ଆଇପିଏଲ ସଟା ବେଟିଂ ଜାଲରେ କଳାହାଣ୍ଡି : ଦିନକୁ କୋଟି କୋଟି ଟଙ୍କାର ଖେଳ, କରୋଡ଼ପତି ନିଶାରେ ହେଉଛନ୍ତି ସର୍ବସ୍ୱାନ୍ତ

ଏହି ରାକେଟ ଚେର କଳାହାଣ୍ଡିରୁ ଟିଟିଲାଗଡ଼ ଓ ରାୟପୁରକୁ ଲମ୍ବିଛି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଆଇପିଏଲ ସଟା ବେଟିଂ ଜାଲରେ ଲୋକେ ଏବେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଛି । ରାତାରାତି କରୋଡ଼ପତି ହେବା ନିଶାରେ ଲୋକେ ସର୍ବସ୍ୱାନ୍ତ ହେଉଛନ୍ତି । ଆଇପିଏଲ ଯୋଗୁଁ ଲୋକେ ଘରଦ୍ୱାର ଜମିବାଡ଼ି ବିକ୍ରି କରିଦେଉଥିବା ନଜରକୁ ଆସୁଛି । ଏହି ରାକେଟ ଚେର କଳାହାଣ୍ଡିରୁ ଟିଟିଲାଗଡ଼ ଓ ରାୟପୁରକୁ ଲମ୍ବିବା ଘଟଣା ସାଧାରଣରେ ଉଦବେଗର ବିଷୟ ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼, ଜୟପାଟଣା, କେସିଙ୍ଗା, କଲମପୁର, କୋକସରା ସମେତ ବିଭିନ୍ନ ସହରରେ ପ୍ରତିଦିନ ଆଇପିଏଲ କ୍ରିକେଟ ବେଟିଂ ଦେଖିବାକୁ ମିଳୁଛି । ଆଇପିଏଲର ଦୁଇ ପ୍ରତିପକ୍ଷ ଟିମରେ କିଏ ଜିତିବ, କିଏ ହାରିବ ସେନେଇ ଟଙ୍କା ଲଗାଯାଉଛି । ସେହିଭଳି ପ୍ରତି ଓଭର, ଛକା, ଉଇକେଟ, କ୍ୟାଚ, ଦଳଗତ ରନ ସ୍କୋର, ବ୍ୟାଟ୍ସମ୍ୟାନଙ୍କ ବ୍ୟକ୍ତିଗତ ରନ ସ୍କୋରରେ ଲୋକେ ଟଙ୍କା ଲଗାଉଛନ୍ତି । ଯଦି ଯେଉଁ ଟିମରେ ଟଙ୍କା ଲଗାଉଛନ୍ତି ସେହି ଟିମ ଜିତିବ ତାହେଲେ ଟଙ୍କା ୨ ରୁ ୮୦ ଗୁଣା ଟଙ୍କା ମିଳିବ । ଯଦି ଯେଉଁ ଟିମ ବିପକ୍ଷରେ ଟଙ୍କା ଲଗାଯାଇଥିବ ସେହି ଟିମ ହାରେ ତାହେଲେ ସର୍ବସ୍ୱାନ୍ତ ହେବା ସୁନିଶ୍ଚିତ । ଏଭଳି ଭାବରେ ଲୋକେ ରାତାରାତି କରୋଡ଼ପତି ହେବା ନିଶାରେ ଆଇପିଏଲ ବେଟିଂ ରେ ଟଙ୍କା ଲଗେଇ ଦେଉଛନ୍ତି । ବର୍ତ୍ତମାନ ଛୋଟ ଛୋଟ ବୁକି ମାନେ ଲକ୍ଷ ଲକ୍ଷ ଟଙ୍କାର ଖେଳ କରୁଥିବା ବେଳେ ଏହି ବେଟିଂ ଟିଟିଲାଗଡ଼ ଓ ରାୟପୁରରୁ କଣ୍ଟ୍ରୋଲ ହେଉଛି । ଫୋନ ମାଧ୍ୟମରେ ଏହି ଖେଳ ଚାଲୁଥିବା ବେଳେ ପୁଲିସ ମଧ୍ୟ ଏହାର ସୁରାକ ପାଇପାରୁନାହିଁ । ଜିଲ୍ଲାର ମହିଳାମାନେ ମଧ୍ୟ ଏହି ଖେଳରେ ବେଟିଂ ଲଗାଉଥିବା ଅଭିଯୋଗ ହୋଇଛି । ଗତବର୍ଷ ଜୁନାଗଡ଼ ସହରର ଜଣେ ଯୁବକ ୫ କୋଟି ଟଙ୍କାର ବେଟିଂ ଲଗେଇଥିଲେ । ହାରିଯିବା ପରେ ସେ ବାହାର ରାଜ୍ୟକୁ ଚାଲିଯାଇଥିଲେ । ତାଙ୍କୁ ପରେ ପରିବାର ଲୋକେ କୋଲକତାରେ ଠାଵ କରିଥିଲେ।

କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଠାରୁ ଆଇପିଏଲ ସଟା କଣ୍ଟ୍ରୋଲ ହେଉଥିବା ବେଳେ ଭବାନୀପାଟଣା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି, ରାୟପୁର ନେଟୱାର୍କ ଦେଇ ନିଜର ବେଟିଂ ସାମ୍ରାଜ୍ୟକୁ ବିସ୍ତାର କରିବାରେ ଲାଗିଛନ୍ତି । ଏହି ବେଟିଂରେ ଧନୀ ଯୁବକ ଶ୍ରେଣୀର ଲୋକେ ଅଧିକ ଲାଭ ଆଶାରେ ଆର୍ଥକୁ ଜୁଆ ଖେଳୁଛନ୍ତି । ଏହି ଆଇପିଏଲ ବେଟିଂ ଯୋଗୁଁ ବହୁ ଯୁବକ ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି । ଏନେଇ ପୁଲିସ ପ୍ରଶାସନ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଚଢଉ କଲେ ଏହି କଳାକାରାନାମା ରାକେଟର ପର୍ଦାଫାସ ହୋଇପାରନ୍ତା ବୋଲି ସାଧାରଣରେ ଦାବୀ ହୋଇଛି । ଏନେଇ କଳାହାଣ୍ଡି ପୁଲିସ ଏସପି ବାତୁଲା ଗଙ୍ଗାଧରଙ୍କୁ ପଚାରିବାରୁ ଏନେଇ ଆମେ ନଜର ରଖିଛୁ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର