ବରଗଡ଼ରେ ଜଣେ ମୃତ, ଜଣେ ଆହତ
ମୃତ୍ୟୁ ଅଭିଯୋଗ ୩ରେ ପହଞ୍ଚିଲା
ଯାଜପୁରରେ ମଞ୍ଚ ଭୁଶୁଡ଼ିଲା

Advertisment

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ବରଗଡ଼ ବ୍ଲକ ଅନ୍ତର୍ଗତ କଣ୍ଟାପାଲି ନିକଟ ପତକାରପଲ୍ଲୀ ଗାଁର ମନେଇ ଗୋଚ୍ଛାୟତ(୪୨)। ଅପରାହ୍ନରେ ଝଡ଼ତୋଫାନ ବହିବା ସମୟରେ ମନେଇ ଆଉ ଜଣେ ବ୍ୟକ୍ତିଙ୍କ ସହ ଗଛ ତଳେ ଆଶ୍ରୟ ନେଇଥିଲେ। ସେହିସମୟରେ ଗଛ ଡ଼ାଳ ଭାଙ୍ଗି ଉଭୟଙ୍କ ଉପରେ ପଡ଼ିଥିଲା। ଏଥିରେ ମନେଇଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କ ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ଲାଗି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। କାଳବୈଶାଖୀର ପ୍ରଭାବରେ କେନ୍ଦୁଝର ଜିଲ୍ଲାର ମଧ୍ୟ କିଛି ଅଞ୍ଚଳରେ ଆଜି କୁଆପଥର ବର୍ଷା ହୋଇଥିବା ସୂଚନା ମିଳିଛି।

ବରଗଡ଼ରେ ଜଣଙ୍କର ମୃତ୍ୟୁ ପରେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶନିବାର ନୟାଗଡ଼ ବ୍ଲକ ଅନ୍ତର୍ଗତ ସରପଡ଼ା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତି(୬୮)ଙ୍କ ମୃତ୍ୟୁ ହୋଇଥିବା ବେଳେ ମାର୍ଚ୍ଚ ୩୦ରେ ଗଜପତି ଜିଲ୍ଲାର ନିଦ୍ରାବତୀ ମଲ୍ଲିକ(୨୮)ଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିଲା।

ଦୁଇ ଦିନ ହେଲା ଉତ୍ତର ଓଡ଼ିଶାରେ କାଳବୈଶାଖୀ ହେଉଥିବା ବେଳେ ଆଜି ସାରା ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ୪୪ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ଏହାବ୍ୟତୀତ ବାରିପଦାରେ ୧୮, ପାରାଦ୍ୱୀପରେ ୧୫, କୋରାପୁଟରେ ୧୩.୬, କେନ୍ଦୁଝରରେ ୮, ଚାନ୍ଦବାଲିରେ ୬.୮, ସୁନ୍ଦରଗଡ଼ ଓ ବଲାଙ୍ଗିରରେ ୩ ମିମି ଲେଖାଏ ବର୍ଷା ହୋଇଛି। ଏଥିସହ ଭୁବନେଶ୍ୱର, କଟକ, ଝାରସୁଗୁଡ଼ା, ଫୁଲବାଣୀ ପ୍ରଭୃତି ସ୍ଥାନରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ବର୍ଷା ସାଙ୍ଗକୁ ପବନ ହେବାରୁ ଜନଜୀବନ ପ୍ରଭାବିତ ହୋଇଛି। କେତେକ ସ୍ଥାନରେ ଗଛ ଭାଙ୍ଗିପଡ଼ିଥିବା ସୂଚନା ମିଳିଛି। ବିଦ୍ୟୁତ ସଂଯୋଗ ମଧ୍ୟ ବ୍ୟାହତ ହୋଇଥିବା ଆମ ଜିଲ୍ଲା ପ୍ରତିନିଧିମାନଙ୍କଠାରୁ ସୂଚନା ମିଳିଛି।

ସେହିପରି ଯାଜପୁର ମ୍ୟୁନିସପାଲଟିର ୧୫୦ତମ ପୂର୍ତ୍ତି ଉପଲକ୍ଷେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ କାଳବୈଶାଖୀ ପ୍ରଭାବରେ ମଞ୍ଚ ଭୁଶୁଡ଼ି ପଡ଼ିଛି। ଯେଉଁଥିପାଇଁ ସଂଧ୍ୟାରେ ହେବାକୁ ଥିବା ‘ସୋନୁ ନିଗମ୍‌ ନାଇଟ୍‌’ କାର୍ଯ୍ୟକ୍ରମ ବାତିଲ୍‌ ହୋଇଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। କେନ୍ଦୁଝର, ବାଲେଶ୍ୱର, ବଲାଙ୍ଗୀରରେ ଆଜି ବର୍ଷା ଓ ପବନ ହୋଇଛି। ୬ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଗଜପତି, କେନ୍ଦୁଝର, ମୟୂରଭଞ୍ଜରେ କାଳବୈଶାଖୀ ପ୍ରଭାବ ରହିବ। କେତେକ ସ୍ଥାନରେ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ବହିବା ସହ କୁଆପଥର ବର୍ଷା ହୋଇପାରେ ବୋଲି ଶ୍ରୀ ସାହୁ କହିଛନ୍ତି।

ପାଣିପାଗ ବିଜ୍ଞାନୀ ତଥା ଓୟୁଏଟି କୁଳପତି ପ୍ର୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି ଯେ ୬ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ। କିନ୍ତୁ ରବିବାର ଅପେକ୍ଷା କମ୍‌ ସ୍ଥାନରେ ବର୍ଷା ହେବ। ମୁଖ୍ୟତଃ ଦକ୍ଷିଣ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ବର୍ଷାର ସମ୍ଭାବନା ଅଧିକ ରହିଛି। ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଆସନ୍ତା ୪ ଓ ୫ ତାରିଖରେ ଅଧିକ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୫ରୁ ୭ ତାରିଖ ଯାଏ ତାପମାତ୍ରା ବଢ଼ିପାରେ। ଅଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ୯ ଓ ୧୦ ତାରିଖ ବେଳକୁ ବର୍ଷାର ସମ୍ଭାବନା ରହିଛି। ରବିବାର ସାରା ଓଡ଼ିଶାରେ ବଙ୍ଗୋପସାଗରୀୟ ପବନ ଉତ୍ତର ଭାରତକୁ ପ୍ରବାହିତ ହୋଇଥିଲା। ଆସନ୍ତାକାଲିଠାରୁ ଉତ୍ତର ଓଡ଼ିଶାରେ ବାୟୁ ମୁଖ୍ୟତଃ ଉତ୍ତର ପୂର୍ବ ଦିଗରୁ ବହିବାର ସମ୍ଭାବନା ଥିବାରୁ ବର୍ଷା ସମ୍ଭାବନା କମ୍‌ ରହିଛି। ୧୪ ତାରିଖ ପର୍ଯ୍ୟନ୍ତ ପାଗ ଆଂଶିକ ମେଘୁଆ ରହିବ। ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସହ ପବନ ହେଲେ ଆମ୍ବ ସମେତ କେତେକ ଫସଲ ନଷ୍ଟ ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଅନ୍ୟପକ୍ଷରେ ଆଜି ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୨ ଡିଗ୍ରି ରେକର୍ଡ ହୋଇଛି। ବଲାଙ୍ଗୀରରେ ୩୯.୨, ଭବାନୀପାଟଣାରେ ୩୯, ଅନୁଗୁଳରେ ୩୮.୭, ସମ୍ବଲପୁର ଓ ମାଲକାନଗିରିରେ ୩୮ ଡିଗ୍ରି ଲେଖାଏ ରେକର୍ଡ ହୋଇଛି।