ପୁରୀ/କାକଟପୁର/କୋଣାର୍କ: କାକଟପୁର ମା’ ମଙ୍ଗଳା ମନ୍ଦିରର ବିକାଶ ହେବ। ରାସ୍ତା, ପାର୍କିଂଠାରୁ ଆରମ୍ଭ କରି ମନ୍ଦିରର ସର୍ବାଙ୍ଗୀନ ଉନ୍ନତୀକରଣ କରାଯିବ। ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପର ନୀଳନକ୍ସା ୧୫ ଦିନ ଭିତରେ ପ୍ରସ୍ତୁତ ହେବ। ୫-ଟି ସଚିବ ଭି କେ ପାଣ୍ଡିଆନ ଆଜି କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିର ଗସ୍ତ କରିବା ସହ ସେବାୟତଙ୍କ ସହ ଆଲୋଚନା ପରେ ଓବିସିସିକୁ ଏହାର ଡିଜାଇନ ପ୍ରସ୍ତୁତ କରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ପୁରୀ ବାଲିଗୁଆଳିଠାରେ ନିର୍ମାଣାଧୀନ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜର ଟିଚିଂ ହସ୍ପିଟାଲ ଓ ବହୁ ବର୍ଷ ଧରି ଚାଲିଥିବା କୋଣାର୍କ-ଚନ୍ଦ୍ରଭାଗା ରାସ୍ତା ସଂପ୍ରସାରଣ ଆଗାମୀ ବର୍ଷ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ୪୨ କୋଟି ଟଙ୍କା ବ୍ୟୟରେ ଚନ୍ଦ୍ରଭାଗାରେ ପର୍ଯ୍ୟଟନ ଅନୁକୂଳ କରିବାକୁ ଯୋଜନା ବି ସମୀକ୍ଷା କରିଛନ୍ତି।
ଆଜି ସକାଳେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ପୁରୀରେ ପହଞ୍ଚିବା ପରେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ପୁରୀ ବାଲିଗୁଆଳିସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜର ନିର୍ମାଣାଧୀନ ଟିଚିଂ ହସ୍ପିଟାଲ୍ କୋଠାର ଅନୁଧ୍ୟାନ କରିଥିଲେ। ଏଲ୍ ଆଣ୍ଡ୍ ଟି ଏହି କାମ କରୁଥିବାବେଳେ ଆସନ୍ତା ଜୁନ୍ ସୁଦ୍ଧା କାମ ସାରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ପରେ ଶ୍ରୀ ପାଣ୍ଡିଆନ୍ କାକଟପୁର ଗସ୍ତ କରି ମା’ ମଙ୍ଗଳାଙ୍କ ଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବପ୍ରସ୍ତୁତ ମନ୍ଦିର ଭିତର ଓ ବାହାର ସୌନ୍ଦର୍ଯ୍ୟୀକରଣ ସମ୍ପର୍କିତ ଏକ ମାଷ୍ଟରପ୍ଲାନ୍କୁ ଅନୁଧ୍ୟାନ କରିଥିଲେ। ମନ୍ଦିର ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ପୀଠର ଉନ୍ନତୀକରଣ ବିଷୟରେ ଆଲୋଚନା କରିଥିଲେ। ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ସୌନ୍ଦର୍ଯ୍ୟୀକରଣର ମାଷ୍ଟର ପ୍ଲାନ୍କୁ ସେବାୟତ, ସ୍ଥାନୀୟ ଲୋକେ ଓ ଟ୍ରଷ୍ଟିଙ୍କ ସହ ଆଲୋଚନା କରି ୧୫ ଦିନ ଭିତରେ ରାଜ୍ୟ ସରକାରଙ୍କୁ ପଠାଇବାକୁ ଓବିସିସିକୁ କୁହାଯାଇଛି।
ପ୍ରକଳ୍ପରେ ରୋଷ ଘର, ଆନନ୍ଦବଜାର, ସ୍ନାନ ମଣ୍ଡପ, ଭୋଗ ଶାଳା ସହିତ ମନ୍ଦିର ବାହାରେ ଭକ୍ତ ବିଶ୍ରାମ ଗୃହ, ଜୋତା ଷ୍ଟାଣ୍ଡ, ଶୌଚାଳୟ, ମନ୍ଦିର ମଧ୍ୟରୁ ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା, ପ୍ରାଚୀ ନଦୀର ଘଟତୋଳା ଘାଟର ଉନ୍ନତୀକରଣ ଓ ଘାଟ ପାର୍ଶ୍ବରେ ପାର୍କ ନିର୍ମାଣ, ମନ୍ଦିର ପୂର୍ବ ଓ ଉତ୍ତର ପାର୍ଶ୍ବ ରାସ୍ତାର ପ୍ରଶସ୍ତୀକରଣ, ଅତ୍ୟାଧୁନିକ ପାର୍କିଂ ସେଡ୍ ନିର୍ମାଣ କରିବାକୁ ଯୋଜନା କରାଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଏଥିସହ ନିକଟରେ ଥିବା ସୋମେଶ୍ୱର ଶୈବପୀଠର ଉନ୍ନତୀକରଣ ଓ ସ୍ଥାନୀୟ ପୁଷ୍କରିଣୀର ପୁନରୁଦ୍ଧାର ବି କରାଯିବ। ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ଙ୍କ ସହ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେର, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ଡ. କେ. ବିଶାଲ ସିଂହ, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଓଡିଶାର ଅନ୍ୟାନ୍ୟ ଶକ୍ତି ପୀଠଗୁଡିକର ସୌନ୍ଦର୍ଯ୍ୟୀକରଣ ପାଇଁ ଶହ ଶହ କୋଟି ଟଙ୍କାର ହାତ ଖର୍ଚ୍ଚ କରାଯାଉଥିବାବେଳେ ଶ୍ରୀଜଗନ୍ନାଥଙ୍କ ଏନ୍ତୁଡିଶାଳ କୁହାଯାଉଥିବା ମା’ ମଙ୍ଗଳାଙ୍କ ପୀଠର ବିକାଶ ପାଇଁ ମାତ୍ର ୫ କୋଟି ଟଙ୍କାର ପ୍ୟାକେଜ୍ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଭକ୍ତଙ୍କୁ ନିରାଶ କରିଛି।
ଜୁନ୍ରେ ସରିବ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ଟିଚିଂ ହସ୍ପିଟାଲ
ଏପ୍ରିଲରେ ସରିବ କୋଣାର୍କ-ଚନ୍ଦ୍ରଭାଗା ରାସ୍ତା ସଂପ୍ରସାରଣ
୪୨ କୋଟିରେ ଚନ୍ଦ୍ରଭାଗାରେ ହେବ ପର୍ଯ୍ୟଟନ ଅନୁକୂଳ ପରିବେଶ
ପରେ ଶ୍ରୀ ପାଣ୍ଡିଆନ୍ ଆଜି କୋଣାର୍କ ଚନ୍ଦ୍ରଭାଗାରେ ପହଞ୍ଚି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ଚନ୍ଦ୍ରଭାଗା ବଜାର ଓ ତୀର୍ଥର ଉନ୍ନୟନ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଳାନକୁ ଟିକିନିଖି ଅନୁଧ୍ୟାନ କରିଥିଲେ। ମିଳିଥିବା ସୂଚନା ମୁତାବକ, ଚନ୍ଦ୍ରଭାଗା ବଜାରରେ ଭେଣ୍ଡିଂ ଜୋନ ନିର୍ମାଣ, ତୀର୍ଥ ପୁଷ୍କରଣୀର ସୌନ୍ଦର୍ଯ୍ୟୀକରଣ ସମେତ ଚନ୍ଦ୍ରଭାଗା ବଜାରର ପାରିପାର୍ଶ୍ବିକ ବିକାଶ, ସର୍ବୋପରି ପର୍ଯ୍ୟଟନ ଅନୁକୂଳ ପରିବେଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୪୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି କାର୍ଯ୍ୟ ପୂର୍ତ୍ତ ବିଭାଗ ଅଧୀନରେ ଘରୋଇ ସଂସ୍ଥା ଜରିଆରେ କରାଯିବ। କାର୍ଯ୍ୟାଦେଶ ନେଇଥିବା ଘରୋଇ ସଂସ୍ଥା ପକ୍ଷରୁ ଡିଜାଇନ ପ୍ରସ୍ତୁତ କରାଯିବ। ଡିଜାଇନ ରାଜ୍ୟ ସରକାର ମଞ୍ଜୁରି ପରେ କାର୍ଯ୍ୟ ଆରମ୍ଭ ହେବ।
ଏଥିରେ ତୀର୍ଥ ପୁଷ୍କରଣୀ ଚାରିପାଖର ଆଲୋକୀକରଣ, ପାଦଚଲା ରାସ୍ତା ନିର୍ମାଣ ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ବିଭିନ୍ନ କାର୍ଯ୍ୟ କରାଯିବାର ଲକ୍ଷ୍ୟ ରହିଛି। ବଙ୍ଗୋପସାଗରର ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ଅସ୍ଥାୟୀ ରହଣୀ ସ୍ଥଳୀ ନିର୍ମାଣ କରଯିବ। ଅତ୍ୟାବଶ୍ୟକ ସମୟରେ ଏହାକୁ ଖୋଲାଯାଇ ପରବର୍ତ୍ତୀ ସମୟରେ ପୁନର୍ବାର ଲଗାଇ ବ୍ୟବହାର ଉପଯୋଗୀ କରାଯିବ। ସେହି ଅନୁଯାୟୀ ଏହି ପ୍ରକଳ୍ପ କାର୍ଯ୍ୟ କରାଯିବ। ସେହିଭଳି ବେଳାଭୂମିରେ ସବୁଜିମା ସୃଷ୍ଟି ପାଇଁ ଉଦ୍ୟାନ, ଶିଶୁ ଉଦ୍ୟାନ, ସ୍ନାକ୍ସ ପାର୍ଲର, ବସିବା ପାଇଁ ଆକର୍ଷଣୀୟ ଚଉକି ବ୍ୟବସ୍ଥା ଓ ଜେଟି ନିର୍ମାଣର ଲକ୍ଷ୍ୟ ରହିଛି। ଚନ୍ଦ୍ରଭାଗା ଉନ୍ନୟନ କାର୍ଯ୍ୟର ସମୀକ୍ଷା ପରେ ୫-ଟି ସଚିବ କୋଣାର୍କ ସୂର୍ଯ୍ୟମନ୍ଦିର ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ଚନ୍ଦ୍ରଭାଗାରୁ କୋଣାର୍କ ପର୍ଯ୍ୟନ୍ତ ଚାଲିଥିବା ୪ ଥାକିଆ ଓ ଛଅ ଥାକିଆ ରିଂ ରୋଡ଼ ନିର୍ମାଣ କାର୍ଯ୍ୟ ଅଗ୍ରଗତି ଦେଖିଥିଲେ। ଏନ୍ଏଚ୍ଏଆଇ ଏହି କାମ କରୁଥିବା ବେଳେ ଏପ୍ରିଲ ସୁଦ୍ଧା ସମସ୍ତ କାମ ସାରିବାକୁ ଏନ୍ଏଚ୍ଏଆଇର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।