(କାକଟପୁରରୁ ବିଶ୍ବଜିତ ଦାଶ) : ପୁରୀ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ କାକଟପୁରରେ ଏବେ ନିର୍ବାଚନୀ ତାତି ଜୋର୍ ଧରିଛି। ଏଠାରେ ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ବିଜେପି ମଧ୍ୟରେ ଲଢ଼େଇ ହେଉଥିଲେ ହେଁ କେଉଁ ଦଳର ପ୍ରାର୍ଥୀ ବିଜୟ ମୁକୁଟ ପିନ୍ଧିବ ତାହା ଦୁଇ ସୁରଙ୍କ ଉପରେ ଅଧିକ ନିର୍ଭର କରୁଛି। ଜଣେ ହେଲେ କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ନାୟକ ଏବଂ ବର୍ତ୍ତମାନର ବିଧାୟକ ସୁରେନ୍ଦ୍ର ସେଠୀ।
ସୁର ନାୟକ ଏବଂ ତାଙ୍କ ପୁଅ ସ୍ବାଧୀନ ନାୟକ ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରାଙ୍କ ପାଇଁ ଜୋରଦାର୍ ପ୍ରଚାର କରୁଥିବାବେଳେ ସୁର ସେଠୀ କିନ୍ତୁ ଟିକେଟ କଟିବା ପରେ ନିରବୀ ଯାଇଛନ୍ତି। କାକଟପୁର ରାଜନୀତିରେ ସୁର ନାୟକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାବେଳେ ତାଙ୍କ ସମର୍ଥନ ବିଜେପି ଟିକେଟ୍ ଫେରାଇ ବିଜେଡି ପ୍ରାର୍ଥୀ ହୋଇଥିବା ତୁଷାରକାନ୍ତିଙ୍କ ସପକ୍ଷରେ ରହିଛି। ସୁର ନାୟକଙ୍କ ସମର୍ଥିତ ଗୋଷ୍ଠୀ ଏବେ ତୁଷାରକାନ୍ତିଙ୍କ ସପକ୍ଷରେ ଜୋରଦାର୍ ପ୍ରଚାର କରୁଛନ୍ତି। କିନ୍ତୁ ଟିକେଟ୍ ଦେଇ ଫେରାଇନେବା ଧକ୍କାରେ ଥିବା ସୁର ସେଠୀ ଏପର୍ଯ୍ୟନ୍ତ ଯଦିଓ ଦଳ ବିରୋଧରେ ଯାଇନାହାନ୍ତି କିନ୍ତୁ ତୁଷାରକାନ୍ତିଙ୍କ ପାଇଁ ଖୋଲାଖୋଲି ପ୍ରଚାର କରୁନାହାନ୍ତି କି ତାଙ୍କ ସମର୍ଥକଙ୍କୁ କିଛି ଇଙ୍ଗିତ ଦେଉନାହାନ୍ତି। ସୁର ସେଠୀ ଏବେ ବିଜେଡି, କଂଗ୍ରେସ ନା ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ତାହା ଉପରେ ସମସ୍ତଙ୍କ ନଜର। କାରଣ ସୁର ସେଠୀ ଯେଉଁ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ସେ ହିଁ ବିରୋଧୀଙ୍କୁ କଡ଼ା ଟକ୍କର ଦେବେ।
