ଆଉ ୪ ଦିନ କାଳବୈଶାଖୀ

ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ବର : ରାଜ୍ୟରେ ଏବେ କାଳବୈଶାଖୀଜନିତ ବର୍ଷା ଜାରି ରହିଛି। ଆସନ୍ତା ୧୫ ତାରିଖ ଯାଏ ପାଗରେ ବିଶେଷ ପରିବର୍ତ୍ତନ ନାହିଁ। ରାଜ୍ୟରେ ତାତି କମିବ ଓ ପାଗ ଥଣ୍ଡା ରହିବ। ଗତକାଲି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କୋରାପୁଟ ଜିଲ୍ଲା ଲମତାପୁଟଠାରେ ସର୍ବାଧିକ ୮୦ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି କଳାହାଣ୍ଡି ଲାଞ୍ଜିଗଡ଼ରେ ୩୦ ମିମି, କନ୍ଧମାଳ ନୂଆଗାଁ ଓ ଗଜପତି ଜିଲ୍ଲା ଆର୍‌ ଉଦୟଗିରିରେ ୨୦ ମିମି ଲେଖାଏଁ ଏବଂ ରାୟଗଡ଼ାଠାରେ ୧୦ ମିମି ବର୍ଷା ହୋଇଯାଇଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳ‌ବୈଶାଖୀ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏନେଇ ଏସଆରସି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦେଇଛନ୍ତି।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ପର୍ଯ୍ୟନ୍ତ ରହିବ। ସେହିଭଳି ୧୩ ତାରିଖ ଦିନ ମାଲକାନଗିରି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ଏବଂ ୧୪ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ଝଡ଼ବର୍ଷା ହେବ। ୧୫ ତାରିଖ ଦିନ ପବନର ବେଗ ବଢ଼ିବ। ଘଣ୍ଟାପ୍ରତି ୩୦ରୁ ୪୦ ମିମି ବେଗରେ ପବନ ବହିବା ସହ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର ଓ ଭଦ୍ରକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା‌ରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ। ଆସନ୍ତାକାଲି ଭୁବନେଶ୍ବର ସମେତ ଏହାର ସଂଲଗ୍ନ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ପାଖାପାଖି ରହିବ।

ସମ୍ବନ୍ଧିତ ଖବର