ରାୟଗଡ଼ା : ଗଛ ଉପୁଡି ଟ୍ରାକ୍‌ ଉପରେ ପଡିବାରୁ ବାଟରେ ଅଟକିଗଲା ବିଶାଖାପାଟଣା-କୋରାପୁଟ ଟ୍ରେନ୍‌। ଦୀର୍ଘ ସମୟ ପର୍ଯ୍ୟନ୍ତ ନଘୁଞ୍ଚିବାରୁ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ରାୟଗଡ଼ା ଠାରୁ କିଛି ଦୂର‌ରେ ଏହି ଘଟଣା ଘଟିଛି। ତେବେ ଏହି ଅଘଟଣରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି।

Advertisment

ଟ୍ରେନ୍‌ (ନମ୍ବର ୦୮୫୪୬) ଅପରାହ୍ନ ୨ଟା ୧୩ରେ ରାୟଗଡ଼ା ଷ୍ଟେସନ ଛାଡିଥିଲା। କିଛିବାଟ ଯିବା ପରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ବିଜୁଳି ମାରି ପ୍ରବଳ ବର୍ଷା ହୋଇଥିଲା। ଯାହାଫଳରେ ଟ୍ରକ୍‌ କଡରେ ରହିଥିବା ଗଛ ଉପୁଡି ଯାଇଥିବା ବେଳେ କିଛି ଗଛର ଡାଳ ଭାଙ୍ଗି ଟ୍ରେନ୍‌ ଉପରେ ପଡିଥିଲା। ଗଛଡାଳ ସବୁ ଗାଡିର ଇଞ୍ଜିନ ଓ ବଗିରେ ମଧ୍ୟ ପଶି ଯାଇଥିଲା। ଫଳରେ ଟ୍ରେନ୍‌କୁ ଅଟକା ଯାଇଥିଲା। ରେଳ କର୍ମଚାରୀ ପହଞ୍ଚି ଡାଳ ଗୁଡ଼ିକୁ କାଟିବା ସହ ଟ୍ରାକ୍‌ ସଫା କରିଥିଲେ। ଟାୱାର ୱାଗନ ରାୟଗଡ଼ାରୁ ପହଞ୍ଚି ସହଯୋଗ କରିଥିଲା।