୨୦୦୯ରେ କାକଟପୁର ନିର୍ବାଚନ ମଣ୍ଡଳୀ ସଂରକ୍ଷିତ ହେବା ପରେ ଏଥରକୁ ମିଶାଇ ବିଜେଡି ତିନି ଜଣ ପ୍ରାର୍ଥୀଙ୍କୁ ବଦଳାଇଛି। ୨୦୦୯ରେ ବିଜେଡି ପ୍ରାର୍ଥୀ ରବି ମଲ୍ଲିକ କଂଗ୍ରେସ ପ୍ରାର୍ଥୀ ବିଶ୍ବଭୂଷଣ ଦାସଙ୍କୁ ପ୍ରାୟ ୧୬ହଜାର ଭୋଟ୍ରେ ହରାଇ ବିଜୟୀ ହୋଇଥିଲେ ହେଁ ୨୦୧୪ରେ ଦଳ ତାଙ୍କ ଟିକେଟ୍ କାଟି ସୁରେନ୍ଦ୍ର ସେଠୀଙ୍କୁ ଦେଇଥିଲା। ରବି ମଲ୍ଲିକଙ୍କ ଟିକେଟ୍ କାଟିବା ଏବଂ ସୁର ସେଠୀଙ୍କୁ ଟିକେଟ୍ ଦେବା ପଛରେ ସୁର ନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସୁର ସେଠୀ ଏଥର କଂଗ୍ରେସ ପ୍ରାର୍ଥୀ ରବୀନ୍ଦ୍ର କୁମାର ସେଠୀଙ୍କୁ ପ୍ରାୟ ୪୧ହଜାର ଭୋଟ୍ରେ ହରାଇ ବିଜୟୀ ହୋଇଥିଲେ। ନିର୍ବାଚନ ସମୟରେ ରବି ମଲ୍ଲିକ ଯଦିଓ ସୁର ସେଠୀଙ୍କୁ ସମର୍ଥନ କରିନଥିଲେ କିନ୍ତୁ କଂଗ୍ରେସରୁ ୨୦୦୯ରେ ପ୍ରାର୍ଥୀ ହୋଇଥିବା ବିଶ୍ବଭୂଷଣ ଦାସଙ୍କ ଭିତିରି ସହାୟତା ସୁର ସେଠୀଙ୍କ ପାଇଁ ଥିଲା। ଏବେ ବିଶ୍ବ କଂଗ୍ରେସ ପ୍ରାର୍ଥୀ ହୋଇଥିବାବେଳେ ସୁର ନିର୍ବାଚନ ମଇଦାନରେ ନାହାନ୍ତି। ରବି ମଲ୍ଲିକ ବିଜେପିରୁ ଲଢ଼ୁଛନ୍ତି। ତେଣୁ ସୁର ସେଠୀ ବିଶ୍ବଙ୍କୁ ଭିତିରିଆ ସମର୍ଥନ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ସୁର ସେଠୀଙ୍କ ସମର୍ଥନ ବିଶ୍ବଙ୍କୁ ମିଳେ ତେବେ ୨୦୦୯ରେ ମାତ୍ର ୧୬ହଜାର ଭୋଟ୍ରେ ହାରିଥିବା ବିଶ୍ବଙ୍କର ବିଜୟ ସମ୍ଭାବନା ବଢ଼ିପାରେ ବୋଲି କୁହାଯାଉଛି। ସୁର ସେଠୀଙ୍କୁ ଦଳ ଟିକେଟ୍ ଦେଇ ଫେରାଇ ନେବା ପଛରେ ସୁର ନାୟକ ଥିବା କୁହାଯାଉଥିବାରୁ ଶ୍ରୀ ସେଠୀ ଏେବ ଶ୍ରୀ ନାୟକଙ୍କ ସମର୍ଥିିତ ପ୍ରାର୍ଥୀଙ୍କୁ କେତେଦୂର ସମର୍ଥନ କରିବେ ତାହା ଉପରେ ନଜର। ଏପଟେ ରାଜନୀତିରେ ପୋଖତ ସୁର ନାୟକ କେଉଁ ଗୋଟି ଚାଳନା କରି ବିରୋଧୀଙ୍କୁ ମାତ୍ ଦେବେ ତାହାକୁ ବି କାକଟପୁରବାସୀ ଦେଖିବାକୁ ଅପେକ୍ଷା କରିଛନ୍ତି।
ଅପରପକ୍ଷେ ରବି ମଲ୍ଲିକ ଓ ସୁର ସେଠୀଙ୍କ ଟିକେଟ୍ କଟିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୁର ନାୟକଙ୍କୁ ଚେକ୍ ଦେବା ପାଇଁ ଯଦି ରବି ଓ ସୁର ଏକାଠି ହୁଅନ୍ତି ତେବେ ତୁଷାରକାନ୍ତି ନାୟକଙ୍କ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି ହୋଇପାରେ।
ଏପଟେ ବିଜେଡି ଦଖଲରେ ଯଦିଓ କାକଟପୁର ନିର୍ବାଚନ ମଣ୍ଡଳୀର ଗୋପ, ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଯାଉଛି ଏବଂ ଏହାର ତିନି ଅଧ୍ୟକ୍ଷ ବିଜେଡିର ଅଛନ୍ତି। କିନ୍ତୁ ବିଜେଡିକୁ ଏହା ସଶକ୍ତ କରୁନି। କାରଣ ଗୋପ ବ୍ଲକର ୧୪ଟି ପଞ୍ଚାୟତ କାକଟପୁର ନିର୍ବାଚନ ମଣ୍ଡଳୀରେ ଥିଲେ ହେଁ ଏହାର ଅଧ୍ୟକ୍ଷ ପ୍ରକାଶ କୁମାର ପରିଡ଼ା ଏବେ ନିମାପଡ଼ାରେ ବିଜେପି ପ୍ରାର୍ଥୀ ହୋଇଥିବା ପ୍ରଭାତୀ ପରିଡ଼ାଙ୍କୁ ସମର୍ଥନ କରୁଛନ୍ତି। ପ୍ରକାଶ ଏ ପର୍ଯ୍ୟନ୍ତ କାକଟପୁରରେ ନିର୍ବାଚନ ମଇଦାନକୁ ଓହ୍ଲାଇନଥିବାବେଳେ ତାଙ୍କ ସମର୍ଥକ ବି ତୁଷାରକାନ୍ତିଙ୍କ ପାଇଁ ପ୍ରଚାର କରୁନାହାନ୍ତି।
ସେହିପରି ଅସ୍ତରଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ସୁର ନାୟକଙ୍କ କଡ଼ା ବିରୋଧୀ ଦିବାକର ଛାଟୋଇ ବିଜେଡିରେ ଥାଇ ବି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁନାହାନ୍ତି। ଶ୍ରୀ ଛାଟୋଇ ବିଜେଡିର ଦୁଇ ବିଧାୟକ ରବି ମଲ୍ଲିକ ଏବଂ ସୁର ସେଠୀଙ୍କ ଅତ୍ୟନ୍ତ ଘନିଷ୍ଠ ହୋଇଥିବାବେଳେ ସୁରଙ୍କ ପୁଅ ସ୍ବାଧୀନ ନାୟକଙ୍କୁ ବିରୋଧ କରୁଥିବାରୁ ସେ କି ତାଙ୍କ ସମର୍ଥକ ବିଜେଡି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଉନଥିବା କୁହାଯାଉଛି। ଦିବାକରଙ୍କ ହାତରେ ଅସ୍ତରଙ୍ଗ ବ୍ଲକର ବହୁ ଭୋଟର ଥିବାବେଳେ ସେ ସୁର ସେଠୀ ନା ରବି ମଲ୍ଲିକ ନା ତୁଷାରକାନ୍ତିଙ୍କୁ ସମର୍ଥନ କରୁଛନ୍ତି ତାହା ବି ସ୍ପଷ୍ଟ ହୋଇନି। ତେଣୁ ଅସ୍ତରଙ୍ଗ ଓ ଗୋପ ବ୍ଲକରେ ବିଜେଡି ପ୍ରାର୍ଥୀଙ୍କ ଅଡ଼ୁଆ ଛିଡ଼ୁନି।
ସେପଟେ ସୁର ନାୟକଙ୍କ ବିରୋଧରେ ତିନି ଥର କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ସତ୍ୟବ୍ରତ ପାତ୍ର (ରମୁ) ଯଦିଓ ଗତ ଦୁଇଟି ନିର୍ବାଚନରେ ନିମାପଡ଼ାରୁ କଂଗ୍ରେସ ଟିକେଟ୍ରୁ ଲଢ଼ିଛନ୍ତି କିନ୍ତୁ ତାଙ୍କର ମୂଳ ସଂଗଠନ କାକଟପୁରରେ ଅଛି। ବିଗତ ନିର୍ବାଚନରେ କାକଟପୁରରେ କଂଗ୍ରେସ ପ୍ରାର୍ଥୀ ଅଧିକ ଭୋଟ୍ ପାଇବାରେ ରମୁ ପାତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କ ସମର୍ଥନ ବି ପ୍ରାର୍ଥୀ ଲୋଡ଼ୁଛନ୍ତି। ହେଲେ କଂଗ୍ରେସର ଏହି ବରିଷ୍ଠ ନେତା ନିକଟରେ ବିଜେଡିେର ମିଶିଥିବାବେଳେ ସେ କାକଟପୁରରେ ବିଜେଡି ନା କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି ତାହା ଉପରେ ନଜର ରହିଛି।
ତୁଷାରକାନ୍ତି ବେହେରା ବିଜେପି ଟିକେଟ୍ରୁ ୨୦୦୯ରେ ଲଢ଼ି ହାରି ଥିବାବେଳେ ଏଥର ବିଜେପି ଟିକେଟ୍ ପାଇବା ପରେ ଫେରାଇଦେଇଥିଲେ। ଆଉ ବିଜେଡି ଟିକେଟରୁ ଲଢ଼ୁଛନ୍ତି। ତେଣୁ ବିଜେପି କର୍ମୀମାନେ ବି ତାଙ୍କୁ ପ୍ରତ୍ୟାଖାନ କରୁଥିବା କୁହାଯାଉଥିବାବେଳେ ତୁଷାରକାନ୍ତିଙ୍କ ସମର୍ଥକଙ୍କ ହିସାବ କହୁଛି ଯେ, ସେ ବିଜେଡି ସମେତ ବିଜେପିର ବହୁ ଭୋଟ୍ ପାଇବେ। ଯାହା ତାଙ୍କ ବିଜୟକୁ ସହଜ କରିବ।
ଏପଟେ ଜଗତସିଂହପୁର ଲୋକସଭା ଆସନରୁ ବିଜେଡି ସାଂସଦ ପ୍ରାର୍ଥୀ ହୋଇଥିବା ରାଜଶ୍ରୀ ମଲ୍ଲିକ କାକଟପୁର ନିର୍ବାଚନ ମଣ୍ଡଳୀସ୍ଥିତ ପାଟପୁରର ଝିଅ ହୋଇଥିବାରୁ ସେ ବି ଏହି ନିର୍ବାଚନ ମଣ୍ଡଳୀରେ ଅଧିକ ଭୋଟ୍ ପାଇବା ପାଇଁ ଜୋରଦାର ପ୍ରଚାର କରୁଛନ୍ତି।
କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେପି ଓ ବିଜେଡିର ଜଗତସିଂହପୁର ଲୋକସଭା ପ୍ରାର୍ଥୀ ବିଭୁ ତରାଇ ଏବଂ ରାଜଶ୍ରୀ ମଲ୍ଲିକ ସେମାନଙ୍କ ସମର୍ଥକଙ୍କୁ ନେଇ ପ୍ରଚାର କରିଛନ୍ତି। ରାଜଶ୍ରୀ ଜୋନ୍-୭ର ସାଧାରଣ ସଭାରେ ନବୀନଙ୍କ ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ତାଙ୍କୁ ଓ ତୁଷାରକାନ୍ତିଙ୍କୁ ଜିତାଇବା ପାଇଁ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ କହିଥିବାବେଳେ ବିଭୁ ତରାଇ ପୁରୀର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ରବି ମଲ୍ଲିକଙ୍କ ସହ ବାଇକ୍ ଶୋଭାଯାତ୍ରା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/sure-final.jpg)