ଡରାଇଲାଣି କାଳବୈଶାଖୀ, ୨୨ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦେଶ

ଭୁବନେଶ୍ୱର : ଆଜି କାଳବୈଶାଖୀ ବର୍ଷାରେ ବେହାଲ ହୋଇଛି ସାରା ଓଡ଼ିଶା। ଉପକୂଳରୁ ପଶ୍ଚିମ ଓଡ଼ିଶା ସବୁଠି କାଳବୈଶାଖୀ ତାଣ୍ଡବ ରଚନା କରିଛି। ମୂଷଳ ଧାରା ବର୍ଷା ସାଙ୍ଗକୁ ପବନ ମାଡ଼ ଫଳରେ ଉପକୂଳ ଓଡ଼ିଶାବାସୀ ହନ୍ତସନ୍ତ ହୋଇଛନ୍ତି। ବିଦ୍ୟୁତ୍‌ ତାର ଛିଣ୍ଡିବା ଦ୍ୱାରା ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଛି। ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। କେନ୍ଦୁଝରରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ଲାଗି ୨୨ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ ଗତକାଲି ରାତିଠାରୁ ଝଡ଼ବର୍ଷା ହୋଇଥିବା ବେଳେ ଆଜି ଭୋରୁ ଉପକୂଳ ଓଡ଼ିଶାରେ ମୁଷଳ ଧାରାରେ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୫୦ କି.ମି. ବେଗରେ ପବନ ହୋଇଥିଲା। ଭୁବନେଶ୍ୱର, କଟକ, ପୁରୀ, ଜଗତ୍‌ସିଂହପୁର ଜିଲ୍ଲାରେ ଲଗାଣ ବର୍ଷା ହେବା ଦ୍ୱାରା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଲୋକେ। ମାତ୍ର ୩ ଘଣ୍ଟା ମଧ୍ୟରେ ଜଳାର୍ଣ୍ଣବ ହୋଇଥିଲା ସାରା ରାଜଧାନୀ। ଯୁଆଡେ ଚାହିଁଲେ ପାଣି ହିଁ ପାଣି ଦେଖିବାକୁ ମିଳିଥିଲା। ୩ ଘଣ୍ଟା ମଧ୍ୟରେ ଏଠାରେ ୬୮.୮ ମି.ମି. ବର୍ଷା ହେବାରୁ ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇଥିଲେ।

ରାଜଧାନୀର ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ସିଟି େଓ୍ଵମେନ୍ସ କଲେଜ ରାସ୍ତା, ଶିଶୁ ଭବନ ଛକ, ଫରେଷ୍ଟ ପାର୍କ ଅଞ୍ଚଳରେ ଆଣ୍ଟୁଏ ଉଚ୍ଚର ପାଣି ଢ଼େଉ ଭାଙ୍ଗିଥିଲା। ଫଳରେ ଜୀବନଯାତ୍ରା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା। ଫରେଷ୍ଟ ପାର୍କ ଅଞ୍ଚଳରେ ରାସ୍ତା ଉପରେ ପାଣି ଢ଼େଉ ଖେଳୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଯିବା ରାସ୍ତାର ଗତିପଥ ପରିବର୍ତନ କରାଯାଇଥିଲା। ବିମାନବନ୍ଦର ରାସ୍ତା ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସଚିବାଳୟ ଯିବାକୁ ପଡ଼ିଥିଲା।

ସେପଟେ ଲିଙ୍ଗରାଜ ଷ୍ଟେସନଠାରୁ ଦୁଇ କି.ମି. ଦୂରରେ ରେଳ ଲାଇନ୍‌ ଉପରେ ୩୩ କେଭି ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିବାରୁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଥିଲା। ପୁରୀ-କଟକ ପ୍ୟାସେଞ୍ଜର ଟ୍ରେନ୍‌ ଅଟକି ରହିଥିଲା। ପ୍ରାୟ ଦୁଇ ହଜାର ଯାତ୍ରୀ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ଆଉ କେତେକ ସ୍ଥାନରେ ସିଗ୍‌ନାଲ ଫେଲ୍‌ ଯୋଗୁଁ ଟ୍ରେନ୍‌ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ବିମାନ ଚଳାଚଳ ବି ପ୍ରଭାବିତ ହୋଇଛି। ପୂର୍ବାହ୍ନ ୯ଟା ୧୬ରେ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଭିସ୍ତାରା ବିମାନ ‘୭୮୫’ ଅବତରଣ କରି ନ ପାରି କଲିକତା ପଳାଇ ଯାଇଥିଲା।

ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ଆକଳନ କହୁଛି ଯେ ଆସନ୍ତା ୨୪ ଘଣ୍ଟା ପାଇଁ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୩୦ ତାରିଖ ଯାଏ ଏଭଳି ବର୍ଷା ଜାରି ରହିବ। ଘୂର୍ଣ୍ଣିବଳୟ ରହୁଥିଲେ ମଧ୍ୟ ଓଡ଼ିଶା ଉପରେ ତାହାର ସେଭଳି ପ୍ରଭାବ ପଡ଼ିବ ନାହିଁ। ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ୨୮ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଜାରି ରହିବ। ଆସନ୍ତାକାଲି ପାଗ ମେଘୁଆ ରହିବ। ଗଞ୍ଜାମ, ଗଜପତି ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ। ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ କାଳବୈଶାଖୀ ପ୍ରଭାବ ପଡ଼ିବ।

ଅନ୍ୟପକ୍ଷରେ କାଳବୈଶାଖୀକୁ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମେ’ ମାସରେ ଏଭଳି ବର୍ଷାକୁ ଅସ୍ୱାଭାବିକ କହିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ବର୍ଷା ସହ ବଜ୍ରପାତ ଯୋଗୁଁ ଗତ ଏପ୍ରିଲରୁ ମେ’ ୨୨ ମଧ୍ୟରେ ୬୧ ଜଣଙ୍କ ମୃତ୍ୟୁ ହୋଇଛି। କାଳବୈଶାଖୀ ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ରାଜ୍ୟସ୍ତରରେ ନିୟନ୍ତ୍ରଣ କକ୍ଷ ନମ୍ବର ‘୧୦୭୯’ ରହିଥିବା ବେଳେ ଜିଲ୍ଲାସ୍ତରରେ ନିୟନ୍ତ୍ରଣ କକ୍ଷ ନମ୍ବର ‘୧୦୭୭’ ରହିଛି। ସାପ କାମୁଡ଼ିଲେ କିମ୍ବା ବଜ୍ରପାତ ହେଲେ ମଧ୍ୟ ନିୟନ୍ତ୍ରଣ କକ୍ଷକୁ ଲୋକେ ଫୋନ୍‌ କରିପାରିବେ। ସାଧାରଣ ଲୋକଙ୍କୁ ସ୍ମାର୍ଟ ଫୋନ୍‌ରେ ବଜ୍ରପାତର ଆଗୁଆ ସୂଚନା ମିଳିପାରିବ। ବଜ୍ରପାତର ଦୁଇ କିମ୍ବା ତିନି ଘଣ୍ଟା ପୂର୍ବରୁ ମୋବାଇଲ୍‌ ଆପ୍‌ରେ ସୂଚନା ଦିଆଯିବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର