ଭବାନୀପାଟଣା: କଳାହାଣ୍ଡି ରାଜ୍ୟରେ ସର୍ବାଧିକ କପା ଉତ୍ପାଦନକାରୀ ଜିଲ୍ଲା। ତେବେ ପରିତାପର ବିଷୟ ଜିଲ୍ଲାରେ ଗୋଟିଏ ବି ସରକାରୀ ଜିନିଂ ମିଲ୍‌ କିମ୍ବା ସ୍ପିନିଂ ମିଲ୍‌ କାର୍ଯ୍ୟକ୍ଷମ ହୋଇନାହିଁ। ଅନ୍ୟପକ୍ଷରେ କପା ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। କମ୍‌ ମୂଲ୍ୟରେ କପା ବିକ୍ରି କରି ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର କପା ଲମ୍ବା ତନ୍ତୁଜାତୀୟ ଅତ୍ୟନ୍ତ ଉଚ୍ଚମାନର ହୋଇଥିବା ଯୋଗୁଁ ବିଦେଶକୁ ରପ୍ତାନି ହୋଇଥାଏ। ତେବେ, ସ୍ଥାନୀୟ ରାଜନେତାଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ କପା ରାଜନୀତି ଯୋଗୁଁ ଭିତ୍ତିଭୂମି ବିକାଶ ହୋଇପାରି ନାହିଁ। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ କପା ରାଜନୀତିର ପଶାପାଲିରେ କଳାହାଣ୍ଡିର କପାଚାଷୀ ପେଷି ହେଉଛନ୍ତି।

Advertisment

କଳାହାଣ୍ଡି ଜିଲ୍ଲାରେ କପା ଚାଷ ବଢ଼ୁଛି। ୨୦୧୮-୧୯ ମସିହାରେ ୫୮,୪୧୧ ହେକ୍ଟର ଜମିରୁ ୫୮୪୧୧୦ କୁଇଣ୍ଟାଲ କପା ଉତ୍ପାଦନ ହୋଇଥିବା ବେଳେ ୨୦୨୨-୨୩ ମସିହାରେ ୭୦୭୮୦ ହେକ୍ଟର ଜମିରୁ ୯ ଲକ୍ଷ ୬୦ ହଜାର କୁଇଣ୍ଟାଲ କପା ଉତ୍ପାଦନ ହୋଇଥିଲା। କପାକ୍ରୟ ନିମନ୍ତେ ଭବାନୀପାଟଣା ଆର୍‌ଏମ୍‌ସିର କର୍ଲାପଡ଼ା, କେସିଙ୍ଗା ଆର୍‌ଏମ୍‌ସିର ଉତ୍କେଲା, ଜୁନାଗଡ଼ ଆର୍‌ଏମ୍‌ସିର ଉଛଲାରେ ମଣ୍ଡି ରହିଛି। ବର୍ତ୍ତମାନ ନୂଆ ଭାବେ ତଲଜାରିଙ୍ଗରେ କପା ମଣ୍ଡି ଖୋଲିବାକୁ ନିଷ୍ପତ୍ତି ହୋଇଛି। ୨୦୨୧-୨୨ ଓ ୨୦୨୨-୨୩ ମସିହାରେ ମଣ୍ଡି ବନ୍ଦ ରହିଥିଲା। ବର୍ତ୍ତମାନ କପାର ସହାୟକ ମୂଲ୍ୟ ୭ ହଜାର ୨୦ ଟଙ୍କା ରହିଛି। ଗତ ୨ବର୍ଷ ମଣ୍ଡି ବନ୍ଦ ଥିବା ବେଳେ ବାହାର ରାଜ୍ୟର କଂପାନିମାନେ ଚାଷୀଙ୍କଠାରୁ ୭,୫୦୦ ଟଙ୍କାରୁ ୯,୫୦୦ ଟଙ୍କା ପର୍ଯ୍ୟନ୍ତ କୁଇଣ୍ଟାଲ ପିଛା ମୂଲ୍ୟ ଦେଇ କିଣୁଥିଲେ। ବର୍ତ୍ତମାନ ମଣ୍ଡି ଆରମ୍ଭ ହେବା ପରେ ସହାୟକ ମୂଲ୍ୟ ୭୦୨୦ ଟଙ୍କାରେ କପା କୁଇଣ୍ଟାଲ ପିଛା ବିକ୍ରି କରିବେ। ଜିଲ୍ଲାରେ ରେକର୍ଡ ପରିମାଣ କପା ଉତ୍ପାଦନ ହେଉଥିଲେ ମଧ୍ୟ ସରକାରୀ ଭାବେ କୌଣସି ଜିନିଂ କିମ୍ବା ସ୍ପିନିଂ ମିଲ ନାହିଁ। କେବଳ ଘରୋଇ ଭାବରେ ୭ଟି ଜିନିଂ ମିଲ୍‌ ରହିଛି।

ଉତ୍ପାଦନ ବଢ଼ୁଛି, ଭିତ୍ତିଭୂମି ନାହିଁ
ଗୋଟିଏ ବି ସରକାରୀ ଜିନିଂ
କି ସ୍ପିନିଂ ମିଲ୍‌ ଚାଲୁନି
ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ କପା ରାଜନୀତିର ପଶାପାଲିରେ କଳାହାଣ୍ଡି

ଭାରତର ତାମିଲନାଡୁର ଇରୋଡ଼, ତିରପୁର, ଆନ୍ଧ୍ରପ୍ରଦେଶର ଗୁଣ୍ଟୁର, ମହାରାଷ୍ଟ୍ର ଓ ଗୁଜରାତକୁ ଯାଇଥାଏ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଓ ତାମିଲନାଡୁର ଇରୋଡ଼ରେ ଥିବା ଜିନିଂ ଓ ସ୍ପିନିଂ ମିଲ୍‌ ଦ୍ବାରା କପା ପ୍ରକ୍ରିୟାକରଣ ହୋଇ ଆମେରିକା, ଲଣ୍ଡନ ଓ ଫ୍ରାନ୍ସ ଭଳି ବିଶ୍ବ ବଜାରକୁ ଯାଇଥାଏ। ମହାରାଷ୍ଟ୍ରର କପା ରାଜନୀତି ସମଗ୍ର ଭାରତ ବର୍ଷର କପା ବଜାରକୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ନିୟନ୍ତ୍ରଣ କରିଥାନ୍ତି। ଏଥିଯୋଗୁଁ ଓଡ଼ିଶାରୁ ଉଚ୍ଚମାନର କପା ବିଭିନ୍ନ ମାଧ୍ୟମରେ କିଣି ଗୁଣ୍ଟୁର ଜରିଆରେ ବିଦେଶକୁ ଯାଇଥାଏ। ଓଡ଼ିଶାରେ କପା ଉତ୍ପାଦନ ହୋଇ ଅଧିକ ରାଜସ୍ବ ପାଉ ନଥିବାବେଳେ ଅନ୍ୟ ରାଜ୍ୟମାନେ କପା ଆମଦାନି କରି ମାଲାମାଲ ହେଉଛନ୍ତି।

ସେହିଭଳି ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ କପା ରାଜନୀତିର ପଶାପାଲିରେ କଳାହାଣ୍ଡିର ଚାଷୀ ନିଜର ଭାଗ୍ୟକୁ ଆଦରି ବସିଛି। ଆର୍‌ଏମ୍‌ସି ପକ୍ଷରୁ ଏକ ପ୍ରତିଶତ ଟିକସ ଆଦାୟ ହେଉଥିବାବେଳେ ମଣ୍ଡିର ଭିତ୍ତିଭୂମି ବିକାଶ ନେଇ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ। ଅନ୍ୟରାଜ୍ୟର କଂପାନି ଆସି ଅଧିକ ମୂଲ୍ୟରେ କପା କିଣୁଥିବାବେଳେ ମଣ୍ଡିରେ କମ୍‌ ମୂଲ୍ୟ ଯୋଗୁଁ ଚାଷୀମାନେ ମଣ୍ଡି ପ୍ରତି ମୁହଁ ମୋଡ଼ୁଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଘରୋଇ ଏଜେଣ୍ଟମାନେ ମଣ୍ଡି ଜରିଆରେ କମ୍‌ ମୂଲ୍ୟରେ କପା କିଣି ଅଧିକ ମୂଲ୍ୟରେ ବାହାରକୁ ଚାଲାଣ କରୁଛନ୍ତି।