଲାଦିନର ବନ୍ଧୁ କାହ୍ନୁ ମଲ୍ଲିକ ଏବେ ବି ଜୀବିତ ଅଛନ୍ତି ଆଉ ବଖାଣିଛନ୍ତି ସେଦିନର ବୀଭତ୍ସ କାହାଣୀ।

Advertisment

ପ୍ରତ୍ୟକ୍ଷଦର୍ଶୀ କାହ୍ନୁ ମଲ୍ଲିକଙ୍କ କହିବା ଅନୁଯାୟୀ, ତାଙ୍କୁ ‌ସେତେବେଳେ ୭ ବର୍ଷ। ଏବେ ଯାହାକୁ କାମାକ୍ଷାନଗର କହୁଛନ୍ତି ସେତେବେଳେ ତାର ନାଁ ଥିଲା ମଢ଼ି ମହୁଲପାଳ। ସେପଟୁ ରାତାରାତି ଆସି ଇଂରେଜମାନେ ଭୁବନରେ ସକାଳେ ପହଞ୍ଚିଥିଲେ। ସେଠାରେ ଥିବା ଏକ ଝାଟିଆ ଜଙ୍ଗଲରେ ବସି ସଭା କଲେ। ସେଇଠି ଭୁବନର ଲକ୍ଷ୍ମଣ ନାୟକ ନାମକ ଜଣେ ବ୍ୟକ୍ତିକୁ ଗୁଳି କରି ମାରିଦେଲେ। ପରେ ଭୁବନ ଲୋକ ସେମାନଙ୍କୁ ତଡ଼ିବାରୁ ସେମାନେ ନୀଳକଣ୍ଠପୁର ଘାଟକୁ ଆସିବାକୁ ଯୋଜନା କଲେ। କିନ୍ତୁ ଏହା ଜାଣିପାରି ଭୁବନର ଜଣେ ଲୋକ ସାଇକଲରେ ଆଗୁଆ ଆସି ନୀଳକଣ୍ଠପୁରରେ ଏହି ଖବର ଦେଇଥିଲେ। ଗୋରା ଫୌଜ୍ ଘାଟ ପାରି ହୋଇ ଚାଲିଯିବାକୁ ଯୋଜନା କରୁଥିବା ସେ କହିଥିଲେ। ଲୋକେ ବି ଭୟଭୀତ ଥିଲେ। ତେବେ ଡଙ୍ଗା ଘାଟରେ ସେଦିନ ଥିଲା ବାଜିଆର ପାଳି। ନୀଳକଣ୍ଠପୁର ଲୋକ ଠେଙ୍ଗା ବାଡ଼ି ଧରି ଇଂରେଜ ଫୌଜକୁ ରୋକିବାକୁ ସଜାଗ ରହିଥିଲେ। ଡଙ୍ଗା, କାତ ଘାଟରୁ ନେଇ ଲୁଚାଇ ଦେବାକୁ ବି ବାଜିଆକୁ ଗାଁ ଲୋକେ କହିଥିଲେ। ‌ଲୋକଙ୍କ ପରାମର୍ଶ‌ରେ ବାଜିଆ ଡଙ୍ଗା ଫିଟାଇ ନେଉଥିଲେ। ସେହି ସମୟରେ ଗୋରା ସିପାହି ଘାଟରେ ପହଞ୍ଚିଗଲେ। ବାଜିଆ ଡଙ୍ଗା ନେଇ ପଳାଉ ଥିବା ସେମାନେ ଦେଖି‌ଥିଲେ। ନଦୀ କୂଳରେ ସିପାହିମାନେ ବାଜିଆ ପାଖକୁ ଯାଇ ଡଙ୍ଗାରେ ସେମାନଙ୍କୁ ନଦୀ ପାର କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବାଜିଆ ଶୁଣି ନଥିଲା। ଇଂରେଜମାନଙ୍କୁ ନଦୀ ପାର କରାଇବନି ବୋଲି ସଫା ସଫା ମନା କରି ଦେଇଥିଲା। ମେଞ୍ଚଡ଼ ଛୁଆର ଏ ବହପ ଦେଖି ବାଜି ଉପରକୁ ଗୁଳି ଚଳାଇଥିଲେ ଇଂରେଜ। ପ୍ରଥମ ଗୁଳିରେ ବାଜିର ତାଳୁ ଖପୁରି ଉଡ଼ିଗଲା। ସେ ସେଇ ଡଙ୍ଗାରେ ଟଳି ପଡ଼ିଲା।

