ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ

ଭୁବନେଶ୍ବର : ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ। ଆସନ୍ତାକାଲି ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ଜୋର୍‌ରେ ପବନ ବହିବା ସହ ବିଜୁଳି, ଘଟଘଡ଼ି ଓ ଝଡ଼ବର୍ଷା ହେବ। ସେହିପରି ୧୧ ତାରିଖ ଦିନ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ସୋନପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ରେ ଏବଂ ୧୨ ତାରିଖ ଦିନ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, କଟକ, ଅନୁଗୁଳ, ଢେଙ୍କାନାଳ ଓ ମୟୂରଭଞ୍ଜରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ଫଳରେ ରାଜ୍ୟର ତାପମାତ୍ରା ଆସନ୍ତା ୨୪ଘଣ୍ଟା ମଧ୍ୟରେ ୨ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଘଟିବ। ତେବେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏପରି ସ୍ଥିତି ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

କେନ୍ଦ୍ରର ସୂଚନାନୁଯାୟୀ, ଗତକାଲି ରାଜ୍ୟର ୯ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ଆଜି ସୁନ୍ଦରଗଡ଼ ଛଡ଼ା ସମସ୍ତ ଜିଲ୍ଲା‌ରେ ପାରଦ ୪୦ ଡିଗ୍ରି ତଳକୁ ଖସି ଆସିଛି। ରାଜ୍ୟର ସର୍ବାଧିକ ତାପମାତ୍ରା ଆଜି ସୁନ୍ଦରଗଡ଼ଠାରେ ୪୦ଡିଗ୍ରି ରେକର୍ଡ କରାଯାଇଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ହେବା ସହ ସାମୁଦ୍ରିକ ପବନ ପ୍ରବାହିତ ହେବ। ଗତକାଲି ରାଜଧାନୀରେ ପାରଦ ୩୬ ଡିଗ୍ରି ଉପରେ ରହିଥିବ‌ା ‌ବେଳେ ରାତିର କାଳବୈଶାଖୀ ପରେ ତାପମାତ୍ରା ଖସିଛି। ଆଜି ପ୍ରାୟ ଦେଢ଼ ଡିଗ୍ରି ଖସି ତାପମାତ୍ରା ୩୪.୯ ଡିଗ୍ରି ହୋଇଛି। ଆସନ୍ତାକାଲିଠାରୁ ରାଜଧାନୀରେ କାଳବୈଶାଖୀ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଉଥିବାରୁ ରାଜଧାନୀର ପରିବେଶ ଏବେ ଥଣ୍ଡା ରହିବ ବୋଲି କେନ୍ଦ୍ର କହିଛି।

ସମ୍ବନ୍ଧିତ ଖବର