ବଲାଙ୍ଗୀରରେ କାଳବୈଶାଖୀ ତାଣ୍ଡବ: ଘଡ଼ଘଡ଼ି ବର୍ଷା ସାଙ୍ଗକୁ କରା ମାଡ଼, ବ୍ୟାପକ କ୍ଷୟକ୍ଷତି

ବଲାଙ୍ଗୀର : ବଲାଙ୍ଗୀର ସହରରେ ସୋମବାର କାଳବୈଶାଖୀର ତାଣ୍ଡବ ଦେଖାଦେଇଛି। ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ କରାମାଡ଼ ହୋଇଛି। ଅପରାହ୍‌ଣ ୩ଟାରୁ ପ୍ରବଳ ବେଗରେ ପବନ ବହି ବର୍ଷା ସହ କରାମାଡ଼ ମାଡ଼ ହୋଇଥିଲା। ପ୍ରବଳ କରାମାଡ଼ ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକିଥିଲେ। କରାମାଡ଼ ପରିବା ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି କରିଛି। ଏପରିକି ସହରରେ ବୁଲା ଗୋରୁ, କୁକୁର ଆହତ ବି ହୋଇଛନ୍ତି। ଅନେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ସହରର ଅନେକ ଜାଗାରେ ବିଦ୍ୟୁତ୍‌ ତାର ଛିଣ୍ଡିବାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ବିଜୁଳି ଘଡ଼ଘଡ଼ି ପବନ ଯୋଗୁଁ ବହୁ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। ସହରର ହାତୀଶାଳପଡ଼ା ହୋଟେଲ ଏସ୍‌.ଜେ. ରେଜେନ୍ସିର ବ୍ୟାପକ କ୍ଷତି ହୋଇଛି। ରାସ୍ତାରେ ଯାଉଥିବା ଲୋକେ ହଇରାଣ ହରକତ ହୋଇଥିଲେ।

ହାତୀଶାଲପଡ଼ାରେ ଗଛପଡ଼ି ଯାତାୟାତ ଠପ୍‌
ବଲାଙ୍ଗୀର ସହରର ହତୀଶାଲପଡ଼ାରେ ଦୁଇଟି ଗଛ ରାସ୍ତା ଉପରେ ପଡ଼ି ଲୋକଙ୍କ ଯାତାୟାତ ଠପ୍ ହୋଇଯାଇଥିଲା। ଅଳ୍ପକେ ବର୍ତ୍ତି ଯାଇଥିଲେ ସ୍ଥାନୀୟ ଲୋକେ। ଗଛ ପଡ଼ି ତଳେ ଥିବା ସ୍କୁଟି ଚାପି ହୋଇଯାଇଥିଲା। ବିଦ୍ୟୁତ୍‌ ଖୁଣ୍ଟ ଉପରେ ଗଛ ପଡ଼ିବାରୁ ପାଖରେ ଥିବା ଟ୍ରାନ୍ସଫର୍ମର ଜଳିଯାଇ ଜୋରଦାର ଶବ୍ଦ ହୋଇଥିଲା। ଫଳ‌ରେ ଲୋକେ ଭୟଭୀତ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଓ ବିଦ୍ୟୁତ୍‌ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ସ ବିଦ୍ୟୁତ୍ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ରାସ୍ତାକଡ଼ରୁ ଗଛକୁ ହଟାଇଥିଲେ। ସହରର ବିଭିନ୍ନ ରାସ୍ତା କଡ଼ରେ ଗଛ ପଡ଼ିଥିବାରୁ ଲୋକେ ଯିବା ଆସିବାରେ ହନ୍ତସନ୍ତ ହୋଇଥିଲେ।


ସାମ୍ବାଦିକ ଭବନରେ ବ୍ୟାପକ କ୍ଷତି
ବଲାଙ୍ଗୀର ସାମ୍ବାଦିକ ଭବନ ନିକଟରେ ୩୩ କେଭି ବିଦ୍ୟୁତ ତାର ଛିଣ୍ଡିବାରୁ ଜୋରଦାର ବ୍ଲାଷ୍ଟିଂ ହୋଇଥିଲା। ସଟ୍‌ସର୍କିଟରେ ସାମ୍ବାଦିକ ଭବନର ୱେରିଂ ପୋଡ଼ି ଯାଇଥିଲା। ନିଆଁ ଲାଗିଥିଲା। ଠିକ ସମୟରେ ଅଗ୍ନିଶମ ବିଭାଗ ଗାଡ଼ି ପହଞ୍ଚି ସାମ୍ନାରେ ଥିବା ବିଦ୍ୟୁତ ଖୁଣ୍ଟରୁ ନିଆଁକୁ ଆୟତ୍ତ କରିବାରୁ ଅଧିକ କ୍ଷୟକ୍ଷତିକୁ ରୋକାଯାଇ ପାରିଥିଲା। ସାମ୍ବାଦିକ ଭବନ ସାମ୍ନାର ଜେରକ୍ସ ଦୋକାନର ସବୁ ମେସିନ ଜଳିଯାଇଥିବା ବେଳେ ସାମ୍ବାଦିକ ଭବନର ଏସି ଓ ସବୁ ତାର ଜଳି ଛାରଖାର ହୋଇଯାଇଛି।

ହୋଟେଲକୁ ମାଡ଼ କଲା ପବନ
ପ୍ରବଳ ପବନ ସୋମବାର ଦିନ ସହରର ନିର୍ଦ୍ଦିଷ୍ଟ କିଛି ସ୍ଥାନରେ ଅଧିକ ମାଡ଼ କରିଥିଲା। ଭେଟେନାରି ଅଫିସ ସାମ୍ନାରେ ଥିବା ହୋଟେଲ ଏସ୍‌ଜେ ରେଜେନ୍ସିରେ ପବନ ଓ କରାମାଡ଼ ହେବା ପରେ ସାମ୍ନା ପଟରେ ଥିବା ଏସ୍‌ଇପି ଉଡ଼ିଯାଇଥିଲା। ଏପରିକି ପଛ ପଟର ଏସ୍‌ଇପି ବି ପବନରେ ଉଡ଼ିଯାଇଥିଲା। ହୋଟେଲ ମାଲିକ ଲୋଟସ ଷଡ଼ଙ୍ଗୀଙ୍କ କହିବାନୁସାରେ, ହଠାତ୍‌ ପ୍ରବଳ ପବନ ଯୋଗୁଁ ସବୁ ଛାରଖାର ହୋଇଥିଲା। ପବନ ସହ ବର୍ଷା ଓ କରାମାଡ଼ ହୋଟେଲର ଏସ୍‌ଇପି ସହ ବିଭିନ୍ନ କ୍ଷୟକ୍ଷତି କରିଛି। ପ୍ରାୟ ୧୫ ଲକ୍ଷରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର