ନଭେମ୍ବର ୧ କଳାହାଣ୍ଡି ଗଠନ ଦିବସ: ୭୨ ବର୍ଷ ପରେ ମଧ୍ୟ ବହୁ ଜିଲ୍ଲା କାର୍ଯ୍ୟାଳୟର ନିଜସ୍ୱ କୋଠା ନାହିଁ 

ଭବାନୀପାଟଣା : ନଭେମ୍ବର ୧. ୧୯୪୯ ମସିହାରେ କଳାହାଣ୍ଡି ନୂତନ ଜିଲ୍ଲା ଭାବରେ ଗଠନ ହୋଇଥିଲା । ଜିଲ୍ଲା ଗଠନର ୭୨ ବର୍ଷ ପରେ ମଧ୍ୟ ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ବହୁ ସ୍କୁଲ ଓ ଅଫିସ ରାଜୁଡା ଅମଳ ର କୋଠା ରେ ଚାଲୁଛି ।  ରାଜନୈତିକ ଇଛା ଶକ୍ତିର ଅଭାବ ଯୋଗୁଁ ନିଜସ୍ୱ କୋଠା ଏକ ମରୀଚିକା ପାଲଟିଛି । ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ, ୧୯୪୭ ମସିହା ଡିସେମ୍ବର ୧୫ ତାରିଖରେ ଦେଶ ମିଶ୍ରଣ ଗଠନ ର ପ୍ରସ୍ତାବ ସ୍ବାକ୍ଷରିତ ହୋଇଥିଲା । ୧୯୪୮ ମସିହା ଜାନୁୟାରୀ ୧ ତାରିଖରେ ଓଡ଼ିଶା ସହିତ ବିଭିନ୍ନ ଜିଲ୍ଲା ର ମିଶ୍ରଣ ପାଇଁ ପ୍ରସ୍ତାବ ସ୍ବାକ୍ଷରିତ ହୋଇଥିଲା । ସେତେବେଳେ କଳାହାଣ୍ଡି ଜିଲ୍ଲା ବଲାଙ୍ଗୀର ଜିଲ୍ଲା ସହିତ ମିଶି ରହିଥିଲା । ୧୯୪୯ ମସିହା ନଭେମ୍ବର ୧ ତାରିଖରେ କଳାହାଣ୍ଡି ଜିଲ୍ଲା ଏକ ନୂତନ ଜିଲ୍ଲା ଭାବରେ ଗଠନ ହୋଇଥିଲା । ଗଡ଼ଜାତ ଅଞ୍ଚଳ କଳାହାଣ୍ଡି ଷ୍ଟେଟ ରାଜୁଡା ଅମଳ ସମୟରେ ବିଭିନ୍ନ କାର୍ଯ୍ୟାଳୟର କୋଠା ଓ ସ୍କୁଲ ନିର୍ମାଣ ହୋଇଥିଲା ।
ଭବାନୀପାଟଣା ସହରର ବର୍ତ୍ତମାନ ଥିବା ଜିଲ୍ଲାପାଳ କାର୍ଯ୍ୟାଳୟରେ ରାଜୁଡା ଅମଳରେ ଦେୱାନଙ୍କ ସେକ୍ରେଟାରିଏଟ ଥିଲା । ଏହିକୋଠା ୧୯୩୦ ମସିହାରେ ନିର୍ମାଣ ହୋଇଥିଲା । ପରବର୍ତ୍ତି ସମୟରେ ବର୍ତ୍ତମାନ ଖୋଦ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଓ ବିଚାର ବିଭାଗର ସିଜିଏମ କୋର୍ଟଙ୍କ କାର୍ଯ୍ୟାଳୟ ଏଠାରେ ଚାଲୁଛି । ଦୀର୍ଘବର୍ଷ ପରେ ମଧ୍ୟ ଏଯାବତ ଜିଲ୍ଲାପାଳଙ୍କ ନିଜସ୍ୱ କୋଠା ନିର୍ମାଣ ହୋଇପାରୁନାହିଁ । ଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ରାଜୁଡା ଅମଳର ଦେୱାନଙ୍କ ବାସଭବନ ଥିଲା । ସେହିଭଳି ୧୯୨୫ ମସିହାରେ ନିର୍ମାଣ ହୋଇଥିବା ପାୱାରହାଉସରେ  ସେତେବେଳେ ଜେନେରେଟର ସାହାଯ୍ୟରେ ଶକ୍ତି ଉତ୍ପାଦନ କରି ସହରକୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଥିଲା । ବର୍ତ୍ତମାନ ୱେସ୍କୋର ବିଲିଂ କାର୍ଯ୍ୟାଳୟ ସ୍ଥାପନ ହୋଇଛି ।
୧୯୩୬ ମସିହାରେ ନିର୍ମାଣ ହୋଇଥିବା ପୁଲିସ ବ୍ୟାରେକରେ ବର୍ତ୍ତମାନ ଜେଲ ସ୍ଥାପନ ହୋଇଛି । ୧୯୩୫ ମସିହାରେ ନିର୍ମାଣ ହୋଇଥିବା ଡିସପେନସାରିରେ  ବର୍ତ୍ତମାନ ସଦରମୁଖ୍ୟ ଡାକ୍ତରଖାନା ଚାଲିଛି । ରାଜୁଡା ଅମଳରେ ଥିବା ଜୁବୁଲି ମେଟରନିଟି ୱାର୍ଡରେ ବର୍ତ୍ତମାନର ଗର୍ଭବତୀ ମହିଳାଙ୍କ ମେଟରନିଟିୱାର୍ଡ ଚାଲିଛି । ୧୯୪୬ ମସିହାରେ  ନିର୍ମାଣ ହୋଇଥିବା ଏକ୍ସରେ ଠାରେ ଜିଲ୍ଲା ସିଡିଏମଓଙ୍କ କାର୍ଯ୍ୟାଳୟ ଚାଲିଛି । ୧୯୨୩ ମସିହାରେ ନିର୍ମାଣ ହୋଇଥିବା ହ୍ୱିଲର୍ସ କ୍ଲବ ଠାରେ ଭବାନୀପାଟଣା ମ୍ୟୁନସିପାଲଟି କାର୍ଯ୍ୟାଳୟ ଚାଲିଛି । ରାଜୁଡା କୋଠାରେ ଚାଲିଥିବା ଏଲିମେଣ୍ଟାରି ଟ୍ରେନିଂ ସ୍କୁଲରେ ବର୍ତ୍ତମାନ ମାଣିକେଶ୍ୱରୀ ହାଇସ୍କୁଲ ଚାଲିଛି ।
ସରକାରୀ ସ୍ୱଂୟଶାସିତ ମହାବିଦ୍ୟାଳୟର ୱେଷ୍ଟ ହଷ୍ଟେଲ ଠାରେ ରାଜୁଡା ସମୟରେ ସେଟେଲମେଣ୍ଟ ଅଫିସ କାର୍ଯ୍ୟକାରୀ ହେଉଥିଲା । ଗଡଜାତ ଚିଫ ଇଂଜିନିୟରଙ୍କ ସରକାରୀ ବାସଭବନରେ ବର୍ତ୍ତମାନ ପିଡବ୍ଲୁଡି ନିର୍ବାହୀଯନ୍ତ୍ରୀଙ୍କ ବାସ ଭବନ ଅଛି । ରାଜୁଡା ସମୟରେ କୋଠାରେ ବର୍ତ୍ତମାନ ଜିଲ୍ଲା ଜଜ ଓ ସବ ଜଜଙ୍କ ବାସଭବନ ଅଛି । ୧୯୧୬ ମସିହାରେ ବ୍ରଜମୋହନ ସ୍କୁଲ ହୋଇଥିଲା ଓ ୧୯୩୬ ମସିହାରେ ବ୍ରଜମୋହନ ହାଇସ୍କୁଲର କୋଠା ନିର୍ମାଣ ହୋଇଥିଲା । ବର୍ତ୍ତମାନ ଏହି ରାଜୁଡା ଅମଳର କୋଠାରେ ବ୍ରଜମୋହନ ହାଇସ୍କୁଲ ସହିତ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ, ଏନସିସି ନାଭଲା ୟୁନିଟ ସ୍ଥାପନ ହୋଇଛି ।
ସୂଚନାଯୋଗ୍ୟଯେ, ୧୯୮୮ ମସିହାରେ ଏହି ବ୍ରହମୋହନ ହାଇସ୍କୁଲ ପରିସରରେ ସ୍ପୋଟର୍ସ ହଷ୍ଟେଲ ଓ ପରେ ସିଆଇ ଅଫିସ,ଇନିସପେକ୍ଟର ଅଫ ଲ ଅଫିସ, ସଂସ୍କୃତି ଭବନ ଓ ମ୍ୟୁଜିୟମ ମଧ୍ୟ ସ୍ଥାପନ ହୋଇଥିଲା । ୧୯୩୫ ମସିହାରେ ନିର୍ମାଣ ହୋଇଥିବା ରାଜପ୍ରାସାଦରେ ୧୯୮୬ ମସିହାରୁ ୧୯୯୪ ମସିହା ପର୍ଯ୍ୟନ୍ତ ବନ୍ଦୋବସ୍ତ କାର୍ଯ୍ୟାଳୟ ଭଡାରେ ଚାଲୁଥିିଲା । ବର୍ତ୍ତମାନ ଭବାନୀପାଟଣା ସହରରେ ଥିବା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜୁଡା ସମୟରେ ଲାଇମଷ୍ଟୋନ କ୍ରସିଂ ୟୁନିଟ, ପେଟ୍ରୋଲ ପମ୍ପ ଓ ଚିଲଡ୍ରେନ ୱାର୍ଡ ଥିଲା । ବର୍ତ୍ତମାନ ଥିବା ଏସପି କାର୍ଯ୍ୟାଳୟର ଡିଆଇବି ଅଫିସରେ ରାଜୁଡା ସମୟର ଇଂଲିସ ଅଫିସ ଚାଲୁଥିଲା । ଭବାନୀପାଟଣା ସହରର ଏଭଳି ବହୁ ପ୍ରମୁଖ କାର୍ଯ୍ୟାଳୟ ଓ ସ୍କୁଲ ଗୁଡିକ ପୁରୁଣା ରାଜା ଅମଳର କୋଠାରେ ବର୍ଷ ବର୍ଷ ଧରି ଚାଲିଥିଲେ ମଧ୍ୟ ନୂଆକୋଠା ନିର୍ମାଣ ପାଇଁ ରାଜ୍ୟ ସରକାର ଆନ୍ତରିକ ପ୍ରକାଶ ନ କରିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ୧୯୪୯ ମସିହା ନଭେମ୍ବର ୧ ତାରିଖରେ କଳାହାଣ୍ଡି ଜିଲ୍ଲା ଗଠନ ହୋଇଥିଲା । ସେବେ ଠାରୁ ଏପର୍ଯ୍ୟନ୍ତ ୭୨ ବର୍ଷ ବିତିଯାଇଥିଲେ ମଧ୍ୟ ନୂତନଗୃହ ନିର୍ମାଣ ପାଇଁ ସରକାରୀ ସ୍ତରରେ  ଉଦ୍ୟମ  ହୋଇନାହିଁ ।
୧୯୯୩ ମସିହା ଏପ୍ରିଲ ୧ ତାରିଖ ରେ ନୂଆପଡା ଜିଲ୍ଲା ନୂତନ ଭାବେ ଗଠନ ହୋଇ ବର୍ତ୍ତମାନ ସେଠାରେ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟ କୋଠା  ନିର୍ମାଣ ହୋଇ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ପୁରୁଣା ଜିଲ୍ଲା କଳାହାଣ୍ଡି ପାଇଁ ଏହା ହାସ୍ୟାସ୍ପଦ ସୃଷ୍ଟି କରିଛି । କଳାହାଣ୍ଡି ଜିଲ୍ଲା ଗଡ଼ଜାତ ଅମଳରେ ରାଜାଙ୍କ ଦ୍ୱାରା ନିର୍ମାଣ ହୋଇଥିବା ବିଭିନ୍ନ କାର୍ଯ୍ୟାଳୟ ଓ ସ୍କୁଲର ନିର୍ମାଣ ଶୈଳୀ ଉନ୍ନତ ଧରଣର ଓ ମଜବୁତ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହି କୋଠା ଗୁଡିକୁ ମରାମତି ଅଭାବ ଯୋଗୁଁ ବିପଦସଂକୁଳ ଦେଖାଦେଇଛି । ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛାତ ଉପରେ ଛୋଟ ଛୋଟ ଗଛ ଓ ଗୁଳ୍ମ ଜାତୀୟ ଚେର ଗୁଡାକ ଲମ୍ବି ଥିଲେ ମଧ୍ୟ ଏହାର ସଫେଇ ପାଇଁ ମଧ୍ୟ ଧ୍ୟାନ ଦିଆଯାଉନ ଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ନୂତନ କୋଠା ନିର୍ମାଣ ପାଇଁ ଆଗ୍ରହ ନ ଥିବା ଓ ଅନ୍ୟପଟେ ମରାମତି ଅଭାବ ଯୋଗୁଁ ବିପଦ ସଂକୁଳ ଅବସ୍ଥାରେ ଥିବା କୋଠା ଗୁଡିକର ସୁରକ୍ଷା ପାଇଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କଳାହାଣ୍ଡି ଗଠନ ଦିବସରେ ଏନେଇ ଉଭୟ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହୋଇଛି ।
ସମ୍ବନ୍ଧିତ ଖବର