କଳାହାଣ୍ଡି: ଟ୍ରାକ୍ଟର ଓଲଟି ୩ ମହିଳାଙ୍କ ସମେତ ୪ ମୃତ , ୭ ଗୁରୁତର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ କାଦୋପଦର ଛକ ନିକଟରେ ଟ୍ରାକ୍ଟର ଓଲଟି  ୩ ଜଣ ମହିଳା ଶ୍ରମିକ ଓ ଜଣେ ପୁରୁଷ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଶ୍ରମିକଙ୍କୁ ଗୁରୁତର  ଅବସ୍ଥାରେ ସଦରମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା -ଥୁଆମୁଳ ରାମପୁର ୪୪ ନମ୍ବର ରାଜ୍ୟ ରାଜପଥ କାଦୋପଦର ଛକ ନିକଟରେ ଟ୍ରାକ୍ଟର ଓଲଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇ ଭବାନୀପାଟଣା ସଦରମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

ଆଜି ସକାଳୁ ଭବାନୀପାଟଣା ହିଲ୍ ଟାଉନ୍  ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ଡ୍ରେନ କାମ ପାଇଁ ଲାବଣ୍ୟସର ଅଞ୍ଚଳରୁ ୧୦ ରୁ ଅଧିକ ଶ୍ରମିକ ଆସିଥିଲେ । କାମ ସାରି ଏକ ଏଚଏମଟି ଟ୍ରାକ୍ଟର ନଂ  ଓଆର ୦୮ ବି ୨୪୩୧ରେ ପ୍ରାୟ ୧୫ ଜଣ ଶ୍ରମିକ ନିଜ ଘରକୁ ଫେରୁଥିଲେ । ଫେରିବା ବାଟରେ କାଦୋପଦର ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି  ଓଲଟି ପଡିଥିଲା  । ଘଟଣାସ୍ଥଳରେ ୨ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଜଣେ ପୁରୁଷ ଓ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ମୃତ ମହିଳାମାନେ ଲାବଣ୍ୟସର ଗ୍ରାମର ଦ୍ରୌପଦୀ ମାଝୀ, ତିର୍ମେ ମାଝୀ, ସାଇବନି ମାଝୀ ଓ ପୁରୁଷ ଶ୍ରମିକ ମାନସ ମାଝୀ ବୋଲି ଜଣାପଡିଛି । ଦୁର୍ଘଟଣା ସ୍ଥଳରେ ଭବାନୀପାଟଣା ସଦର ଥାନା ପୁଲିସ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ  କରୁଛି ।

ସମ୍ବନ୍ଧିତ ଖବର