କଟକ: ଆଧୁନିକ ଗଣତନ୍ତ୍ର ଓ ଗଦ୍ୟ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି। ଗଦ୍ୟକୁ ଉପସ୍ଥାପନ ଶୈଳୀରେ ଅଧିକ ଗ୍ରହଣୀୟ କରାଗଲେ ତାହା ଗଣତନ୍ତ୍ର ବ୍ୟବସ୍ଥାକୁ ଅଧିକ ସମୃଦ୍ଧ କରିପାରିବ। ଗଦ୍ୟକୁ ଯେତିକି ସରଳ କରାଯିବ ତାହା ସେତିକି ଅଧିକ ପାଠକଙ୍କ ଦ୍ବାରା ଆଦୃତ ହେବ। କାହ୍ନୁଚରଣ ଓ ଗୋପିନାଥ ମହାନ୍ତି ସେମାନଙ୍କ ଅନୁଭବକୁ ଅତି ସରଳ ଓ ସୁନ୍ଦର ଭାବେ ଉପନ୍ୟାସ ମାଧ୍ୟମରେ ଉପସ୍ଥାପନ କରିଛନ୍ତି ବୋଲି ରେଭେନ୍ସା ବିଶ୍ବବିଦ୍ୟାଳୟ ସେଭେନ୍ ପିଲାର୍ସସ୍ଥିତ ଆନେକ୍ସ-୧ରେ ଆୟୋଜିତ କାହ୍ନୁଚରଣ ଉପନ୍ୟାସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏବେ ସମସ୍ତେ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି। ମାତ୍ର ଓଡ଼ିଆ ଅସ୍ମିତା ମଧ୍ୟରେ କାହ୍ନୁଚରଣ ଓ ଗୋପିନାଥ ମହାନ୍ତିଙ୍କ ପରି ଔପନ୍ୟାସିକ ଅଛନ୍ତି, ଯେଉଁମାନେ ଫକୀରମୋହନଙ୍କ ପରେ ଓଡ଼ିଆ ଉପନ୍ୟାସକୁ ନୂଆ ଦିଗ ଓ ବେଗ ଦେଇଛନ୍ତି।
ଅଧ୍ୟାପକ ବିଶ୍ବରଞ୍ଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସାହିତ୍ୟ ସମାଲୋଚକ ଅସିତ ମହାନ୍ତି, ସମ୍ମାନିତ ଅତିଥି ଭାବେ ବିପିୟୁଟିର ପ୍ରାକ୍ତନ କୁଳପତି ଡକ୍ଟର ଓଁକାର ନାଥ ମହାନ୍ତି, ବି. କେ. ପବ୍ଳିକେସନ୍ସର ପ୍ରକାଶକ ବିଜୟ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ କାହ୍ନୁଚରଣ ମହାନ୍ତି ଓ ଗୋପିନାଥ ମହାନ୍ତିଙ୍କ ରଚନା ଓଡ଼ିଆ ଭାଷାକୁ ଋଦ୍ଧିମନ୍ତ କରିଛି ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ କାହ୍ନୁଚରଣ ମହାନ୍ତିଙ୍କ ଲିଖିତ ୨୦ଟି ଉପନ୍ୟାସ ଅତିଥିଙ୍କ ଦ୍ବାରା ଉନ୍ମୋଚନ କରାଯାଇଛି। ସଭାରେ କାହ୍ନୁଚରଣ ଓ ଗୋପିନାଥ ମହାନ୍ତିଙ୍କ ପରିବାରର ସଦସ୍ୟ କବିତା ମହାନ୍ତି, ଅମୃତନାଥ ମହାନ୍ତି ଯୋଗ ଦେଇଥିଲେ। ଏହି ଅବସରରେ କବିତା ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ରେଭେନ୍ସା ଓଡ଼ିଆ ବିଭାଗର ମୁଖ୍ୟ ଡ.ସଂଘମିତ୍ରା ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଭାଗର ଅଧ୍ୟାପକ ଜ୍ଞାନୀ ଦେବାଶିଷ ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ସଭାର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଅଧ୍ୟାପକ ତ୍ରିଲୋଚନ ଜେନା ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ। ଓଡ଼ିଆ ବିଭାଗର ଗବେଷିକା ବର୍ଷା ଦାସ ଓ ଛାତ୍ର ଲଳିତ ମୋହନ ନାୟକ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ନେତାଜୀ ଅଭିନନ୍ଦନ, ପ୍ରଫେସର ଉର୍ମିଶ୍ରୀ ବେଦମତ୍ତା, ପ୍ରଫେସର ଅଞ୍ଜୁମାନ ଆରା, ପ୍ରଫେସର ଉମାକାନ୍ତ ମିଶ୍ର, ସମାଲୋଚକ ବାବାଜୀ ଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଓଡ଼ିଆ ବିଭାଗର ଅଧ୍ୟାପକ/ଅଧ୍ୟାପିକା ଆଶିଷ ସାହୁ, ବିଜୟଲକ୍ଷ୍ମୀ ଦାଶ, ସରଳା ସ୍ବାଇଁ, ସୁଚିସ୍ମିତା ରାଉତରାୟଙ୍କ ସମେତ ଛାତ୍ରଛାତ୍ରୀ ଓ ବି. କେ. ପବ୍ଲିକେସନ୍ର କର୍ମକର୍ତ୍ତା ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/05/U8sqsNSrouqusSPfu0DQ.jpg)