କଟକ ଆସୁଛନ୍ତି କଳାହାଣ୍ଡିର କରୋନା ଆକ୍ରାନ୍ତ, ବିଳମ୍ବିତ ରାତିରେ ପହଞ୍ଚିବେ LatestLeadingକରୋନା By Sambad Digital Last updated Apr 5, 2020 ସେୟାର ଭବାନୀପାଟଣା/ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାରେ ଗତକାଲି ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛି । ସଂକ୍ରମିତ ଯୁବକ ଜଣକ ଗୋଳାମୁଣ୍ଡା ଅଞ୍ଚଳର ବୋଲି ଜଣାପଡିଥିଲା । ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ସହଯୋଗରେ ସଂକ୍ରମିତ ଯୁବକଙ୍କୁ କଟକ ସ୍ଥିତ ଅଶ୍ୱିନୀ କୋଭିଡ-୧୯ ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଯାଇଛି । ଗତକାଲି ରାତିଠାରୁ ଧର୍ମଗଡ଼ ପୋଲିସ ଏସ୍ ଡ଼ି ପି ଓ ଓ ଉପ ଜିଲ୍ଲାପାଳ ପରିସ୍ଥିତିର ଅନୁଧ୍ୟାନ କରି ଆକ୍ରାନ୍ତଙ୍କ ପଞ୍ଚାୟତ ସିଲ କରି ଦିଆଯାଇଛି। ଫଳରେ ବାହାର ଲୋକେ ପଞ୍ଚାୟତ ଭିତରକୁ ଯାଇ ପାରିବେ ନାହିଁ । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପରିବାରର ବାପା, ମା, ଭଉଣୀ, ଜେଜେମା, ଦୁଇ କାକା ପୁଅ, ଭଉଣୀଙ୍କ ସମ୍ପର୍କୀୟ ଓ ୧୪ଜଣ କ୍ରିକେଟ ଖେଳାଳି, ବୋଲେରୋ ଡ୍ରାଇଭର ସମେତ ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଆସିଥିବା ୩୧ ଜଣଙ୍କୁ ଭବାନୀପାଟଣା ଅଣାଯାଇ ରକ୍ତ ସ୍ୱାବ ସଂଗ୍ରହ କରାଯାଇଥିଲା । ପରେ ସେମାନଙ୍କ ରକ୍ତ ସ୍ୱାବକୁ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଛି। Sambad is now on WhatsApp Join and get latest news updates delivered to you via WhatsApp Join Now ସମସ୍ତ ୩୧ ଜଣଙ୍କୁ ବାନ୍ଦପଲା ସ୍ଥିତ ଇଂଜିନିୟରିଂ କଲେଜ ଅସ୍ଥାୟୀ ସଂଘରୋଧ କେନ୍ଦ୍ରରେ ରଖାଯାଇଛି । ସ୍ୱାବ ପରୀକ୍ଷା ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଚିକିତ୍ସା ଆରମ୍ଭ ହେବ ବୋଲି ଜଣା ପଡ଼ିଛି । କଳାହାଣ୍ଡି ଜିଲ୍ଲାପାଳ ହର୍ଷଦ ପରାଗଙ୍କ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି, ୩୧ ଜଣଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ହେଇଥିବା ବେଳେ ସେମାନଙ୍କ କ୍ୱାରେଣ୍ଟାଇନରେ ରଖାଯାଇଛି । ସଂପୃକ୍ତ ପଞ୍ଚାୟତରେ ଲୋକଙ୍କ ଚଳପ୍ରଚଳ ବନ୍ଦ କରି ସିଲ କରି ଦିଆଯାଇଛି ବୋଲି କହିଛନ୍ତି । ଏହି ଘଟଣା ପରେ ଉଭୟ ଧର୍ମଗଡ଼ ଓ ଗୋଲାମୁଣ୍ଡା ବ୍ଲକରେ ଲାକଡାଉନକୁ ଗାଁ ଲୋକମାନେ କଡାକଡ଼ି କରିଛନ୍ତି । ଏପରିକି ୧୦୮ ଆମ୍ବୁଲାନ୍ସକୁ ମଧ୍ୟ ଲୋକ ଛାଡୁନଥିବା ଦେଖିବାକୁ ମିଳିଥିଲା । ପୁଲିସର ହସ୍ତକ୍ଷେପ ପରେ ୧୦୮ ଚଳପ୍ରଚଳ କରିଥିଲା। ଆକ୍ରାନ୍ତ ୨୯ ବର୍ଷୀୟ ଯୁବକ ଜଣକ ବାହାରିନ ଦେଶରୁ ଗତ ୨ବର୍ଷ ଧରି ପାୱାରମେକ୍ କମ୍ପାନିରେ ଫିଟର ଭାବରେ କାର୍ଯ୍ୟ କରୁଥିଲେ । ଗତ ମାର୍ଚ୍ଚ ୧୭ ତାରିଖ ଦିନ ବିମାନ ଯୋଗେ ନୂଆଦିଲ୍ଲୀ ଠାରେ ପହଞ୍ଚିଥିଲେ । ପୁଣି ସେଠାରୁ ବିମାନ ଯୋଗେ ହାଇଦ୍ରାବାଦ ଯାଇଥିଲେ । ସେଠାରେ ଥିବା ତାଙ୍କ ସାଥିଙ୍କ ସହିତ ମଧ୍ୟ ଭେଟ ହେଇଥିଲେ । ହାଇଦ୍ରାବାଦରୁ ବିଶାଖାପାଟଣାକୁ ପୁଣି ବିମାନ ଯୋଗେ ଆସିଥିଲେ । ବିଶାଖାପାଟଣାରୁ ବସ୍ ଯୋଗେ ରାୟଗଡାକୁ ଆସିଥିଲେ । ରାୟଗଡ଼ା ଠାରୁ କେସିଙ୍ଗା ପର୍ଯ୍ୟନ୍ତ ଟ୍ରେନ ଯୋଗେ ଯାତ୍ରା କରିଥିଲେ । କେସିଙ୍ଗା ରେଳ ଷ୍ଟେସନ ଠାରେ ଏକ ବୋଲେରୋ ଗାଡି ଭଡା କରି ମାର୍ଚ୍ଚ ୧୯ ତାରିଖ ଦିନ ତାଙ୍କ ଗାଁ ରେ ପହଞ୍ଚିଥିଲେ। ସେ ସୁସ୍ଥ ଥିବା ଯୋଗୁଁ ହୋମ କ୍ୱାରେଣ୍ଟାଇନରେ ଥିଲେ । ସୁସ୍ଥ ଥିବା ଯୋଗୁଁ ସେ ଗାଁ ରେ ତାଙ୍କ ସାଙ୍ଗ ମାନଙ୍କ ସହିତ କ୍ରିକେଟ ମଧ୍ୟ ଖଳିଥିଲେ। ନିକଟରେ ଥିବା ତାଙ୍କ ଭଉଣୀ ଘରକୁ ମଧ୍ୟ ଯାଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଦେଶ ବାହାରୁ ଆସିଥିବା ଯୋଗୁଁ ଗତ ଏପ୍ରିଲ ୨ ତାରିଖ ଦିନ ତାଙ୍କୁ ଭବାନୀପାଟଣାକୁ ଅଣାଯାଇ ସ୍ୱାବ ନମୁନା ନିଆଯାଇଥିଲା । ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ବାହାରିବା ପରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗର ମାରାଥନ ବୈଠକ ଅନୁଷ୍ଠିତ ହେଇଥିଲା । କାଳି ସକାଳ ୧୧ ଟାରେ ଆକ୍ରାନ୍ତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାରେ ଏହା ପ୍ରଥମ ପଜିଟିଭ ହେଇଥିବା ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହେଇଛି । କେଉଁ କେଉଁ ମାନଙ୍କ ସଂସ୍ପର୍ଶରେ ସେ ଆସିଥିଲେ ସେମାନଙ୍କୁ ଚିହ୍ନଟ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କସରତ ଆରମ୍ଭ ହୋଇଛି ।