ସମ୍ବଲପୁର: ସମ୍ବଲପୁରର ସର୍ବପୂରାତନ ହାଇସ୍କୁଲ୍ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ୍ର ୧୫୦ ବର୍ଷ ପୂର୍ତ୍ତି ପାଇଁ ଡ. ଏପିଜେ ଅବଦୁଲ କାଲାମ ସମ୍ବଲପୁର ଆସିଥିଲେ। ଏହି ସ୍ମୃତିକୁ ମନେ ରଖିବା ପାଇଁ ଜିଲ୍ଲା ସ୍କୁଲ୍ ଛକ ଡ. ଏପିଜେ ଅବଦୁଲ କାଲାମ ଛକଭାବେ ନାମିତ ହେଲା। ଜିଲ୍ଲା ସ୍କୁଲ୍ ଛକରେ ଡ. କାଲାମଙ୍କ ପ୍ରତିମୂର୍ତି ଲାଗିଲା। ହେଲେ ସ୍କୁଲ୍ଟି ଯେଉଁ ମହାପୁରୁଷଙ୍କ ନାମରେ ନାମିତ ତାଙ୍କର କୌଣସି ପ୍ରତିମୂର୍ତ୍ତି ଜିଲ୍ଲା ସ୍କୁଲ୍ରେ ନାହିଁ। ୩ ବର୍ଷ ହେଲା ଚନ୍ଦ୍ରଶେଖର ବେହେରାଙ୍କ ଆବକ୍ଷ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଜିଲ୍ଲା ସ୍କୁଲ୍ ପରିସରରୁ ହଟାଇ ଦିଆଯାଇଛି। ବର୍ତମାନ ଉକ୍ତ ପ୍ରତିମୂର୍ତି କେଉଁଠି ଅଛି ତାର ପତ୍ତା ନାହିଁ। ଏହାକୁ ସ୍କୁଲ୍ର କେଉଁ ଏକ ପୁରୁଣା କୋଠରିରେ ପରିତ୍ୟକ୍ତ ଅବସ୍ଥାରେ ପକାଇ ଦିଆଯାଇଛି ବୋଲି କେହିକେହି କହୁଛନ୍ତି। ୨୦୧୪ ନଭେମ୍ବର ମାସରେ ଜିଲ୍ଲା ସ୍କୁଲ୍ର ୧୫୦ ବର୍ଷ ପୂର୍ତି ଉତ୍ସବରେ ଯୋଗ ଦେବା ପାଇଁ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କାଲାମ ସମ୍ବଲପୁର ଆସିଥିଲେ।
ଏହା ପୂର୍ବରୁ ସମ୍ବଲପୁର ଜିଲ୍ଲାର ଏହି ସର୍ବବୃହତ ସରକାରୀ ସ୍କୁଲ୍ର ନବୀକରଣ କରା ଯାଇଥିଲା। ବିଦ୍ୟାଳୟର ପୁରାତନ ଛାତ୍ର ସଂଘର ଉଦ୍ୟମ କ୍ରମେ ସ୍କୁଲ୍ରେ ସରକାରଙ୍କ ପକ୍ଷରୁ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ ନିର୍ମାଣ ସହ ବିଭିନ୍ନ ମରାମତି କାର୍ଯ୍ୟ କରାଯାଇ ଭିତ୍ତିଭୂମି ଦୃଷ୍ଟିରୁ ଏକ ଉନ୍ନତ କୋଠାରେ ପରିବର୍ତିତ କରା ଯାଇଥିଲା। ତେବେ ଉକ୍ତ ନବୀକରଣ କାର୍ଯ୍ୟ ସମୟରେ ସ୍କୁଲ୍ ପରିସରରେ ପୂଜିତ ହେଉଥିବା ଶ୍ରୀ ବେହେରାଙ୍କ ପ୍ରତିମୂର୍ତିକୁ ହଟାଇ ଦିଆ ଯାଇଥିଲା। ପ୍ରଥମେ ସ୍କୁଲ୍ ସମ୍ମୁଖରେ ଖୋଲାରେ ଥିବା ପ୍ରତିମୂର୍ତିକୁ କିଛି ବର୍ଷ ପୂର୍ବରୁ ସ୍କୁଲ୍ ଭିତରକୁ ସ୍ଥାନାନ୍ତରିତ କରା ଯାଇଥିଲା। ପରେ ମୂର୍ତିଟିକୁ ସଂପୂର୍ଣ୍ଣ ଉଠାଇ ନିଆ ଯାଇଥିଲା। ମୂର୍ତିଟି ପୁରୁଣା ହୋଇ ଯାଇଥିବାରୁ ଏହାର କିଛି ଅଂଶରେ ସାମାନ୍ୟ କ୍ଷୟ ହୋଇଥିଲା। ତେବେ ବ୍ରୋଞ୍ଜର ହୋଇଥିବାରୁ ଏହା ମରାମତି ଯୋଗ୍ୟ ଥିଲା। କିନ୍ତୁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲ୍ର ନବୀକରଣ କରାଇଥିବା ପ୍ରଶାସନ, ପୁରାତନ ଛାତ୍ର ସଂଘ ବା ସ୍କୁଲ୍ କର୍ତୃପକ୍ଷ ଶ୍ରୀ ବେହେରାଙ୍କ ପ୍ରତିମୂର୍ତି ପୁନଃସ୍ଥାପନର ଆବଶ୍ୟକତା ଅନୁଭବ କରି ନଥିଲେ। ଫଳରେ ମୂର୍ତିଟି ପରିତ୍ୟକ୍ତ ହୋଇ ଗୋଦାମରେ ପଡ଼ି ରହିବା ସାର ହୋଇଛି।
ଅପରପକ୍ଷରେ ଚନ୍ଦ୍ରଶେଖରଙ୍କ ପ୍ରତିମୂର୍ତ୍ତି ବଦଳରେ ତାଙ୍କ ଫଟୋ ଥିବା ଏକ ତାମ୍ର ଫଳକ ସ୍କୁଲ୍ରେ ଲଗା ଯାଇଛି। ତାକୁ ଏଭଳି ସ୍ଥାନରେ ଲଗାଯାଇଛି ଯାହାକୁ ସ୍କୁଲର ଅନେକ ପୂରାତନ ଛାତ୍ର, ଶିକ୍ଷକ ଓ ବୁଦ୍ଧିଜୀବୀ ଗଣ ନାପସନ୍ଦ କରୁଛନ୍ତି। ଫଳକୁ ଟିକୁ ସ୍କୁଲ୍ ପ୍ରଥମ ମହଲାକୁ ଯିବା ପାଇଁ ଥିବା ପାହାଚରେ ଲଗାଯାଇଛି। ଫଳରେ ପ୍ରତିଦିନ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଚପଲ ପିନ୍ଧି ସିଡିରେ ଚଢ଼ିବାବେଳେ ଚନ୍ଦ୍ରଶେଖରଙ୍କ ମୁଣ୍ଡ ଉପର ଦେଇ ଯାଉଛନ୍ତି। ଏହା ଏହି ମହାପୁରୁଷଙ୍କ ସମ୍ମାନ ନୁହେଁ ବରଂ ଅପମାନ ବୋଲି ଅନେକ ମତ ଦେଉଛନ୍ତି। ତେଣୁ ତୁରନ୍ତ ସେହି ସ୍ଥାନରୁ ଉକ୍ତ ଫଳକ କାଢ଼ି ତାକୁ ସସମ୍ମାନେ ଏକ ଉପଯୁକ୍ତ ସ୍ଥାନରେ ସ୍ଥାପିତ କରିବା ତଥା ସ୍କୁଲ ପରିସରରେ ସମ୍ବଲପୁର ମହାନଗର ନିଗମର ପ୍ରଥମ ଅଧ୍ୟକ୍ଷ, ସମ୍ବଲପୁରର ପ୍ରଥମ ବାରିଷ୍ଟର ତଥା ଓଡ଼ିଆ ଭାଷା ଆନ୍ଦୋଳନର ପ୍ରମୁଖ ଉଦ୍ୟୋକ୍ତା ସ୍ୱର୍ଗତ ଚନ୍ଦ୍ରଶେଖର ବେହେରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/sbp16.jpg)