ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଭିନ୍ନ କାରଣରୁ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବ ମନ୍ତ୍ରୀ ପୁଣି ବିବାହ କରିବାକୁ ଥିବା ନେଇ ସୋମବାର ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଛି। ଏହାକୁ ନେଇ ସବୁଠି ଚର୍ଚ୍ଚା ଜୋର୍ ଧରିଛି। ଦିବ୍ୟ ଶଙ୍କର ମିଶ୍ର ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରୁଛନ୍ତି। ଆସନ୍ତା ଫେବ୍ରୁଆରି ଶେଷ ସପ୍ତାହରେ ପୁରୀଠାରେ ବିବାହ କରିବେ ବୋଲି ସୂଚନା ମିଳିଛି।
ଏନେଇ ବିଧାୟକ ଶ୍ରୀ ମିଶ୍ରଙ୍କୁ ଯୋଗାଯୋଗ କରାଯିବାରୁ ଚଳିତ ମାସ ଶେଷ ସପ୍ତାହରେ ପୁରୀଠାରେ ବିବାହ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଥିଲେ। ଏହା ଉଭୟଙ୍କ ଦ୍ବିତୀୟ ବିବାହ ହେବ ବୋଲି ଜଣାପଡ଼ିଛି। ଦିବ୍ୟ ଶଂକର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ। କୌଣସି କାରଣକୁ ନେଇ ସେ ଛାଡ଼ପତ୍ର ଦେଇଥିଲେ। ପ୍ରକାଶଥାଉ କି, ମମିତା ମେହେର ହତ୍ୟାକାଣ୍ଡ ଘଟଣା ହେଉ କି ଅର୍ଚ୍ଚନା ନାଗଙ୍କ ଲିଙ୍କକୁ ନେଇ ହେଉ ସବୁବେଳେ କଳାହାଣ୍ଡି ଚର୍ଚ୍ଚାରେ ରହି ଆସିଛି।