୧୮ ବର୍ଷ ‌ହେଲା ଗୁମ୍ଫାରେ କୈଳାସ ଯୋଗୀ

ପରିବେଶ ସୁରକ୍ଷା ପ୍ରତି ସମର୍ପିତ, ପୋତିଲେଣି ୨୦୦୦ରୁ ଅଧିକ ଗଛ

ପ୍ରତାପୁର : ସାଂସାରିକ ମୋହ ମାୟା ତ୍ୟାଗ କରି ଈଶ୍ବରଙ୍କ ଶରଣରେ ନିଜକୁ ସମର୍ପି ଦେଇଛନ୍ତି। ୧୮ ବର୍ଷ ହେଲା ପାହାଡ଼ ଗୁମ୍ଫାରେ ସନ୍ନ୍ୟାସ ଜୀବନ ବିତାଉଛନ୍ତି କୈଳାସ ଯୋଗୀ। ଭିକ୍ଷା କରି ପେଟ ପୋଷୁଛନ୍ତି ସତ, ପରିବେଶ ସୁରକ୍ଷା ପ୍ରତି ତାଙ୍କର ସମର୍ପିତ ମନୋଭାବ ଆଜି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଈଶ୍ବରଙ୍କୁ ଆରାଧନା କରିବା ସହ ଇତିମଧ୍ୟରେ ଜଙ୍ଗଲରେ ପାଖାପାଖି ୨ହଜାରରୁ ଅଧିକ ବିଭିନ୍ନ କିସମର ବୃକ୍ଷରୋପଣ କରି ସାରିଲେଣି। ଆଉ ସବୁଠାରୁ ବଡ଼ କଥା ହେଉଛି, ତାଙ୍କର ଶାନ୍ତ ଓ ଶୃଙ୍ଖଳିତ ଆଚରଣରେ ବନ୍ୟଜନ୍ତୁ ବି ବନ୍ଧୁ ପାଲଟି ଯାଇଛନ୍ତି। ଯାହାକୁ ଜଣେ ନିଜ ଆଖିରେ ନ ଦେଖିଲେ ବିଶ୍ବ‌ାସ କରିପାରିବ ନାହିଁ।

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ କୋକଳବା ପଞ୍ଚାୟତରେ ରହିଛି ଏକ ବିରାଟ ପାହାଡ଼। ଯେଉଁଠିକୁ ୧୮ ବର୍ଷ ତଳେ କୈଳାସ ଯୁବାବସ୍ଥ‌ାରେ ଏକୁଟିଆ ଚାଲି ଆସିଥିଲେ। ଭୂମି ଠାରୁ ପ୍ରାୟ ୬୦୦ ଫୁଟ୍‌ ଉଚ୍ଚତାରେ ପାହାଡ଼ ଉପରେ ଲକ୍ଷ୍ମୀନୃସିଂହ ଗୁମ୍ଫା। ୭ଟି ଗୁମ୍ଫାରୁ ଗୋଟିକୁ ସଫା କରି କୈଳାସ ଏହାକୁ ନିଜର ଆସ୍ଥାନ କରିସାରିଛନ୍ତି। ତାଙ୍କ କହିବାନୁସାରେ, ଯୁବାବସ୍ଥାରେ ସନ୍ନ୍ୟାସୀ ହେବାର ଇଚ୍ଛା ତାଙ୍କୁ ଏହି କଠୋର ନିଷ୍ପତ୍ତି ଆଡ଼କୁ ଟାଣି ଆଣିଥିଲା। ବାପାମା’ଙ୍କ ଅନିଚ୍ଛା ସତ୍ତ୍ବେ ସେ ଘର ଛାଡ଼ି ପ୍ରଥମେ ପାରାଦୀପ ଓ ପରେ ଯାଜପୁର ଯାଇ ବାବା ଅରକ୍ଷିତ ଦାସଙ୍କ ଶିଷ୍ୟତ୍ବ ଗ୍ରହଣ କରିଥିଲେ। ସେଠାରୁ ସିଧାସଳଖ ଏହି ଲକ୍ଷ୍ମୀନୃସିଂହ ଗୁମ୍ଫାକୁ ଚାଲି ଆସିଥିଲେ। ଏଠାରେ ଠାକୁର ନୃସିଂହନାଥ ଓ ଗୁନ୍ଧ୍ରେଶ୍ବରଙ୍କ ଆରାଧନା କରିବା ସହ ପ୍ରତିଦିନ ପାହାଡ଼ର ବଡ଼ ବଡ଼ ପଥର ଓ ଲଟାବୁଦା ଡେଇଁ ୬୦୦ ଫୁଟ ତଳକୁ ଆସି ନିଜ ପାଇଁ ଜଳ ଓ ଭିକ୍ଷା ସଂଗ୍ରହ କରିବା ଆରମ୍ଭ କଲେ। କିଛି ଲୋକ ତାଙ୍କୁ ଦେଖି ପ୍ରଥମେ ଭୟଭୀତ ହେଉଥିଲେ। ଭୟରେ ତାଙ୍କ ପାଖ ମାଡ଼ୁ ନ ଥିଲେ।

କିନ୍ତୁ ସମୟ ବିତିସାରିଛି। ଏହା ମଧ୍ୟରେ ସେ ଏହି ଗୁମ୍ଫାରେ ଏକ ଆଧ୍ୟାତ୍ମିକ ପରିବେଶରେ ଈଶ୍ବରଙ୍କ ସାନ୍ନିଧ୍ୟ ପାଇପାରିଥିବା କୈଳାସ ଯୋଗୀ ‘ସମ୍ବାଦ’କୁ କହିଛନ୍ତି। ମନରେ ଭୟ ବୋଲି କିଛି ନାହିଁ। ଅନେକ ହିଂସ୍ରଜନ୍ତୁ ବି ତାଙ୍କର ବନ୍ଧୁ ପାଲଟିଛନ୍ତି। ଆଉ ୧୮ ବର୍ଷ ଭିତରେ ଯେଉଁଠି ଖାଲି ସ୍ଥାନ ଦେଖିଛନ୍ତି ସେଇଠି ଗଛ ରୋପଣ କରିଛନ୍ତି। ଏହାମଧ୍ୟରେ ସେ ଆମ୍ବ, ପଣସ, ସପେଟା, ଲେମ୍ଭୁ, ଚନ୍ଦନ, ତେଜପତ୍ର ସମେତ ବିଭିନ୍ନ କୋଳି ଓ ରୁଦ୍ରାକ୍ଷ ଭଳି ବିଭିନ୍ନ ଅମୂଲ୍ୟ ଗଛ ଲଗାଇଛନ୍ତି। କାରଣ ପରିବେଶ ସୁରକ୍ଷା ବି ଜୀବନର ଏକ ଅଙ୍ଗ ହେବା ଦରକାର ବୋଲି ସେ କହନ୍ତି। ସେହିପରି ଉକ୍ତ ପଞ୍ଚାୟତର ସରପଞ୍ଚ ନିର୍ମଳ ଚନ୍ଦ୍ର ନାୟକ ବିଭିନ୍ନ ସଂଗଠନର ସହାୟତା ନେଇ ଉକ୍ତ ଗୁମ୍ଫାର ଉନ୍ନତି ପାଇଁ ଲାଗି ପଡ଼ିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ଗୁମ୍ଫାକୁ ମୋଟର ଯୋଗେ ପାଣି ଓ ବିଦ୍ୟୁତ୍ ପହଞ୍ଚିଥିବା କାରଣରୁ ସେ ସାଧୁବାଦ ଜଣାଇଛନ୍ତି। ପରିବେଶ ସୁରକ୍ଷା ଦିଗରେ ତାଙ୍କର ଏହି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର