କାଳବୈଶାଖୀରେ ବଜ୍ରପାତ ବଡ଼ ଘାତକ : ୯ ବର୍ଷରେ ୨୯୨୫ ମୃତ, ୫୩ ଦିନରେ ୬୩ଜଣ ଆଖି ବୁଜିଲେ

ଭୁବନେଶ୍ୱର : ଏଥର ରାଜ୍ୟରେ କାଳବୈଶାଖୀ ସାଂଘାତିକ ରୂପ ଧାରଣ କରିଛି। ଏହା ସହିତ ବଜ୍ରପାତ ବଡ଼ ଘାତକ ସାଜିଛି। ବଜ୍ରପାତ ଯୋଗୁଁ ଦେଶରେ ପ୍ରତି ବର୍ଷ ୨୦୦୦ରୁ ୨୫୦୦ଜଣ ବ୍ୟକ୍ତି ପ୍ରାଣ ହରାଉଥିବା ବେଳେ ଓଡ଼ିଶାରେ ଏହାର ପ୍ରାୟ ଏକ ପଞ୍ଚମାଂଶ ସଂଖ୍ୟକ ବ୍ୟକ୍ତିଙ୍କ ପ୍ରାଣହାନି ଘଟୁଛି। ଚଳିତ ଗ୍ରୀଷ୍ମକାଳରେ କାଳବୈଶାଖୀ ବା ଘୂର୍ଣ୍ଣିଝଡ଼ ପ୍ରଭାବରେ ବର୍ଷା ସହିତ ବଜ୍ରପାତ ବାରମ୍ବାର ଘଟିଥିବା ଜଳବାୟ ପରିବର୍ତନର ଲକ୍ଷଣ ହୋଇପାରେ। ତେବେ ରାଜ୍ୟରେ ଗତ ଏପ୍ରିଲ ପହିଲାରୁ ଆଜି ପର୍ଯ୍ୟନ୍ତ ୬୩ଜଣ ବ୍ୟକ୍ତିଙ୍କର ବଜ୍ରପାତ ଜନିତ ମୃତ୍ୟୁ ହୋଇଛି। ଗତ ୯ ବର୍ଷରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ୨୯୨୫ ଛୁଇଁଛି।

ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ମୃତ୍ୟୁ ହାରଠାରୁ ଢ଼େର ଅଧିକ। ଗତ ୨୦୧୦-୧୧ରେ ରାଜ୍ୟରେ ୨୭୯ଜଣ ବଜ୍ରପାତରେ ପ୍ରାଣ ହରାଇଥିଲେ। ୨୦୧୧-୧୨ରେ ଏହି ସଂଖ୍ୟା ଥିଲା ୩୫୨। ୨୦୧୨-୧୩ରେ ୨୯୫ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଥିବା ବେଳେ ୨୦୧୩-୧୪ରେ ୩୭୦, ୨୦୧୪-୧୫ରେ ୩୧୦, ୨୦୧୫-୧୬ରେ ୪୦୦, ୨୦୧୬-୧୭ରେ ୩୯୭ଜଣଙ୍କର ମୃତ୍ୟୁ ଘଟିଥିଲା। ଗତ ଏପ୍ରିଲ ୧ରୁ ଗତ ମାର୍ଚ ୩୧ ତାରିଖ ମଧ୍ୟରେ ସର୍ବାଧିକ ୪୫୯ଜଣଙ୍କର ମୃତ୍ୟୁ ହୋଇଥିଲା। ଗତ ଏପ୍ରିଲ୍‌ ପହିଲାରୁ ଆଜି ଯାଏଁ ଗତ ୫୩ ଦିନରେ ୬୩ଜଣଙ୍କର ପ୍ରାଣ ନେଲାଣି ବଜ୍ରପାତ। ଆଜି ବର୍ଷା ବିତ୍ପାତ ସହିତ ବଜ୍ରପାତ ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି।

ବଜ୍ରପାତର ଶିକାର ମୁଖ୍ୟତଃ ଗାଁଗଣ୍ଡାର ଚାଷୀ, ଗ୍ରାମବାସୀମାନେ ହେଉଛନ୍ତି। କାଳବୈଶାଖୀ ଅଚାନକ ଆସିଥାଏ। ଏହି ସମୟରେ ପ୍ରବଳ ଘଡ଼ଘଡ଼ି, ବଜ୍ରପାତ ହେଉଥିବାରୁ ଜମିରେ କାମ କରୁଥିବା ଚାଷୀ କିମ୍ବା ଖୋଲାରେ ବୁଲୁଥିବା ଲୋକେ ମୃତ୍ୟୁର ବିପଦ ମୁଣ୍ଡାଇଥାନ୍ତି। ଏ ନେଇ ଆଗୁଆ ସୂଚନା ପ୍ରଦାନ ପାଇଁ ସ୍ୱତନ୍ତ୍ର ଆପ୍‌ ବିକାଶ କରାଯାଉଥିବା ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। ଏହି ଆପ୍‌ ମୋବାଇଲ୍‌ରେ ସ୍ଥାପନ କରିହେବ। ଏହା ଜରିଆରେ ବଜ୍ରପାତ ହେବାର ପ୍ରାୟ ୨/୩ ଘଣ୍ଟା ପୂର୍ବରୁ ସୂଚନା ମିଳିପାରିବ।

ସମ୍ବନ୍ଧିତ ଖବର