କାଇ ଇଣ୍ଟରନ୍ୟାସନାଲ ପରିବେଶ ମଞ୍ଜୁରି ଜନଶୁଣାଣି ବାତିଲ ଦାବି

ଭୁବନେଶ୍ବର : ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ କପଣ୍ଡାଠାରେ ପ୍ରସ୍ତାବିତ କାଇ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡର ପରିବେଶ ମଞ୍ଜୁରି ଜନଶୁଣାଣି ବାତିଲ ପାଇଁ ଦାବି ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବଡ଼ ପୁରୁଣାପାଣିରେ ହୋଇଥିବା ଏହି ଜନଶୁଣାଣିକୁ ଗ୍ରାମବାସୀଙ୍କୁ ଛଡ଼ାନଯାଇ ସେମାନଙ୍କ ସ୍ବରକୁ ଚାପି ଦେବାକୁ ଉଦ୍ୟମ ହୋଇଛି ବୋଲି ଅଭିଯୋଗ ହୋଇଛି। ଲୋହିଆ ଏକାଡେମିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲୋକଶକ୍ତି ଅଭିଯାନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ପ୍ରଫୁଲ୍ଲ ସାମନ୍ତରାୟଙ୍କ ସମେତ କପଣ୍ଡ ଜଙ୍ଗଲ ସୁରକ୍ଷା ସମିତିର ଦ୍ବୈତାରୀ ମାହନ୍ତ, ଜୟନ୍ତ ମାହନ୍ତ, ଭାନୁମତି ମାହନ୍ତ, ଏମ୍ରିନସିୟା ଜୋଜ ପ୍ରମୁଖ ଭାଗ ନେଇ ଏହି ଦାବି କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଆହୁରି କୁହାଯାଇଛି, ପ୍ରସ୍ତାବିତ କାଇ ଇଣ୍ଟରନ୍ୟାସନାଲର ଏହି ଜନଶୁଣାଣି ପ୍ରଭାବିତ ଗାଁଠାରୁ ୭ କିଲୋମିଟର ଦୂରରେ ଆୟୋଜିତ ହୋଇଥିଲା। ଏହା ସତ୍ତ୍ବେ କପଣ୍ଡ, ନୂଆଗାଁ, ପଟାଝରଣ ସମେତ ପ୍ରଭାବିତ ଗାଁର ୫ଶହ ଗ୍ରାମବାସୀ ଏଥିରେ ସାମିଲ ହେବା ପାଇଁ ଆସିଥିଲେ। କମ୍ପାନି ବିରୋଧୀ ଲୋକଙ୍କୁ ପୁଲିସ ଶୁଣାଣିସ୍ଥଳକୁ ପ୍ରବେଶ କରାଇନଦେଇ ଗେଟ ବନ୍ଦ କରିଦେଇଥିଲା। ଏହାକୁ ନେଇ ସ୍ଥାନୀୟ ଅଧିବାସୀ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ। ଫଳରେ ପୁଲିସ ସେମାନଙ୍କୁ ଠେଲାପେଲା କରିଥିଲା। ଏହି ସମୟରେ ୨୫ ବର୍ଷୀୟା ଏମ୍ରିନସିୟା ଜୋଜଙ୍କ ବେକକୁ ଚାପି ଘୋଷାଡ଼ି ବସ ଭିତରକୁ ଠେଲି ଦିଆଯାଇଥିଲା। ସେ ଅଚେତ ହୋଇ ପଡ଼ିଥିଲେ। ଗୁରୁଣ୍ଡିଆ ଥାନାରେ ଶତାଧିକ ଲୋକଙ୍କୁ ଅଟକ ରଖାଯାଇ ଜନଶୁଣାଣି ଶେଷ ହେବା ପରେ ଛଡ଼ାଯାଇଥିଲା। ଆହୁରି ମଧ୍ୟ ଏହି ପ୍ରକଳ୍ପ ପ୍ରଭାବ ଆକଳନ ରିପୋର୍ଟରେ ଲକ୍ଷାଧିକ ଗଛ ନଷ୍ଟ ହେବା ସତ୍ୟକୁ ଲୁଚାଯାଇଛି। କେବଳ ୪ ହଜାର ଗଛ କଟାଯାଇଥିବା ସୂଚନା ଦିଆଯାଇଛି।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବ୍ରାହ୍ମଣୀ ନଦୀ ସମେତ ବିଭିନ୍ନ ଗାଁ ଜଳାଶୟ, କୃଷିକ୍ଷେତ୍ର, ବାୟୁ ପ୍ରଦୂଷିତ ହେବ। ବଣେଇରେ ୧୦ଟି ସ୍ପଞ୍ଜ ଆଇରନ କାରଖାନା ରହିଛି। ସେଥିରୁ ୪ କିଲୋମିଟର ମଧ୍ୟରେ ୮ଟି ସ୍ପଞ୍ଜ ଆଇରନ କାରଖାନା ରହିଛି। ପୁଣି ଏହି ନୂଆ ପ୍ରକଳ୍ପ ପ୍ରଦୂଷଣକୁ ଆହୁରି ବଢ଼ାଇବ। କିଡନି ରୋଗରେ ଅନେକ ଆକ୍ରାନ୍ତ ଏବଂ ମୃତ୍ୟୁ ହେଉଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର