କାକ-ଭୂଷଣ୍ଡ କୁଣ୍ଡରେ ୬ ଦିନ ହେଲା ତାଲା

ପୁରୀ : ଶ୍ରୀମନ୍ଦିରରେ ପଣ୍ଡାଙ୍କୁ ବି ବଳିଗଲା ପ୍ରଶାସନ। ଟଙ୍କା ପାଇଁ ଦର୍ଶନକୁ ବନ୍ଦ କରିଦେଇଛି ପ୍ରଶାସନ। ନିଲାମ ଟଙ୍କା ଛିଣ୍ଡୁ ନଥିବାରୁ ୬ ଦିନ ଧରି ଖୋଲୁନି କାକ-ଭୂଷଣ୍ଡ କୁଣ୍ଡ। କାଠ ପଟା ପକାଇ ତାଲା ମାରିଦେଇଛି ପ୍ରଶାସନ। ଭକ୍ତମାନେ ନା କୁଣ୍ଡର ଜଳ ପାଇ ପାରୁଛନ୍ତି ନା କାକ-ଭୁଷଣ୍ଡଙ୍କୁ ଦର୍ଶନ ପାଉଛନ୍ତି। ଠାକୁରଙ୍କୁ ନେଇ ମନ୍ଦିର ପ୍ରଶାସନର ଏପରି ବେପାରକୁ ଭକ୍ତ ଓ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି।

ଶ୍ରୀମନ୍ଦିର ବିମଳା ମନ୍ଦିର ସମ୍ମୁଖରେ ରହିଛି ରୋହିଣୀ କୁଣ୍ଡ ବା କାକ-ଭୂଷଣ୍ଡ କୁଣ୍ଡ। ଏହି କୁଣ୍ଡ ଶ୍ରୀମନ୍ଦିର ନିର୍ମାଣର ମୂକସାକ୍ଷୀ ବୋଲି କୁହାଯାଏ। ଏହିଠାରେ କାକ-ଭୂଷଣ୍ଡଙ୍କ ମୂର୍ତ୍ତି ରହିଛି। ଭକ୍ତମାନେ ସେହି କୁଣ୍ଡର ଜଳ ପାଇଲେ ପାପ ମୋଚନ ହୋଇଥାଏ ବୋଲି ବିଶ୍ବାସ ରହିଛି। ଭକ୍ତମାନେ ସେହି କୁଣ୍ଡର ପାଣି ଛିଞ୍ଚି ହୋଇ ପାପମୋଚନ ‌କରିଥାନ୍ତି। ହେଲେ ଏହି କୁଣ୍ଡ ଏବେ ଭକ୍ତଙ୍କ ପାଇଁ ବନ୍ଦ ହୋଇଯାଇଛି। ଏପ୍ରିଲ ୧ ତାରିଖରୁ ନିଲାମ ବାବଦ ମୂଲଚାଲ ଛିଣ୍ଡିନାହିଁ। ତେଣୁ ମନ୍ଦିର ପ୍ରଶାସନ ଏହି କୁଣ୍ଡକୁ ବନ୍ଦ କରିଦେଇଛି। ନିରାଶ ହୋଇ ପ୍ରତିଦିନ ହଜାର ହଜାର ଭକ୍ତ ଫେରୁଛନ୍ତି।

କୁଣ୍ଡ ବନ୍ଦ ନେଇ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପାଇଥିଲେ ମଧ୍ୟ ଟଙ୍କା ନମିଳିଲେ କାକ-ଭୂଷଣ୍ଡ କୁଣ୍ଡ ନଖୋଲିବାକୁ ମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଥିବା ଜନୈକ କର୍ମଚାରୀ କହିଛନ୍ତି। ନିଲାମ ମୂଲଚାଲ ଛିଣ୍ଡିଲେ ନିଲାମଧାରୀମାନେ ଟଙ୍କା ଦେବେ। ଏହା ପରେ ହିଁ ପ୍ରଶାସନ ତାଲା ଖୋଲିବ। ଶ୍ରୀମନ୍ଦିର ଭିତରେ ପଣ୍ଡାମାନେ ଭକ୍ତଙ୍କୁ ଶୋଷଣ କରନ୍ତି, ଦର୍ଶନ କରାଇ ଦିଅନ୍ତି ନାହିଁ ବୋଲି ଅପବାଦ ରହିଥିବା ବେଳେ ଏବେ ପଣ୍ଡାଙ୍କଠୁ ବଡ଼ ପଣ୍ଡା ପାଲଟିଛି ଖୋଦ୍‌ ମନ୍ଦିର ପ୍ରଶାସନ।

ସମ୍ବନ୍ଧିତ ଖବର