କଟକ : କାଇ ପିମ୍ପୁଡିର ଚଟଣି ଓ ସୁପ୍କୁ କରୋନା ଚିକିତ୍ସା ପାଇଁ ଔଷଧ ଭାବେ ବ୍ୟବହାର ପ୍ରସଂଗ ସଂପର୍କିତ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଏପରି ପ୍ରାର୍ଥନା ଗ୍ରହଣୀୟ ନୁହେଁ କହି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣିେର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କାଇ ପିମ୍ପୁଡି ସହିତ କଞ୍ଚା ଧାନୁଆ ଲଙ୍କାକୁ ମିଶାଇ ପ୍ରସ୍ତୁତ କରାଯାଉଥିବା ଚଟଣି ଓ ସୁପ୍କୁ କୋଭିଡ-୧୯ ଦ୍ବାରା ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ବ୍ୟବହାର ସଂପର୍କିତ ପ୍ରସ୍ତାବକୁ ସେଣ୍ଟ୍ରାଲ କାଉନସିଲ ଫର୍ ରିସର୍ଚ୍ଚ ଇନ୍ ଆୟୁର୍ବେଦିକ ସାଇନ୍ସ ଓ କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସଆଇଆର୍) ଖାରଜ କରିଥିଲେ। ଏପରି ଖାରଜ ନିଷ୍ପତ୍ତିକୁ ଚାଲେଞ୍ଜ କରି ଦାୟର ମାମଲାରେ ଏହି ପ୍ରସଂଗକୁ ଅନ୍ୟ ଏକ ବିଶେଷଜ୍ଞ କମିଟି ନିକଟକୁ ବିଚାର ପାଇଁ ପାଠାଇବାକୁ ଆବେଦନକାରୀ ନିବେଦନ କରିଥିଲେ। କିନ୍ତୁ ଏପରି ପ୍ରାର୍ଥନା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ସେଣ୍ଟ୍ରାଲ କାଉନସିଲ ଫର୍ ରିସର୍ଚ୍ଚ ଇନ୍ ଆୟୁର୍ବେଦିକ ସାଇନ୍ସ ଓ ସିଏସଆଇଆର ଭଳି ବିଶେଷଜ୍ଞ ଅନୁଷ୍ଠାନ ଏହି ପ୍ରସଂଗରେ ଉଚିତ ନିଷ୍ପତ୍ତି ନେଇ ପାରିବେ।
ବାରିପଦାରେ ଆର୍ଆଣ୍ଡ୍ବି ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଇଂଜିନିୟର ନୟାଧର ପଢିଆଳ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଜଙ୍ଗଲରୁ ମିଳୁଥିବା କାଇ ପିମ୍ପୁଡ଼ି ନାଲି ଚଟଣି ଉପାଦେୟ ହୋଇ ପାରିବ। ଏହି ଚଟଣିର ଔଷଧୀୟ ଗୁଣ ରହିଥିବା ବେଳେ କରୋନା ମୁକାବିଲା ପାଇଁ ଏହା ଉପାଦେୟ ବୋଲି ଆବେଦନକାରୀ ଦର୍ଶାଇବା ସହିତ ଏ ନେଇ ଆଇସିଏମଆର ଡିଜିଙ୍କୁ ଗତ ବର୍ଷ ଏପ୍ରିଲ ୧୭ରେ ଲିଖିତ ଭାବେ ଅବଗତ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ପ୍ରସଂଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ୨୦୨୦, ଡିସେମ୍ବର ୨୪ରେ ହାଇକୋର୍ଟ ମାମଲାର ଶୁଣାଣି କରି ଆଇସିଏମଆର ଓ ସିଏସଆଇଆରକୁ ଆବେଦନକାରୀଙ୍କ ଏ ସଂପର୍କିତ ରିପ୍ରେଜେନଟେସନ୍ ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ଅୟୁଷ ମନ୍ତ୍ରଣାଳୟ ଓ ସିଏସଆଇଆର ଆବେଦନକାରୀଙ୍କ ଏଭଳି ରିପ୍ରେଜେନଟେସନକୁ ଖାରଜ କରିବା ସହିତ ମିଳିତ ଭାବେ ୨୦୨୧ ମସିହା ଜାନୁଆରି ୨୧ରେ ଅବଗତ କରିଥିଲେ। କୀଟ ପତଙ୍ଗ ବିଜ୍ଞାନରେ ଆବଶ୍ୟକ ବିଶେଷଜ୍ଞ ଜ୍ଞାନ ନଥିବାରୁ ଏହି ପ୍ରସଂଗରେ ପଦକ୍ଷେପ ନେବା ସମ୍ଭବ ନୁହେଁ ବୋଲି ସିଏସଆଇଆର ପକ୍ଷରୁ କୁହାଯାଇଥିଲା। ସେହିଭଳି ଭାବେ ସେଣ୍ଟ୍ରାଲ କାଉନସିଲ ଫର୍ ରିସର୍ଚ୍ଚ ଇନ୍ ଆୟୁର୍ବେଦିକ ସାଇନ୍ସ ପକ୍ଷରୁ ଦର୍ଶାଯାଇଥିଲା ଯେ ଆୟୁର୍ବେଦିକ ଔଷଧ ଭାବେ ଏହି ନାଲି ଚଟଣି ବ୍ୟବହାର ନେଇ ପ୍ରଚୀନ ଆୟୁର୍ବେଦ ବହିରେ କୌଣସି ତଥ୍ୟ ନାହିଁ। ମାମଲାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମଆର ଡିଜି, କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଓ ସିଏସଆଇଆର୍ ଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।