କଳାହାଣ୍ଡି: ଯୋଗାଣ ବିଭାଗରେ ଅଖା ଦୁର୍ନୀତି!

୪ ବର୍ଷରେ ୨ କୋଟିର କେଳେଙ୍କାରୀ, ରାଜନେତାଙ୍କଠାରୁ ଅଧିକାରୀ ପର୍ଯ୍ୟନ୍ତ ଲମ୍ବିଛି ଦୁର୍ନୀତିର ଚେର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗରେ ଗତ ୪ ବର୍ଷ ଧରି ୪ଲକ୍ଷ ଅଖା ଯୋଗାଣରେ ପ୍ରାୟ ୨ କୋଟିରୁ ଅଧିକ ଟଙ୍କାର କେଳେଙ୍କାରୀ ଅଭିଯୋଗ ହୋଇଛି। ଗତ ସପ୍ତାହ ତଳେ ପ୍ରାୟ ୩୦ ଜଣ ମିଲର୍ସଙ୍କ ଅଖା ବାବଦକୁ ବକେୟା ପ୍ରାପ୍ୟ ପୈଠ ପାଇଁ ଆସିବା ପରେ ଏ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା। ଦୀର୍ଘ ଦିନ ଧରି ଅଖା ଦୁର୍ନୀତି ଚାଲିଥିବା ବେଳେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି। କଳାହାଣ୍ଡି ଜିଲ୍ଲାରେ ମିଲର୍ସମାନେ ବିଭିନ୍ନ ମଣ୍ଡିରୁ ପେକ୍ସ ଓ ଏସ୍‌ଏଚ୍‌ଜି ଜରିଆରେ ଧାନ ଉଠାଣ କରିଥାନ୍ତି। ଧାନର ମିଲିଂ ପରେ କଷ୍ଟମ ଚାଉଳ ଯୋଗାଣ ବିଭାଗକୁ ପ୍ରଦାନ କରିଥାନ୍ତି। ଏଥି ନିମନ୍ତେ ପ୍ରତିବର୍ଷ ଯୋଗାଣ ବିଭାଗ ପକ୍ଷରୁ ପ୍ରାୟ ୧୫ ଶହ ବେଲ୍ ଅଖା ଆବଶ୍ୟକ ହୋଇଥାଏ। ପ୍ରତି ବେଲ୍ ରେ ୫୦୦ ଅଖା ଥାଏ। ମିଲର୍ସମାନେ ମଣ୍ଡିରୁ ଧାନ ଉଠାଣ ପରେ ପ୍ରାୟ ୬୮ ପ୍ରତିଶତ ଚାଉଳ ଡେଲିଭରି ଦେଇଥାନ୍ତି। ଗତ ୨୦୧୩-୧୪ , ୨୦୧୪-୧୫, ୨୦୧୫-୧୬, ୨୦୧୬-୧୭ ମସିହାରେ ମିଲର୍ସ ମାନଙ୍କୁ ପ୍ରଦାନ କରାଯାଇଥିବା ପ୍ରାୟ ୪ ଲକ୍ଷ ଅଖା ଗାୟବ ହୋଇଯାଇଛି। ପ୍ରତି ଅଖାର ମୂଲ୍ୟ ୫୦ ଟଙ୍କା ଥିବା ବେଳେ ପ୍ରାୟ ୨ କୋଟିରୁ ଅଧିକ ଟଙ୍କାର କେଳେଙ୍କାରୀ ସାମ୍ନାକୁ ଆସିଛି। ଗତ ସପ୍ତାହ ତଳେ ପ୍ରାୟ ୩୦ ଜଣ ମିଲର୍ସଙ୍କ ଅଖା ବାବଦକୁ ବକେୟା ପ୍ରାପ୍ୟ ପୈଠ କରିବା ତାଲିକା ଆସିବା ପରେ ଅଖା ଦୁର୍ନୀତିର ଗୁମର ଖୋଲିଥିଲା। ଏ ନେଇ ଜଣେ ମିଲର୍ସ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ସେମାନେ ଅଖା ନ ନେଇ କିଭଳି ବକେୟା ପ୍ରାପ୍ୟ ଟଙ୍କା ଆସିଛି ବୋଲି ଅଭିଯୋଗ କରିଥିଲେ। ଏହା ପୁରୁଣା ଅଧିକାରୀଙ୍କ ଅମଳରେ ହେଇଥିବା ଅଖା ଦୁର୍ନୀତି ବିଷୟରେ ଆମେ ଜାଣି ନାହୁଁ ବୋଲି ବିଭାଗ ପକ୍ଷରୁ ସଫେଇ ଦିଆଯାଇଥିଲା।

ସେହିଭଳି ବର୍ଷ ବର୍ଷ ଧରି ଅଖା ଦୁର୍ନୀତି ବାବଦକୁ କୋଟି କୋଟି ଟଙ୍କା ହଡ଼ପ ହେଉଥିଲେ ମଧ୍ୟ ସରକାରୀ ବାବୁଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ। ମିଲର୍ସଙ୍କ ଦୋଷ ଦୁର୍ବଳତା ଥିବା ଯୋଗୁଁ ଅଖା ଦୁର୍ନୀତି ନେଇଁ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ମୁହଁ ମଧ୍ୟ ଖୋଲୁ ନାହିଁ। ବର୍ତ୍ତମାନ କିଭଳି ଏହି ଘଟଣା ସାମ୍ନାକୁ ଆସିଛି ତାହା ଏବେ ତଦନ୍ତସାପେକ୍ଷ। ଜିଲ୍ଲାରେ ଅଖା ଦୁର୍ନୀତିର ଚେର କିଛି ରାଜନେତାଙ୍କଠାରୁ ଅଧିକାରୀ ପର୍ଯ୍ୟନ୍ତ ଲମ୍ବିଛି। ଏହି ଅଖା ଦୁର୍ନୀତିର ତଦନ୍ତ କରା ଗଲେ ବହୁ ରହସ୍ୟ ଉନ୍ମୋଚିତ ହେବ। ଯୋଗାଣ ବିଭାଗ ପକ୍ଷରୁ ଅଖା ଯୋଗାଣ ନେଇ କୌଣସି ତଥ୍ୟ ଦେବାକୁ ମନା କରୁଥିବା ବେଳେ ଅନ୍ୟପଟେ ଏହି କେଳେଙ୍କାରୀକୁ ଚପେଇ ଦେବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ ହୋଇଛି। କିଛି ମୁଷ୍ଟିମେୟ ମିଲର୍ସଙ୍କୁ ଅଧିକ ଅଖା ପ୍ରଦାନ କରି ଅନ୍ୟ ମିଲର୍ସଙ୍କୁ ଅନ୍ଧାରରେ ରଖି କାଗଜପତ୍ରରେ ଅଖା ବଣ୍ଟା ଚାଲିଥିବାର ସଂଗିନ ଅଭିଯୋଗ ହୋଇଛି। ଏଭଳି କିଛି ମୁଷ୍ଟିମେୟ ମିଲର୍ସ ରାଜନେତାମାନଙ୍କୁ ହାତବାରିସୀ କରି ବିଭାଗ ଉପରେ ଚାପ ପକାଉଥିବା ମଧ୍ୟ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ତୁରନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସମ୍ପୃକ୍ତ ଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି। ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କୁ ପଚାରିବାରୁ କିଛି ମିଲର୍ସ ମୌଖିକ ଭାବରେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ଲିଖିତ ଭାବରେ ଅଭିଯୋଗ କରିବା ପାଇଁ କହିଛି। ଲିଖିତ ଅଭିଯୋଗ ହେବାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର