ପୁରୀ : ଆଜି ରାତି ପ୍ରାୟ ୯ଟାରେ କାଳବୈଶାଖୀ ପ୍ରଭାବରେ ପୁରୀ ସହର ସମେତ ବିଭିନ୍ନ ସ୍ଥାନରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ପବନର ବେଗ ଏତେ ରହିଥିଲା ଯେ ଏହା ପୁଣି ଥରେ ମାସକ ତଳର ପ୍ରଳୟଙ୍କରୀ ବାତ୍ୟା ‘ଫନି’ ସ୍ମୃତିକୁ ତାଜା କରି ଦେଇଥିଲା। ଭୟରେ ଲୋକେ ଦୋକାନ ବଜାର ବନ୍ଦ କରି ଦେଇଥିଲେ। ପବନରେ ଅନେକ ଟିଣ ଆଜବେଷ୍ଟସ୍ ଉଡ଼ି ଯାଇଥିବା ବେଳେ ଚାଳଛପର ଘର କ୍ଷତିଗ୍ରସ୍ତ ହୋଇଛି। ବଡ଼ଦାଣ୍ଡରେ ଥିବା ଉଠା ଦୋକାନୀମାନେ କଲବଲ ହୋଇଛନ୍ତି। ଆଜି ରାତି ୯ଟାରେ ହଠାତ୍ ପ୍ରବଳ ବେଗରେ ପବନ ବହିବା ଆରମ୍ଭ କରିଥିଲା। ଯେଉଁଥି ପାଇଁ ବିଜୁଳ ସରବରାହ ପ୍ରଭାବିତ ହୋଇଥିଲା। ବିଜୁଳି କାଟ୍ ଯୋଗୁ ସାରା ସହରରେ ଘନ ଅନ୍ଧକାର ଘୋଟି ଯାଇଥିଲା। ସମାନ ଅବସ୍ଥା ଗ୍ରାମାଞ୍ଚଳରେ ବି ଦେଖିବାକୁ ମିଳିଛି। ବ୍ରହ୍ମଗିରି, କୃଷ୍ଣପ୍ରସାଦ, କଣାସ, ସତ୍ୟବାଦୀ, ଡେଲାଙ୍ଗ, ପିପିଲିରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା, ପବନ ସାଙ୍ଗକୁ ଛାତି ଥରାଇଦେଲା ଭଳି ବିଜୁଳି ଘଡ଼ଘଡ଼ି ଲୋକଙ୍କୁ ଆତଙ୍କିତ କରିଥିଲା। ଯେଉଁ ବିଦ୍ୟୁତ୍ ଖୁଣ୍ଟି ପୋତା ହୋଇଥିଲା, ବର୍ଷା ପବନରେ ଏହା କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପଟେ ପୌରସଂସ୍ଥା ଯେଉଁ ନାଳ ସଫେଇ କରିଥିଲା ବର୍ଷା ପାଣିରେ ଏହା ପୁନର୍ବାର ନାଳ ଭିତରେ ପଶିଛି। ଫଳରେ ବଡ଼ଦାଣ୍ଡ ସମେତ ସହରର ଗଳିକନ୍ଦିରେ ଥିବା ନାଳନର୍ଦ୍ଦମା ପୁନର୍ବାର ଜାମ୍ ହୋଇଛି। ବର୍ଷା ଜଳ ନିଷ୍କାସନ ହୋଇ ନପାରି ବଡ଼ଦାଣ୍ଡ ସମେତ ଅନ୍ୟାନ୍ୟ ସ୍ଥାନ ଉବୁଟୁବୁ ହୋଇଛି। ବଡ଼ଦାଣ୍ଡରେ ଆଣ୍ଠୁଏ ଉଚ୍ଚରେ ପାଣି ଲହଡ଼ି ଭାଙ୍ଗିଛି।
ପୁରୀରେ କାଳବୈଶାଖୀ ତାଣ୍ଡବ, ବଡ଼ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ପାଣି
/sambad/media/post_attachments/wp-content/uploads/2019/06/puri-f.jpg)
/sambad/media/agency_attachments/2024-07-24t043029592z-sambad-original.webp)