୨୨ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶାରେ କମିଛି ତାତି। ସବୁଠି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିଛି। ଶନିବାର ୪୦ ଡିଗ୍ରି ଛୁଇଁଥିବା କଟକର ତାପମାତ୍ରା ଆଜି ୩୪.୮ ଡିଗ୍ରିକୁ ଖସି ଆସିଛି। ଭୁବନେଶ୍ବରର ତାପମାତ୍ରା ପ୍ରାୟତଃ ସ୍ଥିର ‌ରହିଛି। ବାଲେଶ୍ବର ସମେତ ପାରାଦୀପ, ପୁରୀ, ଗୋପାଳପୁର, ବାରିପଦା, କେନ୍ଦୁଝର, ଦାରିଙ୍ଗବାଡ଼ିରେ ତାପମାତ୍ରା ୩୫ ଡିଗ୍ରି ତଳକୁ ଖସିଛି। ତେବେ ଟିଟିଲାଗଡ଼ ତାପମାତ୍ରା ଅପରିବର୍ତ୍ତିତ ରହିଛି। ଗତକାଲି ପରି ଆଜି ମଧ୍ୟ ୪୨ ଡିଗ୍ରି ଥିଲା। ମାଲକାନଗିରିର ତାପମାତ୍ରା ୪୦.୫ ଡିଗ୍ରିକୁ ଖସି ଆସିଥିବା ବେଳେ ଭବାନୀପାଟଣାରେ ୪୦.୫ ଓ ସୋନପୁରରେ ୪୦ ଡିଗ୍ରି ରହିଛି। କେତେକ ସ୍ଥାନରେ ବର୍ଷା ହୋଇଥିବାରୁ ଲୋକଙ୍କୁ ତାତିରୁ ଟିକିଏ ନିସ୍ତାର ମିଳିଛି। ମଙ୍ଗଳବାର ମଧ୍ୟ ସମାନ ସ୍ଥିତି ଲାଗିରହିବ। ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଛି। ଏହାପରେ କିନ୍ତୁ ପାଗ ବଦଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆକଳନ କରାଯାଇଛି ଯେ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ୨୨ ଜିଲ୍ଲାରେ ହାଲକା ବର୍ଷା ସହ କାଳବୈଶାଖୀ ଆଶଙ୍କା ରହିଛି। ମୟୂଭରଞ୍ଜ ସମେତ ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଗଞ୍ଜାମର ଅଧିକାଂଶ ସ୍ଥାନରେ ପ୍ରଭାବ ରହିବ। ଏଥିସହ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ପ୍ରଭାବ ଜାରି ରହିବ। ତେବେ ପଶ୍ଚିମ ଓଡ଼ିଶାରେ ପୂର୍ବଭଳି ତାପମାତ୍ରା ବଢ଼ିବ।

ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଟ୍ରପ୍‌ ଲାଇନ୍‌ ପ୍ରଭାବରେ କାଳବୈଶାଖୀ ଲାଗିରହିଛି। ମଙ୍ଗଳବାର ରାତି ପର୍ଯ୍ୟନ୍ତ ପାଗ ଖରାପ ରହିବ। କାଳବୈଶାଖୀ ବର୍ଷା ହୋଇପାରେ। ଏପ୍ରିଲ ପ୍ରଥମ ସପ୍ତାହ ଏଭଳି ସ୍ଥିତି ଲାଗିରହିବ। ଦ୍ବିତୀୟ ସପ୍ତାହ ବେଳକୁ କିନ୍ତୁ ପାଗ ବଦଳିବ। ଉପକୂଳ ଓଡ଼ିଶାରେ ଦିନର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ପଶ୍ଚିମ ଓଡ଼ିଶାର ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ। ଗୋଟିଏ ଦୁଇଟି ସ୍ଥାନରେ ୪୪ ଡିଗ୍ରି ଛୁଇଁପାରେ।

ସମ୍ବନ୍ଧିତ ଖବର