ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲା ଜଜ୍
ଭଉଣୀଙ୍କୁ ବି ଧମକ ଦେଲା ଅଭିଯୁକ୍ତ
କଟକ : କଳାହାଣ୍ଡି ଜିଲ୍ଲାରେ ଏସିଡ୍ ମାଡ଼ର ଶିକାର ହୋଇଥିବା ପୀଡ଼ିତାଙ୍କୁ ଆଜି କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କୁ ବର୍ଣ୍ଣ ୟୁନିଟ୍ର ଏସି ଓ୍ଵାର୍ଡରେ ରଖାଯାଇଛି। ଏସିଡ୍ ମାଡ଼ ଦ୍ୱାରା ତାଙ୍କର ୧୫ ପ୍ରତିଶତ ଅଂଶ ପୋଡ଼ିଯାଇଛି। ମୁହଁ, ହାତ ଓ ଛାତିର କିଛି ଅଂଶରେ ଏସିଡ୍ ପଡ଼ିଥିବାରୁ ସେହି ଅଂଶଗୁଡ଼ିକ ପୋଡ଼ିଯାଇଛି। ତେବେ ଏସିଡ୍ ପଡ଼ିବା ପରେ ତୁରନ୍ତ ସେ ପାଖରେ ଥିବା ନଈକୁ ଡେଇଁ ପଡ଼ିବାରୁ କ୍ଷତିର ପରିମାଣ ବଢିନଥିଲା ବୋଲି ମେଡିକାଲ୍ ପକ୍ଷରୁ କୁହାଯାଇଛି। ତଥାପି ଏହାଦ୍ୱାରା ଆଖି ଉପରେ କୌଣସି ପ୍ରଭାବ ପଡ଼ିଛି କି ନାହିଁ, ତାହା ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ପ୍ରଫେସର ଡାକ୍ତର ଅରୁଣ କୁମାର ଚୌଧୁରୀ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ଭେଟିବାକୁ ଆଜି କଟକ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସତ୍ୟନାରାୟଣ ମିଶ୍ର ଓ ସିଭିଲ୍ କୋର୍ଟ ରେଜିଷ୍ଟ୍ରାର୍ ବିଭୂପ୍ରସାଦ ପଣ୍ଡା ବଡ଼ ମେଡିକାଲ୍କୁ ଆସିଥିଲେ। ଏଠାରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହିତ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ। ପୀଡ଼ିତାଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ଜଜ୍ ସୂଚନା ଦେଇଛନ୍ତି। ସରକାରଙ୍କ ପ୍ରତିଶ୍ରୁତି ମୁତାବକ ପୀଡ଼ିତାଙ୍କ ମାଗଣା ଚିକିତ୍ସା କରାଯାଉଛି। ଲିଗାଲ୍ ଏଡ୍ ପକ୍ଷରୁ ମଧ୍ୟ ତାଙ୍କୁ କ୍ଷତିପୂରଣ ଦିଆଯିବାକୁ ବ୍ୟବସ୍ଥା ରହିଛି। ପ୍ରଥମ ପର୍ଯ୍ୟାୟରେ ମାମଲା ରୁଜୁ ହେବା ପରେ ଦେଢ ଲକ୍ଷ ଟଙ୍କା ତାଙ୍କୁ ପ୍ରଦାନ କରାଯିବ ବୋଲି କୁହାଯାଇଛି। ପୀଡ଼ିତାଙ୍କ ନିୟମତ ଦେଖାଶୁଣା ପାଇଁ ପାରାଲିଗାଲ ଭଲ୍ୟୁଣ୍ଟିଅର୍ ଶର୍ମିଷ୍ଠା ନନ୍ଦଙ୍କୁ ଦାୟିତ୍ୱ ଦିଆଯାଇଛି। ପୀଡ଼ିତାଙ୍କୁ ଯେପରି ଏସିଡ୍ରେ ଆକ୍ରମଣ କରାଯାଇଛି, ସେହିପରି ଭାବେ ତାଙ୍କ ଭଉଣୀଙ୍କ ଉପରେ ମଧ୍ୟ ଏସିଡ୍ ପକାଇବାକୁ ଅଭିଯୁକ୍ତ ଜଣକ ଧମକ ଦେଇଛି। ଏସମ୍ପର୍କିତ ମେସେଜ୍କୁ ପୀଡ଼ିତାଙ୍କ ଭଉଣୀ ଜିଲ୍ଲା ଜଜ୍ଙ୍କ ଦୃଷ୍ଟିକୁ ଆଣିଥିଲେ। ତେଣୁ ଜିଲ୍ଲା ଜଜ୍ ତୁରନ୍ତ କଟକ ଏସ୍ପିଙ୍କ ଓ କଳାହାଣ୍ଡି ଜିଲ୍ଲା ପୁଲିସ୍ ସହିତ ଯୋଗାଯୋଗ କରି ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।