୨୪ ଯାଏ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର : ମେ’ ୨୪ ଯାଏ ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଜାରି ରହିବ କାଳବୈଶାଖୀ। ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ହେବା ସହ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସମସ୍ତ ଜିଲ୍ଲାରେ ପାଣିପାଗ ଏଣିକି ଧୀରେ ଧୀରେ ପରିବର୍ତନ ହେବ। ଜୁନ୍‌ ୬ ବେଳକୁ ଓଡ଼ିଶାକୁ ମୌସୁମୀ ଛୁଇଁବାକୁ ଥିବାରୁ ଏହାପୂର୍ବରୁ ପ୍ରାକ୍‌ ମୌସୁମୀ ବର୍ଷା ମଧ୍ୟ ଆରମ୍ଭ ହେବ। ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗିରହିବ। ଏହାପରେ ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାକୁ ମୌସୁମୀ ଛୁଇଁବ। ପଶ୍ଚିମ ଓଡ଼ିଶାରେ ବିଳମ୍ବରେ ମୌସୁମୀ ପହଞ୍ଚିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଚାନ୍ଦବାଲିରେ ସର୍ବାଧିକ ୨୬.୬ ମିମି ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ୧୫, ହୀରାକୁଦ ଓ ଝାରସୁଗୁଡ଼ାରେ ୧୪.୨ ମିମି, ବାଲେଶ୍ୱରରେ ୧୨, ପାରାଦ୍ୱୀପରେ ୮ ମିମି ବର୍ଷା ହୋଇଛି। କେତେକ ସ୍ଥାନରେ ହାଲକା ବର୍ଷା ହୋଇଥିବା ଜଣାପଡ଼ିଛି। ପଶ୍ଚିମ ଓଡ଼ିଶାରେ ଆଜି ବି ତାତି ଅନୁଭୂତ ହୋଇଛି। ମାଲକାନଗିରିରେ ୪୨.୨, ବଲାଙ୍ଗୀରରେ ୪୨, ଟିଟିଲାଗଡ଼ରେ ୪୧ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର