ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ରତ୍ନପଥର ଖଣି ଗୁଡିକ ବର୍ତ୍ତମାନ ମୃତ୍ୟୁର ଉପତ୍ୟକାରେ ନିଜର ପରିଚୟ ଖୋଜୁଛି। ବେଆଇନ ଭାବରେ ବିପଦସଙ୍କୁଳ ଅବସ୍ଥାରେ ରତ୍ନ ପଥର ଖୋଳା ଚାଲିଛି। ଏହି ରତ୍ନପଥର କଳାହାଣ୍ଡିରୁ କଣ୍ଟାବାଞ୍ଜି ଦେଇ ରାଜସ୍ଥାନ ଚୋରାଚାଲାଣ ହେଉଥିବା ବେଳେ ଓଡ଼ିଶା ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ଖଣି ବିଭାଗ ଓ ପୁଲିସ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତ ସାରରେ ବେଆଇନ ରତ୍ନପଥର ଖଣି ଖୋଳା ଯାଉଛି। ସମସ୍ତଙ୍କ ଜ୍ଞାତ ସାରରେ ଏହି କାରବାର ଚାଲିଥିବା ବେଳେ ଅତି ବିପଦପୂର୍ଣ୍ଣ ଅବସ୍ଥାରେ କିଛି ଟଙ୍କା ରୋଜଗାର କରିବା ପାଇଁ ଶିଶୁଠାରୁ ଶ୍ରମିକାମାନଙ୍କ ପର୍ଯ୍ୟନ୍ତ ନିଜ ଜୀବନକୁ ବାଜି ଲଗାଉଛନ୍ତି। ରାଜସ୍ଥାନର ବେପାରୀମାନେ ଅଧିକ ଟଙ୍କା ଦେଇ ସ୍ଥାନୀୟ ଲୋକମାନଙ୍କୁ ଶ୍ରମିକ ଭାବେ ଲଗାଇ ରତ୍ନପଥର ଖୋଳୁଥିବା ବେଳେ ସୁଡ଼ଙ୍ଗ ଭିତରେ ଅନେକଙ୍କ ପ୍ରାଣହାନୀ ମଧ୍ୟ ଘଟୁଛି। ପୁଲିସ ଭୟରେ ଏହି ଘଟଣା ଗୁଡିକ ଗାଁ ଭିତରେ ଚାପି ରହିଯାଉଛି। ଅନ୍ୟପଟେ ବେଆଇନ ରତ୍ନପଥର ଚାଲାଣ କରି ବ୍ୟବସାୟୀମାନେ ମାଲାମାଲ ହେଉଥିବା ବେଳେ ମୃତ୍ୟୁର ଉପତ୍ୟକାରେ ନିରୀହ ଶ୍ରମିକମାନେ ବିପଦ ସହିତ ଖେଳୁଛନ୍ତି।

Advertisment

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ମହକୁମାରୁ ମାତ୍ର ୧୫ କିମି ଦୂରରେ ରତ୍ନପଥର ଖନନ ଚାଲିଛି। କର୍ଲାପାଟ ଅଭୟାରଣ୍ୟର ଜୁନାଗଡ଼ ଓ ଭବାନୀପାଟଣା ବନ ବିଭାଗ ରେଞ୍ଜ ଅଧୀନରେ ବହୁ ସ୍ଥାନରେ ବେଆଇନ ଖନନ ନିମନ୍ତେ ବଜାର ଭଳି ଲୋକଙ୍କ ଏକାଠି ହେବା ଦେଖିବାକୁ ମିଳିଛି। ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣ୍ଡୋଗୁଡା, ଜିଲିଙ୍ଗଦର, ରାବଣଡଙ୍ଗର, ଲାଇନଡଙ୍ଗରରେ ରତ୍ନପଥର ବେଆଇନ ଭାବେ ଖୋଳାଚାଲିଛି। ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଲାବଣ୍ୟସର, ଓଲବାହାଲି, କାଶୀପଦର, କେନ୍ଦୁକୁପଲା, କୁନକୁତା, ଭାଲୁଚୁଆଁ, ମାକରଚୁଆଁ, ଉଡ଼ରୁଙ୍ଗ, ଓଲମା, ବାନ୍ଧନଡ଼ଙ୍ଗରରେ ରତ୍ନପଥର ଖଣି ଲୁଟ୍‌ ଚାଲିଛି। ଥୁଆମୂଳ ରାମପୁର ବ୍ଲକର କିଛି ଅଞ୍ଚଳରେ ରତ୍ନପଥର ଖଣି ଉପରେ ମାଫିଆମାନଙ୍କ ଲୋଲୁପ ଦୃଷ୍ଟି ରହିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ବାର୍ଟସାଇଜ, ନିଲମ, ମାଣିକ୍ୟ, ମୁନଷ୍ଟନ, ରୁବି, ପନ୍ନା ଭଳି ମୂଲ୍ୟବାନ ରତ୍ନପଥର ଅବାଧରେ ଚୋରାରେ ଖଣି ଲୁଟ୍‌ ଚାଲିଛି। ଜୁନାଗଡ଼ ଅଞ୍ଚଳର ହିଂଜିଲିବାହାଳି ଓ ଜିଲିଙ୍ଗଦର ରତ୍ନପଥର ଖଣିକୁ ଗତ ୩୦ ବର୍ଷ ଟିକେ ଓଏମ୍‌ସି କମ୍ପାନି ଖଣି ଖନନ କରୁଥିଲା।

publive-image

ପରେ ଏହି ଖଣିକୁ ଜେମକୋ ନାମକ ଏକ କମ୍ପାନି ଖନନର ଦାୟିତ୍ୱ ନେଇଥିଲା। ବର୍ତ୍ତମାନ ସମସ୍ତ ଖଣି ଖନନ ବନ୍ଦ ଅଛି ଏବଂ ଏହାର ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ ରହିଛି। ସଂରକ୍ଷିତ ଜଙ୍ଗଲ, ପ୍ରସ୍ତାବିତ ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ ପ୍ରଭୃତି ଅଞ୍ଚଳରେ ଚୋରାରେ ଖଣି ଖଦାନ ଖୋଳା ଯାଉଛି। ବିପଦଜ୍ଜନକ ଅବସ୍ଥାରେ ଖୋଲାଖୋଳି ଭାବରେ ବେଆଇନ ରତ୍ନପଥର ଲୁଟ ନେଇ ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଓ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଯୋଗୁଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରତ୍ନପଥର ଦଲାଲମାନେ ପ୍ରଶାସନଠାରୁ ଆରମ୍ଭ କରି ପୁଲିସ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ କବଜାରେ ରଖିଥିବା ଯୋଗୁଁ କେହି ମଧ୍ୟ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ଏହି ଅଞ୍ଚଳକୁ ସରଜମିନ ତଦନ୍ତ କରିବା ପାଇଁ ମଧ୍ୟ ଯାଉନାହାନ୍ତି। ତୁରନ୍ତ ରାଜ୍ୟ ସରକାର ଏକ ସ୍କ୍ବାଡ୍‌ ଗଠନ କରି ବେଆଇନ ରତ୍ନପଥର ଲୁଟ୍‌ ଉପରେ ଚଢ଼ଉ କରାଯିବାକୁ ସାଧାରଣରେ ଦାବି ହୋଇଛି। ଏନେଇ ଜିଲ୍ଲା ଖଣି ବିଭାଗ ଉପନିର୍ଦ୍ଦେଶକଙ୍କୁ ପଚାରିବାରୁ ଜିଲ୍ଲାପାଳଙ୍କ ସହିତ ଏନେଇ ଆଲୋଚନା ହୋଇଛି। ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।