ଛତିଶଗଡ଼ ସୀମାରେ ଗଳାବାଟ : ଲକଡାଉନ ବେଳେ ଓଡିଶା ଓ ଛତିଶଗଡ଼ ସୀମାନ୍ତରେ ବେଧଡ଼କ ଚାଲିଛି ଯାତାୟତ

ଭବାନୀପାଟଣା : ଲକଡାଉନ ବେଳେ ଓଡିଶା ଓ ଛତିଶଗଡ଼ ସୀମାନ୍ତରେ ବହୁ ଗଳାବାଟ ଯୋଗୁଁ ବେଧଡ଼କ ଭାବରେ ଯାତାୟତ ଚାଲିଥିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । କଳାହାଣ୍ଡି ପୁଲିସ ପକ୍ଷରୁ ପାଞ୍ଚଟି ସ୍ଥାନରେ ଛତିଶଗଡ଼ ସୀମାନ୍ତରେ ଚେକପୋଷ୍ଟ କରାଯାଇଛି। ଅନ୍ୟ ରାସ୍ତାମାନଙ୍କରେ କେଉଁଠି ବ୍ୟାରିକେଡ ତ କେଉଁଠି ଗଛ ପକାଇ ପୁଲିସ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଲୋକେ ଏହାର ସୁଯୋଗ ନେଇ ଛତିଶଗଡ଼ରୁ ଓଡ଼ିଶା ଆସୁଥିବା ଦେଖିବାକୁ ମିଳିଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ପୁଲିସ ପକ୍ଷରୁ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତରେ ପାଞ୍ଚଟି ସ୍ଥାନରେ ଚେକିଂ ପୋଷ୍ଟ କରାଯାଇଛି । କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଥାନା ପକ୍ଷରୁ ଛତିଶଗଡ଼ ସୀମାନ୍ତର ସନ୍ଧିକୁଲିହାରୀ, କଦଲିମୁଣ୍ଡା, ସେମଲା ଓ ରାଜମୋଟେର ଠାରେ ଚେକ ପୋଷ୍ଟ କରାଯାଇଛି । ସେହିଭଳି କୋକସରା ଥାନା ପକ୍ଷରୁ କେବଳ ପିପିଲ ପଡା ଠାରେ ଚେକ ପୋଷ୍ଟ କରାଯାଇଛି । ଏହା ବ୍ୟତିତ ବହୁସ୍ଥାନରେ ଛତିଶଗଡ଼ ସୀମାର ଗଳାବାଟ ଦେଇ ରାଜ୍ୟ ବାହାରର ଦାଦନ ଶ୍ରମିକ ଓ ଲୋକେ ଅବାଧରେ ଓଡ଼ିଶା ଭିତରକୁ ବାଇକ ଓ ଚାଲି ଚାଲି ଆସୁଥିବା ଦେଖିବାକୁ ମିଳିଛି । ଓଡ଼ିଶା ଛତିଶଗଡ଼ ସୀମାନ୍ତର ଚନ୍ଦାହାଣ୍ଡି-ବେହେରା ରାସ୍ତା, ଉରମାଲ-ଜିମିଳିପଦର ରାସ୍ତା, ଆମପାଣି-ଘଣ୍ଟିଗୁଡା ରାସ୍ତା, ସିନାପାଲି-ଡୁମେରଗୁଡା ରାସ୍ତା, କାଂକେରି-ଡୁମେରମୁଣ୍ଡା ରାସ୍ତା, ରଇନଗୁଡା-ଲଟାପରା ରାସ୍ତା, ବେହେରା-ପାଇକପଡା ରାସ୍ତା, କୋଟମେର-କାଂକେରି ରାସ୍ତା, ଝାଙ୍କରପଡା ରାସ୍ତା, ଧଅଂରପୁର ରାସ୍ତା, କାଂକେରି-ବୁଢ଼ମୁଣ୍ଡା ରାସ୍ତା, ପିପିଲା ରାସ୍ତା, ଗୋଲାମୁଣ୍ଡା ବ୍ଲକ ର ନକଟିକାନି- ଗୁଦୁଡୁଗୁମା ରାସ୍ତା ଦେଇ ପୁଲିସ ଚେକିଂ ନ ଥିବା ଯୋଗୁଁ ଲୋକେ ବାଇକ ଓ ଚାରି ଚକିଆ ଯୋଗେ ଓଡ଼ିଶା ଭିତରକୁ ଅନାୟସରେ ପ୍ରବେଶ କରୁଛନ୍ତି ।

ପୁଲିସ ପକ୍ଷରୁ କେବଳ ପାଞ୍ଚଟି ଚେକିଂ ପୋଷ୍ଟ ଥିବା ବେଳେ ଅନ୍ୟ ଗଳାବାଟମାନଙ୍କୁ ପୁଲିସର ପହରା ନ ହେବା ଯୋଗୁଁ ସାଧାରଣ ରେ ଉଦବେଗ ପ୍ରକାଶ ପାଇଛି । କରୋନା ଭଳି ସମ୍ବେଦନଶୀଳ ପରିସ୍ଥିତିରେ ଲକଡାଉନ ବେଳେ ଲୋକଙ୍କ ଛତିଶଗଡ଼ରୁ ଓଡ଼ିଶାକୁ ଅନାୟସରେ ପ୍ରବେଶ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଛତିଶଗଡ଼ ସୀମାରେ ଅବାଧ ପ୍ରବେଶ ନେଇ ବାଲେଶ୍ଵର ଭଳି ସ୍ଥିତି ଉପଜିବା ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ । ପୁଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ଏ ନେଇ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବୀ ହୋଇଛି । ଏନେଇ ଧର୍ମଗଡ଼ ପୁଲିସ ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା ଙ୍କୁ ପଚାରିବାରୁ ଧର୍ମଗଡ଼ ଥାନା ଅଧୀନରେ ୪ ଟି ଓ କୋକସରା ଥାନା ଅଞ୍ଚଳରେ ଗୋଟିଏ ସମେତ ପାଞ୍ଚଟି ସ୍ଥାନରେ ଚେକ ପୋଷ୍ଟ କରାଯାଇ ବ୍ୟାପକ ତନଖି କରା ଯାଉଛି । ଅନ୍ୟ ଛୋଟ ଛୋଟ ରାସ୍ତାରେ ବ୍ୟାରେକଡ଼ ଓ ଗଛ ପକାଯାଇ ଅବରୋଧ କରାଯାଇଛି ବୋଲି କହିଥିଲେ ।

ସମ୍ବନ୍ଧିତ ଖବର