କଳାହାଣ୍ଡିର ୭ ମିଲର ନିଲମ୍ବିତ

ଟାର୍ଗେଟ ଧାନ ନେଇ କମ୍‌ ଚାଉଳ ଦେଇଥିଲେ

କେସିଙ୍ଗା: ପୂର୍ବରୁ ଧାନ ନେଇ ଚାଉଳ ନଦେବାରୁ ସରକାରଙ୍କର କୋଟିକୋଟି ଟଙ୍କା ବକେୟା ପଡ଼ିଥିବା ବେଳେ ଏବେ ଯୋଗାଣ ସଚିବ ୨୦୧୭-୧୮ ଧାନ କିଣା ଖରିଫ ଆରମ୍ଭରୁ ହିଁ ମିଲରଙ୍କ ବିପକ୍ଷରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଙ୍ଗଳବାର ଯୋଗାଣ ସଚିବ ରାଜ୍ୟସ୍ତରରେ ସମୀକ୍ଷା କରି ଟାର୍ଗେଟ ଧାନ ନେଇ ୧୦ ପ୍ରତିଶତରୁ କମ୍‌ ଚାଉଳ ଦେଇଥିବା ରାଜ୍ୟର ୭୦ଟି ମିଲରଙ୍କୁ ନିଲମ୍ବନ କରିଛନ୍ତି। ଏଥିରେ କଳାହାଣ୍ଡି ଜିଲ୍ଲାର ୭ ମିଲର ରହିଛନ୍ତି। କଳାହାଣ୍ଡି ଜିଲ୍ଲାର ଅରିୟନ୍ତ ଏଗ୍ରୋ, ବିମଳ ଫୁଡ, କହ୍ନେୟା ଏଗ୍ରୋ , ଜତଭାରତି ରାଇସ ମିଲ, ଶିବଶଙ୍କର ରାଇସ ମିଲ, ମାତୃଶକ୍ତି ରାଇସ ମିଲ ନିଲମ୍ବିତ ହୋଇଥିବା ସଚିବଙ୍କ ଚିଠିରୁ ଜଣାପଡ଼ିଛି। ଏମାନେ ତାଙ୍କ ଟାର୍ଗେଟର ୭୦ ପ୍ରତିଶତ ଧାନ ଉଠାଣ କରିଥିଲେ ମଧ୍ୟ ୧୦ ପ୍ରତିଶତରୁ କମ୍‌ ଚାଉଳ ଦେଇଥିବାରୁ ସେମାନଙ୍କୁ ଧାନ କିଣାରେ ଆଉ ସାମିଲ ନକରିବା ପାଇଁ ସଚିବ ଭି. ଭି. ଯାଦବ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ଏହା ସହ ଏମାନଙ୍କ ରାଇସ ମିଲରେ କେତେ କିଣା ଧାନ ଅଛି, କେତେ ଚାଉଳ ଅଛି ତାର ସମୀକ୍ଷା କରି ଶିଘ୍ର ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପଠାଇବା ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଏହି ଚିଠି ଆଜି ଜିଲ୍ଲାକୁ ପହଞ୍ଚିବା ପରେ ମିଲ ମାଲିକଙ୍କ ମଧ୍ୟରେ କୋକୁୟା ଭୟ ଖେଳି ଯାଇଛି।

ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଶିବପ୍ରସାଦ ଦୋରାଙ୍କୁ ପଚାରିବାରୁ ସରକାରଙ୍କ ନିର୍ଦ୍ଦେଶ ମିଳିଥିବା ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ପୂର୍ବରୁ ଏ ଜିଲ୍ଲାରେ ଧାନ ନେଇ କିଛି ମିଲର ଚାଉଳ ଦେଇ ନାହାନ୍ତି। ଏବେ ବି ସରକାରଙ୍କର ୫୦ କୋଟି ଟଙ୍କାରୁ ଅଧିକ ଧାନର ଚାଉଳ ମିଳିନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର