କଳାହାଣ୍ଡି ଜିଲ୍ଲା : ଟିକଟକୁ ନେଇ ବିଜେଡିରେ ବଢୁଛି ଅସନ୍ତୋଷ, ବାଟ ଓଗା‌ଳୁଛନ୍ତି ଅସନ୍ତୁଷ୍ଟ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ବିଜେଡିରେ ଟିକଟ ବଣ୍ଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଅସନ୍ତୁଷ୍ଟ ନେତା ଦଳ ବଦଳ ପାଇଁ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି। ଟିକଟ ଆଶାୟୀମାନେ ଭୁବନେଶ୍ବରରେ ଡେରା ପକାଇଥିବା ବେଳେ ସେମାନଙ୍କ ସମର୍ଥକମାନେ ମଧ୍ୟ ଏ ନେଇ କସରତ ଆରମ୍ଭ କରି ଦେଇଛନ୍ତି। ଭବାନୀପାଟଣା ସଦର ନିର୍ବାଚନମଣ୍ଡଳୀରେ ବିଧାୟକ ଅନାମ ନାଏକଙ୍କ ବିକଳ୍ପ ନେଇ ଦଳ ଚିନ୍ତା କରୁଥିବା ବେଳେ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ଦୁଷ୍ମନ୍ତ ନାଏକଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧଂଦେହୀ ଡାକରା ଦିଆଯାଇଛି। ଶୁକ୍ରବାର ଅନାମଙ୍କ ସମର୍ଥକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଅସନ୍ତୋଷ ଜଣାଇଥିଲେ। ଦୁଷ୍ମନ୍ତ ନାଏକ କିମ୍ବା ତାଙ୍କ ପତ୍ନୀ ଲଳିତା ନାଏକଙ୍କୁ ଟିକଟ ଦିଆଗଲେ ଦଳରୁ ଇସ୍ତଫା ଦେ‌ବେ ବୋଲି ଚେତାବନୀ ଦେଇଛନ୍ତି। ଯଦି ଅନାମଙ୍କୁ ଟିକଟ ଦିଆନ ଯାଉଛି ତାହେଲେ ଦଳର ଯେକୌଣସି ଆଶାୟୀ ବରିଷ୍ଠ ନେତାଙ୍କୁ ଟିକଟ ଦେବା ପାଇଁ ଅନୁରୋଧ କରିଥିଲେ।

ସେହିଭଳି ଜୁନାଗଡ ନିର୍ବାଚନମଣ୍ଡଳୀର ସରପଞ୍ଚ, ସମିତିସଭ୍ୟ ଓ ଦଳୀୟ ନେତା ଦିବ୍ୟଶଙ୍କର ମିଶ୍ରଙ୍କୁ ଟିକଟ ଦେବା ପାଇଁ ଯୁକ୍ତି ବାଢିଥିଲେ। ଦିବ୍ୟଶଙ୍କର ବଦଳରେ ସାଂସଦ ଅର୍କକେଶରୀ ଦେଓଙ୍କ ପତ୍ନୀ ମାଳବିକା ଦେଓଙ୍କୁ ବିଧାୟକ ଟିକଟ ପ୍ରଦାନ କରାଗଲେ ତୀବ୍ର ବିରୋଧ କରିବେ ବୋଲି ରାଜ୍ୟ କର୍ମକର୍ତ୍ତାଙ୍କୁ ରୋକଠୋକ ଶୁଣାଇଛନ୍ତି। ନର୍ଲା ନିର୍ବାଚନମଣ୍ଡଳୀରେ ବିଧାୟକ ଧନେଶ୍ବର ମାଝୀଙ୍କ ବିକଳ୍ପ ଭାବେ ସ୍ବର୍ଗତ କିରଣଚନ୍ଦ୍ର ସିଂହଦେଓଙ୍କ ପୁଅ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ମଧ୍ୟ ଦଳୀୟ ନେତାମାନେ ତୀବ୍ର ବିରୋଧ କରୁଛନ୍ତି। କର୍ଲାମୁଣ୍ଡା, ନର୍ଲା ଓ ମଦନପୁର ରାମପୁର ବ୍ଲକ ଅଧ୍ୟକ୍ଷମାନେ ପୁଷ୍ପେନ୍ଦ୍ରଙ୍କୁ ବାଟ ଓଗାଳିଛନ୍ତି। ମଦନପୁର ରାମପୁର ରାଜପରିବାର ପକ୍ଷରୁ ମଧ୍ୟ ତାଙ୍କ ପ୍ରାର୍ଥିତ୍ବକୁ ତୀବ୍ର ବିରୋଧ କରିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ଭୂପିନ୍ଦର ସିଂହ ଓ ଆଦିତ୍ୟ ନନ୍ଦଙ୍କ ସମର୍ଥକମାନେ ଏହାର ଫାଇଦା ନେଇ ନିଜ ସପକ୍ଷରେ ନବୀନ ନିବାସରେ ଫେରାଦ ହେଉଥିବା ଦେଖିବାକୁ ମିଳିଛି।

ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀରେ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ପ୍ରଦୀପ ଦିଶାରୀଙ୍କୁ ଟିକଟ ଦେବା ନେଇ ଦଳ ବିଚାର ବିମର୍ଶ କରୁଥିବା ବେଳେ ବିଧାୟକ ବଳଭଦ୍ର ମାଝୀ ବିଜେପି ଆଡକୁ ମୁହାଁଉଥିବା ଆଲୋଚନା ହେଉଛି। ଧର୍ମଗଡ ନିର୍ବାଚନମଣ୍ଡଳୀରେ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ସାଂସଦ ପାଇଁ ଦଳଆଡୁ ପରାମର୍ଶ ଦେଉଥିବା ବେଳେ ଏ ନେଇ ସେ କୁଆଡ଼େ ରାଜି ନଥିବା ତାଙ୍କ ସମର୍ଥକମାନେ ଚର୍ଚ୍ଚା କରୁଛନ୍ତି। ଯଦି ପୁଷ୍ପେନ୍ଦ୍ରଙ୍କୁ ସାଂସଦ ଟିକଟ ମିଳେ ତାହେଲେ ଧର୍ମଗଡ଼ ପାଇଁ ମହୋଷଧି ବାଗ ଓ ଜନାର୍ଦ୍ଦନ ପଣ୍ଡାଙ୍କ ନାଁ ଚର୍ଚ୍ଚାରରେ ରହିଛି। ଅନ୍ୟପକ୍ଷରେ ମାଳବିକା ଦେଓଙ୍କୁ ଜୁନାଗଡରେ ଥଇଥାନ କରାଗଲେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ଧର୍ମଗଡ଼ ଟିକଟ ଦେବା ସମ୍ଭାବନା ନେଇ ଦଳୀୟ କର୍ମୀମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଯଦି ମାଳବିକାଙ୍କୁ ସାଂସଦ ଟିକଟ ଦିଆଯାଏ ତାହେଲେ ଦିବ୍ୟଶଙ୍କର ପୁନର୍ବାର ଜୁନାଗଡ ଓ ପୁଷ୍ପେନ୍ଦ୍ରଙ୍କୁ ଧର୍ମଗଡ଼ରେ ଥଇଥାନ କରାଯିବ ବୋଲି କୁହାଯାଉଛି। କଳାହାଣ୍ଡି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବା ଯୋଗୁଁ ଚୂଡ଼ାନ୍ତ ଟିକଟ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ପ୍ରଥମ ଥର ପାଇଁ ଜିଲ୍ଲାର ସବୁ ନିର୍ବାଚନମଣ୍ଡଳୀରେ ବିଜେଡିର ଆଶାୟୀ ମାନଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ଯୋଗୁଁ ଦଳ ବର୍ତ୍ତମାନ ବିଧାୟକମାନଙ୍କ ଉପରେ ଭରସା ଯୁଟାଇ ପାରୁ ନାହିଁ। ଟିକଟ ଚୂଡ଼ାନ୍ତ ହେବା ପରେ ବହୁ ଆଶାୟୀ ଦଳ ବିରୋଧରେ ନିଜର ଅସନ୍ତୋଷ ଜାହିର କରି ବିଜେଡି ପାଇଁ ଆତ୍ମଘାତୀ ହେବ‌ ବୋଲି ଦଳରେ ଆଶା ଆଶଙ୍କା ପ୍ରକାଶ ପାଇଛି। ଦଳ ପକ୍ଷରୁ ଏହାକୁ ନେଇ କିଭଳି ଗୋଟି ଚାଳନା କରୁଛନ୍ତି ସେ ନେଇ ସଭିଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର