ଉତ୍ତର ଓଡ଼ିଶାରେ କାଳବୈଶାଖୀ

ରେମୁଣାରେ କୁଆପଥର ମାଡ଼ରେ ୨୦ରୁ ଅଧିକ ଆହତ

ଶହ ଶହ ହେକ୍ଟର ଜମିରେ ବ୍ୟାପକ ଫସଲ ନଷ୍ଟ
ବାଲେଶ୍ୱର ଓ ଭଦ୍ରକ ସମେତ ଆଂଶିକ ମୟୂରଭଞ୍ଜ ପ୍ରଭାବିତ
ଦୀର୍ଘ ସମୟ ଧରି ଅନ୍ଧାରରେ ଅଧା ଉତ୍ତର ଓଡ଼ିଶା

ବାଲେଶ୍ୱର : ଅଦିନିଆ କାଳବୈଶାଖୀ ବର୍ଷା ଉତ୍ତର ଓଡ଼ିଶାରେ ତାଣ୍ଡବ ରଚିଛି। ମାତ୍ର ଘଣ୍ଟାଏ ବର୍ଷାରେ ବାଲେଶ୍ୱର, ଭଦ୍ରକ ସମେତ ମୟୂରଭଞ୍ଜର କିଛି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କୁଆପଥର ମାଡ଼ରେ ତିନୋଟି ଜିଲ୍ଲାରେ ୨୫ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। କୁଆପଥର ଗୁଡିକର ଓଜନ ପ୍ରାୟ ୫ ଶହ ଗ୍ରାମରୁ ୨ କିଲୋ ଗ୍ରାମ୍‌ ମଧ୍ୟରେ ଥିବାରୁ ଶହେରୁ ଅଧିକ ଲୋକଙ୍କ ଘରର ଛାତ ନଷ୍ଟ ହୋଇଯାଇଛି। ଶହ ଶହ ହେକ୍ଟର ଜମିରେ ରବି ଫସଲ ନଷ୍ଟ ହୋଇଯାଇଛି। ବିଶେଷ କରି ତରଭୁଜ, ବନ୍ଧାକୋବି, ପୋଟଳ, ବାଇଗଣ, ଜହ୍ନି ପ୍ରଭୃତି ପରିବା ନଷ୍ଟ ହୋଇଯାଇଛି। ବାଲେଶ୍ୱର ଜିଲ୍ଲାର ରେମୁଣା ସମେତ ନୀଳଗିରି, ସିମୁଳିଆ, ସୋର, ବାହାନଗା ପ୍ରଭୃତି ଅଞ୍ଚଳରେ ପ୍ରବଳ ଝଡ଼ ତୋଫାନ ହୋଇଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ୍‌। ରେମୁଣାର ବଡପାଳ, ମନ୍ଦାରପୁର ଓ ହାତିଆଗଣ୍ଡ ପ୍ରଭୃତି ଅଞ୍ଚଳରେ କାମ କରୁଥିବା ୨୦ରୁ ଅଧିକ ଶ୍ରମିକ କୁଆପଥର ମାଡରେ ଆହତ ହୋଇଛନ୍ତି। ସମସ୍ତଙ୍କୁ ରେମୁଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ବଡପାଳ ଗାଁର ରାଜମିସ୍ତ୍ରୀ କାମ କରୁଥିବା କରୁଣାକର ସେଠୀ(୬୦), ମଳାରପୁର ଗାଁର ଜେମ ଦାସ(୫୫), ବଡପାଳର ମାୟାଧର ରାଉତ(୬୨) ଓ ଶ୍ରୀମତି ସିଂହ(୪୫) ପ୍ରମୁଖଙ୍କ ଅବସ୍ଥା କିଛିଟା ଗୁରୁତର ଥିବା ଜଣାପଡିଛି। କାଳବୈଶାଖୀ ପ୍ରଭାବରେ ବେତନଟୀ ଓ ବୈଶିଙ୍ଗାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ବଡସାହି ବ୍ଲକର ନାଖରା, ନଣକୁଆ, ମାଣତ୍ରୀ ପ୍ରଭୃତି ଅଞ୍ଚଳରେ ବହୁ ଘରର ଛାତ ନଷ୍ଟ ହୋଇଥିବା ବେଳେ, କିଛି ସ୍ଥାନରେ ଗଛ ପଡ଼ି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇଥିଲା। ସେପଟେ କୁଆପଥର ମାଡ଼ରେ କୁଆମରାରେ ମଧ୍ୟ ବ୍ୟାପକ ଫସଲ ନଷ୍ଟ ହୋଇଛି। ବହଳଦା ବ୍ଲକର ଝରାଡିହି ପଞ୍ଚାୟତର ଶଗଡଭଙ୍ଗା, ଭାଲୁଗଡାରେ ବହୁ ଘରର ଛପର ଉଡାଇ ନେଇଛି। ବିଭିନ୍ନ ଅଞ୍ଚଳରେ ୫୦ରୁ ଅଧିକ ଘରର ଛପର ନଷ୍ଟ ହୋଇଥିବା ଜଣାପଡିଛି।

ସେହିପରି ଭଦ୍ରକରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି। ଭଦ୍ରକ ସହରରେ ଝଡ଼ତୋଫାନ ସହ, କୁଆପଥର ମାଡ଼ ହୋଇଥିବା ଜଣାପଡିଛି। ବାଲେଶ୍ୱର ଓ ଭଦ୍ରକ ସମେତ ମୟୂରଭଞ୍ଜର କିଛି ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟପକ୍ଷରେ ବଜ୍ରପାତରେ ମଧ୍ୟ ବଡସାହି ଓ ରେମୁଣାରେ ୨ଟି ଗୋରୁ ମୃତ୍ୟୁ ହୋଇଥିବା ଜଣାଯାଇଛି। ମାତ୍ର ଘଣ୍ଟାଏରେ ଏଭଳି ତାଣ୍ଡବ ରଚି ବ୍ୟାପକ ସଂପତ୍ତି ନଷ୍ଟ କରିଥିବା କାଳବୈଶାଖୀର କ୍ଷତିପୂରଣ ପାଇଁ ବିଭିନ୍ନ ରାଜନୈତିକ ଦଳର ନେତା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର