ସକ୍ରିୟ ହେଉଛି ମୌସୁମୀ : ୨ ଦିନ କାଳବୈଶାଖୀ, ରାଜ୍ୟର ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : କେନ୍ଦ୍ରୀୟ ଆରବ ସାଗର, ଦକ୍ଷିଣ ପଶ୍ଚିମ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ-ପୂର୍ବ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର‌ର କିଛି ସ୍ଥାନ ସମେତ କର୍ଣ୍ଣାଟକ, ତାମିଲନାଡୁ, ପୁଡୁଚେରୀ ଓ କରାଇକଲ୍‌ରେ ମୌସୁମୀ ବାୟୁ ସକ୍ରିୟ ହେବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଆସନ୍ତା ୨ ଦିନ ମଧ୍ୟ‌ରେ ଏହା ଦେଶର ଅଧିକାଂଶ ସ୍ଥାନ‌ରେ ବର୍ଷା କରାଇବ। ୮ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୦ ତାରିଖ ଆଡ଼କୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସହ ଓଡ଼ିଶାକୁ ପ୍ରବେଶ କରିବ ମୌସୁମୀ। ଆଞ୍ଚଳିକ ପାଣିପାଗ ବିଜ୍ଞ‌‌ାନ କେନ୍ଦ୍ର ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌. ଆର୍‌ ବିଶ୍ବାସଙ୍କ ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲା‌ଗି ରହିବ। ତେବେ ୬, ୭ ତାରିଖରେ ରାଜ୍ୟରେ କାଳବୈଶାଖୀ ବର୍ଷା ହେବ। ୬ ତାରିଖରେ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ‌ହେବା ସହ ୭ ତାରିଖ ଦିନ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। କେନ୍ଦ୍ର ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅପରପକ୍ଷେ ଗତ ୨୪ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇଯାଇଛି। ରାଜ୍ୟର ବାକି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଛି। ବାରିପଦାରେ ସର୍ବାଧିକ ‌୧୦୬ ମିଲିମିଟର ବର୍ଷା ହୋଇଛି। ଅନୁଗୁଳ ଜିଲ୍ଲା ଆ‌ଠମଲିକରେ ୬୪.୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ମୟୂରଭଞ୍ଜ ଶ୍ୟାମାଖୁଣ୍ଟାଠାରେ ୬୪.୦ ମିମି ବର୍ଷା ହୋଇଛି। ରାଜ୍ୟରେ ପାରଦ ସ୍ତର ଏବେ କମିବାରେ ଲାଗିଛି ଓ ତାପମାତ୍ରା ୪୦ ଡିଗ୍ରି ତଳକୁ ରହିଛି। ଭବାନୀପାଟଣାରେ ଆଜି ସର୍ବାଧିକ ତାପମାତ୍ରା ୩୯ ଡିଗ୍ରି ରେକର୍ଡ କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ବି ଏବେ ସାଧାରଣଠାରୁ କମ୍‌ ରହିଛି। ଆସନ୍ତା ଦୁଇ ଦିନରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବଙ୍ଗୋପସାଗରର ଆହୁରି କିଛି ଅଞ୍ଚଳ‌ରେ ସକ୍ରିୟ ହେବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ୧୦ ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଶ୍ରୀ ବିଶ୍ବାସ କହିଛନ୍ତି।

ସମ୍ବନ୍ଧିତ ଖବର