କଳାହାଣ୍ଡି ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତି ଚୟନ ପ୍ରସଙ୍ଗ : ଯୋଗ୍ୟ ପ୍ରଫେସରଙ୍କ ତଥ୍ୟ ଦେଉନାହାନ୍ତି କୁଳସଚିବ

ଭୁବନେଶ୍ବର : ଏପ୍ରିଲ ପହିଲା ସୁଦ୍ଧା ନିଯୁକ୍ତ ହେବେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି। ଏ ନେଇ ଗତ ୬ ତାରିଖଠାରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶ୍ବବିଦ୍ୟାଳୟ କୁଳପତି ହେବାକୁ ଯୋଗ୍ୟତା ଥିବା ଜଣେ ପ୍ରଫେସରଙ୍କ ନାମ ଜାନୁଆରି ୩୧ ସୁଦ୍ଧା ବିଭାଗ ନିକଟକୁ ପଠାଇବାକୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ନିର୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ କଣ୍ଟ ପୂରିଥିଲେ ମଧ୍ୟ କେବଳ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ବ୍ୟତୀତ ଆଉ କୌଣସି ବି ବିଶ୍ବବିଦ୍ୟାଳୟର କୁଳସଚିବ ଉଚ୍ଚଶିକ୍ଷା ବିଭାଗର ଏହି ନିର୍ଦେଶକୁ ଖାତିର କରି ନାହାନ୍ତି କି ଯୋଗ୍ୟ ପ୍ରଫେସରଙ୍କ ନାମ ପଠାଇ ନାହାନ୍ତି। ଯାହାକୁ ନେଇ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଲକ୍ଷ୍ମୀଧର ମହାନ୍ତି ଅସନ୍ତୋଷ ବ୍ୟକ୍ତ କରିବା ସହ କୁଳସଚିବମାନଙ୍କୁ ପୁଣିଥରେ ଚିଠି ଲେଖି ଯେତେଶୀଘ୍ର ସମ୍ଭବ ତଥ୍ୟ ଦାଖଲ କରିବାକୁ କହିଛନ୍ତି।

ସୂଚନାଯୋଗ୍ୟ ଯେ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ୧୯୮୯ର ସେକ୍ସନ ୬(୧୯) ଅନୁଯାୟୀ ଗୋଟିଏ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଚୟନ ହେବେ। ଯେଉଁ ପ୍ରଫେସର ପ୍ରଥମ କୁଳପତି ଭାବେ ନିଯୁକ୍ତ ପାଇବେ ତାଙ୍କର ପ୍ରଶାସନିକ ଦକ୍ଷତା‌ ଥିବା ଆବଶ୍ୟକ। ସମ୍ପୃକ୍ତ ପ୍ରଫେସର ଗୋଟିଏ ବର୍ଷ ପାଇଁ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହେବେ। ୨୦୨୦-୨୧ ଶିକ୍ଷାବର୍ଷରୁ ଉକ୍ତ ଦୁଇ ବିଶ୍ବବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବାକୁ ଥିବାରୁ ଏପ୍ରିଲ ପହିଲା ସୁଦ୍ଧା କୁଳପତି କାର୍ଯ୍ୟରେ ଯୋଗଦେବେ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଅନ୍ୟାନ୍ୟ ବିଶ୍ବବିଦ୍ୟାଳୟ କୁଳପତିମାନେ ଯେଉଁଭଳି ଦରମା ପାଉଛନ୍ତି ଏମାନଙ୍କୁ ବି ସମାନ ଭାବେ ଦରମା ଦିଆଯିବ।

ସମ୍ବନ୍ଧିତ ଖବର