ଗାଁ ଲୋକେ ଦୌଡ଼ା ଦୌଡ଼ି ହୋଇ ଘାଟରେ ପହଞ୍ଚି ତାକୁ ଡଙ୍ଗାରୁ ବାହାରକୁ ଟାଣି ଆଣିଲେ। ସେତେବେ‌ଳକୁ ବାଜିର ଜୀବନ ବାଜିରେ ଲାଗିଥିଲା। ଆଉ ସେପଟେ ଡଙ୍ଗାର ରଶି କାଟି ନଦୀକୁ ନେଇ ଇଂରେଜମାନେ ଡଙ୍ଗାରେ ବସି ପଳାଇଗଲେ। ନଦୀ ଭିତରେ ଡଙ୍ଗାରୁ ଥାଇ ଗାଁ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ବର୍ଷା କଲେ। ସେଇ ଗୁଳି‌ରେ ପାଣୁ ଲେଙ୍କା, ଲକ୍ଷ୍ମଣ ମଳିକ, ହୁରୁଷୀ ପ୍ରଧାନ, ନଟ ମଲିକ, ଫଗୁ ସାହୁ ଓ ଦିନା ମଳିକ ସେଇଠି ଟଳି ପଡ଼ିଲେ। ଗଙ୍ଗା ସାହୁ ଓ ଘନ ସାହୁଙ୍କର ହାତ ଛିଡ଼ି ପଡ଼ିଲା। ସେଦିନର ଛବି ବର୍ଣ୍ଣନା କରିବା ବେଳେ କାହ୍ନୁଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥିଲା। ସେ ଭାଙ୍ଗି ପଡ଼ୁଥିଲେ। ଯେଉଁ ବାଜିଆ ସହ ସେ ଏକାଠି ବସାଉଠା କରୁଥିଲେ, ଖେଳୁଥିଲେ; ଆଖି ସାମ୍ନାରେ ଗୋରାଙ୍କ ଗୁଳିରେ ତାର ମରଣ ତାଙ୍କୁ ଆଜି ବି ରୁନ୍ଧିକି ରଖିଛି ତାହା ସ୍ପଷ୍ଟ ଜଣାପଡ଼ୁଥିଲା।

ଜୀବନ ଯାଉ ପଛେ ଗୋରା ଫୌଜ୍‌ଙ୍କୁ ନଦୀ ପାର କରାଇ ଦେଇ ନଥିଲେ ବାଜି ରାଉତ। କିନ୍ତୁ ଗୋରାଙ୍କ ଗୁଳିର ଆତଙ୍କ ଆଗରେ ସେଦିନ ସମସ୍ତେ ନିସ୍ତେଜ ହୋଇ ଯାଇଥିଲେ। ୮୫ ବର୍ଷ ତଳର ଏ ଲୋମହର୍ଷଣକାରୀ ରକ୍ତପାତର କାହାଣୀ ଆଜି ବି ବାଜି ରାଉତଙ୍କ ଗାଁ ଢେଙ୍କାନାଳ ଜିଲ୍ଲାର ନୀଳକଣ୍ଠପୁରର ମାଟି, ପାଣି, ପବନରେ ଗୁଞ୍ଜରିତ ହେଉଛି। ଗରିବ ଖଣ୍ଡାୟତ ପରିବାରରେ ଜନ୍ମ ଗ୍ରହଣ କରିଥିବା ବାଜି ଓଡ଼ିଶାର ଗଡ଼ଜାତ ରାଜ୍ୟରେ ପ୍ରଜାମଣ୍ଡଳ ଆନ୍ଦୋଳନ ସମୟରେ ମାଟି ମା ପାଇଁ ବଳିଦାନ ଦେଇ କାଳ କାଳକୁ ଅମର ହୋଇଯାଇଛନ୍ତି।