ଓଡ଼ିଶା ପାଇଁ ସତର୍କଘଣ୍ଟି : ୨୬ ଜିଲ୍ଲାରେ ହୋଇପାରେ କାଳବୈଶାଖୀ, ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷିବ

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ଓଡ଼ିଶା ପାଇଁ ସତର୍କଘଣ୍ଟି ଜାରି କରିଛି ପାଣିପାଗ କେନ୍ଦ୍ର। କୌଣସି ବି ମୁହୂର୍ତ୍ତରେ ପାଗ ବିଗିଡ଼ିଯିବ। କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିବ। ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ବହିପାରେ। ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଚଳିତବର୍ଷ ପ୍ରଥମ ଥର ଲାଗି ସାରା ଓଡ଼ିଶା ପାଇଁ ଏଭଳି ସୂଚନା ଜାରି କରାଯାଇଛି। ସୋମବାର ରାତି ମଧ୍ୟରେ ୨୬ଟି ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିବ। ବଜ୍ରପାତର ବି ଆଶଙ୍କା ରହିଛି। ପାଗ କୋହଲା ରହିବା ସହ ପବନର ବେଗ ବଢ଼ିବ। ଗଞ୍ଜାମ ସମେତ ଖୋର୍ଧା, ପୁରୀ, ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷାର ଆଶଙ୍କା ଅଧିକ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳରେ ପ୍ରଭାବ ରହିବ। ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

୧୫ ତାରିଖରେ ଖୋର୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଜିଲ୍ଲା ପାଇଁ ଝଡ଼ବର୍ଷାର ସତର୍କ ସୂଚନା ଜାରି ହୋଇଛି। ଏହି ସମୟରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୧୬ରେ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ୧୭ରେ ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ନୟାଗଡ଼, କନ୍ଧମାଳ, କୋରାପୁଟ, ମାଲକାନଗିରି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବ।

ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିଛି। ସୋନପୁରରେ ଆଜି ବି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ଟିଟିଲାଗଡ଼ରେ ୪୨, ଝାରସୁଗୁଡ଼ାରେ ୪୧.୨, ବଲାଙ୍ଗୀରରେ ୪୧, ସମ୍ବଲପୁରରେ ୪୦.୩, ହୀରାକୁଦରେ ୪୦.୧ ଡିଗ୍ରି ରହିଥିଲା। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ୨୦ ତାରିଖ ପରେ ଉପକୂଳରେ ବି ତାତି ବଢ଼ିବ। କାଳବୈଶାଖୀ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ପୁରୀରେ ସର୍ବାଧିକ ୩୪.୮ ମି.ମି. ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୩୦.୭, ଅନୁଗୁଳରେ ୧୮.୮, କଟକରେ ୧୦, ସମ୍ବଲପୁରରେ ୮, ହୀରାକୁଦରେ ୬.୬, ତାଳଚେରରେ ୬ ମି.ମି. ବର୍ଷା ରେକର୍ଡ କରାଯାଇଛି। କିଛି ସ୍ଥାନରେ ଝଡ଼ବର୍ଷା ସହ ବ୍ରଜପାତ ହେବା ଦ୍ୱାରା ଲୋକଙ୍କ ଧନଜୀବନ ନଷ୍ଟ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର