କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ତଥା ଆଖପାଖ ଅଞ୍ଚଳରେ ଗୁରୁବାର ସନ୍ଧ୍ୟା ୭.୩୦ରେ ହଠାତ୍ କାଳବୈଶାଖୀ ଝଡ଼ ସହ ବର୍ଷା ହୋଇଥିଲା। ଝଡ଼ ତୋଫାନ ଯୋଗୁଁ ଅନେକ ଦୋକାନର ଆଜବେଷ୍ଟସ ଭାଙ୍ଗିଯାଇଥିଲା। ବଙ୍ଗୋମୁଣ୍ଡା ରାସ୍ତାରେ ଆର୍ଏମ୍ସି ପାଖରେ ତେନ୍ତୁଳି ଗଛ, ଚାଉଳ ଗୋଦାମ ପାଖ ବମୁର ଗଛ ଭାଙ୍ଗିଯାଇଛି। ୧୧ ନମ୍ବର ୱାର୍ଡରେ ଗଛ ପଡ଼ିଯିବାରୁ ଅନେକ ସମସ୍ୟା ସୃଷ୍ଟି ହୋଇଛି। ରାସ୍ତା ଉପରେ ବଡ଼ ବଡ଼ ଗଛ ପଡ଼ିଯିବାରୁ ଯାତାୟାତ ମଧ୍ୟ ବନ୍ଦ ହୋଇଛି।
ସେହିପରି ୧୨ ନମ୍ବର ୱାର୍ଡରେ ବିଦ୍ୟୁତ କେବୁଲରେ ଗଛ ପଡ଼ିଯିବାରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି। ବିଦ୍ୟୁତ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗଛ କାଟିବା ସହ ବିଦ୍ୟୁତ ତାର ଯୋଡ଼ିବାରେ ଲାଗିପଡ଼ିଛନ୍ତି। ସେହିପରି ଆଶ୍ରମ ପଡ଼ା ଓ ଚଟୁଅନକା ରାସ୍ତାରେ ମଧ୍ୟ ଅନେକ ବଡ଼ ବଡ଼ ଗଛ ପଡ଼ିଥିବା ସୂଚନା ମିଳିଛି। ପାଖ ଗାଁ କୁକୁଡ଼ାହାଡ଼ର ବୈକୁଣ୍ଠ ପୁଟେଲ ନାମକ ଜଣେ ଦୋକାନୀଙ୍କ ଟିଣଚଦର ଛାତ ଉଡ଼ିଯାଇଛି।