କାକଟପୁର ନିର୍ବାଚନମଣ୍ଡଳୀ: ତୁଷାରକାନ୍ତିଙ୍କୁ ଟିକେଟ, ସୁରେନ୍ଦ୍ର ଅସନ୍ତୁଷ୍ଟ

କାକଟପୁର ନିର୍ବାଚନମଣ୍ଡଳୀ: ତୁଷାରକାନ୍ତିଙ୍କୁ ଟିକେଟ, ସୁରେନ୍ଦ୍ର ଅସନ୍ତୁଷ୍ଟ

ପୁରୀ/କାକଟପୁର: ବହୁ ପ୍ରତୀକ୍ଷା ପରେ ପୁରୀ ଜିଲ୍ଲାର ଚର୍ଚ୍ଚିତ କାକଟପୁର ବିଧାନସଭା ଆସନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପରେ ଦଳ ପୁଣିଥରେ ଭରସା କରିଛି ଏବଂ ବିଧାୟକ ଭାବେ ଲଢ଼ିବାର ସୁଯୋଗ ଦେଇଛି। ଯାହାକୁ ନେଇ ବିଜେଡିରେ ଅନ୍ତଃକନ୍ଦଳ ଆରମ୍ଭ ହୋଇଯାଇଛି। ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କ ସମର୍ଥକ ଏହାର ଦୃଢ଼ ବିରୋଧ କରିଛନ୍ତି। ସୁରେନ୍ଦ୍ର ଓ ତାଙ୍କ ସମର୍ଥକ ତତ୍‌କ୍ଷଣାତ୍‌ ବୈଠକ କରି ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ୨୦୧୪ ମସିହା ନିର୍ବାଚନରେ ସୁରେନ୍ଦ୍ର ବିଜେଡି ଟିକେଟରେ ଲଢ଼ି ବିଧାୟକ ହୋଇଥିଲେ। ତାଙ୍କ ପ୍ରତିଦ୍ବନ୍ଦ୍ବୀ ଥିଲେ ବିଜେପିର ତୁଷାରକାନ୍ତି। ୨୦୧୯ରେ ବିଜେଡି ତୁଷାରକାନ୍ତିଙ୍କୁ ଦଳରେ ମିଶାଇ ଟିକେଟ ଦେଇଥିଲା। ସୁରେନ୍ଦ୍ର ଟିକେଟ ପାଇ ପ୍ରଚାର ଆରମ୍ଭ କରି ଦେଇଥିଲେ ବି ଶେଷମୁହୂର୍ତ୍ତରେ ତାଙ୍କଠାରୁ ଟିକେଟ ପ୍ରତ୍ୟାହାର କରିନିଆଯାଇଥିଲା ଏବଂ ତୁଷାରକାନ୍ତିଙ୍କୁ ପ୍ରାର୍ଥୀ କରାଯାଇଥିଲା। ସେସମୟରେ ଅସନ୍ତୁଷ୍ଟ ସୁରେନ୍ଦ୍ରଙ୍କ ସମର୍ଥକଙ୍କୁ ବହୁ ବୁଝାସୁଝା କରି ଶାନ୍ତ କରିଥିଲା ଦଳ।

ମାତ୍ର, ଚଳିତଥର ଟିକେଟ ନ ମିଳିବା ପରେ ସୁରେନ୍ଦ୍ରଙ୍କ ସମର୍ଥକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ନିଜେ ସୁରେନ୍ଦ୍ର ବି କହିଛନ୍ତି, ‘ମୋ ସହ କାକଟପୁର ଓ ଅସ୍ତରଙ୍ଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅନ୍ୟ ନେତାମାନେ ରହିଛନ୍ତି। ସମସ୍ତ ସରପଞ୍ଚ, ସମିତି ସଭ୍ୟ ବି ରହିଛନ୍ତି। କିନ୍ତୁ ଦଳ ତୁଷାରକାନ୍ତିଙ୍କୁ ଟିକେଟଦେବା ନିଷ୍ପତ୍ତି କାକଟପୁର ନିର୍ବାଚନମଣ୍ଡଳୀର ବିଜେଡି ନେତା ଓ କର୍ମୀଙ୍କୁ ଆଶ୍ଚର୍ଯ୍ୟ ଓ ନିରାଶ କରିଛି।’ ଏଥିସହିତ, ଯଦି ସମର୍ଥକମାନେ ଲଢ଼ିବାକୁ କହିବେ ନିଶ୍ଚିତ ସେ ନିର୍ବାଚନ ଲଢ଼ିବେ। ଏପରିକି କେଉଁ ଦଳରୁ ଲଢ଼ିବି କି ସ୍ବାଧୀନ ଲଢ଼ିବି, ତାହା ସମର୍ଥକମାନେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ସୁରେନ୍ଦ୍ରଙ୍କ ଏହି ମନ୍ତବ୍ୟ ପରେ କାକଟପୁର ରାଜନୀତି ସରଗରମ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe