ଦେବେନ୍ଦ୍ର ବିଶି
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଏକଦା ଭୋକର ଭୂଗୋଳ ଥିବା ବେଳେ ଅପର ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପ ଯୋଗୁଁ ଆଜି ସବୁଜ ସଫଳ ହୋଇପାରିଛି। ପୂର୍ବରୁ ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ଫାନସ୍ ପୁଞ୍ଜି ପିଲା ବିକ୍ରି ଘଟଣା ସାରା ବିଶ୍ୱକୁ ଚକିତ କରିଥିଲା। ବର୍ତ୍ତମାନ ଏହି ଅଞ୍ଚଳ ନୂଆପଡ଼ା ଜିଲ୍ଲାରେ ରହିଛି। ଜିଲ୍ଲାରେ ବାରମ୍ବାର ମରୁଡ଼ି ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଥିଲା। ବର୍ତ୍ତମାନ ଜିଲ୍ଲାର ୮ଟି ବ୍ଲକ୍ରେ ଜଳସେଚନର ସୁବିଧା ହେବା ଫଳରେ ସ୍ଥିତି ବଦଳିଯାଇଛି। ଧାନର ଉତ୍ପାଦନ ବୃଦ୍ଧି ପାଇଛି। ବର୍ତ୍ତମାନ କଳାହାଣ୍ଡି ଓଡ଼ିଶାର ଦ୍ୱିତୀୟ ସର୍ବାଧିକ ଧାନ ଉତ୍ପାଦନକାରୀ ଜିଲ୍ଲା ଭାବରେ ଗୌରବ ହାସଲ କରିପାରିଛି।
କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପ ଆରମ୍ଭ ହେବାପରେ ବାମମୁଖ୍ୟ କେନାଲରେ ୫୯,୩୦୯ ହେକ୍ଟର, ଡାହାଣ ମୁଖ୍ୟ କେନାଲରେ ୪୨,୪୫୫ ହେକ୍ଟର ଓ ବୃହତ୍ ଉଠା ଜଳସେଚନ ଦ୍ୱାରା ୨୬,୨୪୮ ହେକ୍ଟର ସମେତ ୧ ଲକ୍ଷ ୨୮ ହଜାର ୧୨ ହେକ୍ଟର ଜମିରେ ଜଳସେଚନର ବ୍ୟବସ୍ଥା ହୋଇପାରିଛି। କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ୍ରେ ୮୦ଟି ଗାଁର ୨୨୯୫୬.୯୨୪ ହେକ୍ଟର ଜମି, କଲମପୁର ବ୍ଲକ୍ରେ ୪୮ ଟି ଗାଁର ୧୧୦୩୮.୧୫୫ ହେକ୍ଟର, ଜୁନାଗଡ଼ ବ୍ଲକ୍ର ୧୩୭ଟି ଗାଁରେ ୩୪୩୫୯.୪୧୦ ହେକ୍ଟର, କୋକସରା ବ୍ଲକ୍ର ୧୨ ଟି ଗାଁରେ ୧୪୦୦୧.୬୩୧ ହେକ୍ଟର, ଧର୍ମଗଡ଼ ବ୍ଲକ୍ର ୮୫ଟି ଗାଁରେ ୨୩୮୦୧.୮୫୩ ହେକ୍ଟର, ଗୋଲାମୁଣ୍ଡା ବ୍ଲକ୍ର ୨୮ଟି ଗାଁରେ ୬୫୯୪.୧୫୪ ହେକ୍ଟର, ଭବାନୀପାଟଣା ସଦର ବ୍ଲକ୍ରେ ୩୫ ଟି ଗାଁର ୯୨୯୧.୮୪୦ ହେକ୍ଟର, କେସିଙ୍ଗା ବ୍ଲକ୍ର ୪ଟି ଗାଁର ୫୯୬୮.୧୬୦ ହେକ୍ଟର ଜମିରେ ଇନ୍ଦ୍ରାବତୀ ଜଳସେଚନ ଚାଷୀଙ୍କ ମୁହଁରେ ହସ ଫୁଟାଇଛି। ସମୁଦାୟ ୮ଟି ବ୍ଲକ୍ର ୪୨୯ଟି ଗ୍ରାମରେ ୧ଲକ୍ଷ ୨୮ ହଜାର ୧୨ ହେକ୍ଟର ଜମିରେ ଚାଷୀ ଉଭୟ ଖରିଫ ଓ ରବି ଚାଷ କରୁଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାର ବହୁ ଅଞ୍ଚଳରେ ଏବେ ମଧ୍ୟ ଅଣଜଳସେଚିତ ଚକ ଥିବାରୁ ଚାଷୀମାନେ ମରୁଡ଼ିରେ କ୍ଷତିଗ୍ରସ୍ତ ହେଉଛନ୍ତି। ଇନ୍ଦ୍ରାବତୀ ପ୍ରକଳ୍ପରେ ବିସ୍ଥାପିତ ହୋଇଥିବା ୧୬ ଟି ବୁଡ଼ି ଅଞ୍ଚଳ ଗାଁ ଅତି ଦୟନୀୟ ଭାବରେ ଜୀବନଯାପନ କରୁଛନ୍ତି। ଜିଲ୍ଲାର ଥୁଆମୂଳ ରାମପୁର, ଲାଞ୍ଜିଗଡ଼, ମଦନପୁର ରାମପୁର ଆଦି ବ୍ଲକ୍ର ଦୁର୍ଗମ ଅଞ୍ଚଳରେ ଆଦିବାସୀମାନଙ୍କ ପାଇଁ କେବଳ ଟଙ୍କିକିଆ ଚାଉଳ ହିଁ ଜୀବନ ଜିଇଁବାର ଭରସା ଦେଇଛି। ଏହି ଚାଉଳ ଆଣିବା ପାଇଁ ପ୍ରାୟ ୩୫ କିମି ଦୂର ଯାଇ ପ୍ରତି ମାସରେ ସଂଘର୍ଷ କରୁଛନ୍ତି।
ବୁଡ଼ି ଅଞ୍ଚଳବାସୀ ଦେଢ଼ଘଣ୍ଟା ଧରି ଡଙ୍ଗାରେ ନିଜ ଜୀବନକୁ ବାଜି ଲଗାଇ ଯାତ୍ରା କରି ପଞ୍ଚାୟତରେ ଚାଉଳ ଆଣିବାକୁ ପହଞ୍ଚିଥାନ୍ତି। ସରକାରଙ୍କ ଟଙ୍କିକିଆ ଚାଉଳ ଯୋଗୁଁ ଅନାହାର ମୃତ୍ୟୁ ହ୍ରାସ ପାଇଛି। କିନ୍ତୁ ସରକାରଙ୍କ ବହୁ ମୌଳିକ ସୁବିଧା ଏବେ ମଧ୍ୟ ସେମାନଙ୍କ ପାଇଁ ସାତସପନ ପାଲଟିଛି। ଜିଲ୍ଲାରେ ୧୯୯୮–୯୯ ମସିହାରେ ୮୨ ହଜାର ଟନ୍ ଚାଉଳ ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ୪ଲକ୍ଷ ୬୮ ହଜାର ଟନ୍ରୁ ଅଧିକ ଚାଉଳ ଉତ୍ପାଦନ ହେଉଛି। ସେହିଭଳି ଜିଲ୍ଲାର ରେତ ଜଳସେଚନ ପ୍ରକଳ୍ପ, ଉତ୍ତେଇ ଜଳସେଚନ ପ୍ରକଳ୍ପ ଭଳି ବହୁ ମଧ୍ୟମ ଜଳସେଚନ, ଉଠା ଜଳସେଚନ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜମିକୁ ଜଳ ମିଳୁଛି। ବର୍ତ୍ତମାନ ଜିଲ୍ଲାରେ ପ୍ରାୟ ୬୦ ପ୍ରତିଶତ ଜମି ଜଳସେଚନ ହୋଇପାରିଛି। ଏହା ମଧ୍ୟରୁ ଇନ୍ଦ୍ରାବତୀ ପ୍ରକଳ୍ପ ଜରିଆରେ ପ୍ରାୟ ୪୫ ପ୍ରତିଶତ ଜମିକୁ ଜଳସେଚିତ କରାଯାଉଛି। ଦିନେ ଭୋକର ଭୂଗୋଳ ଭାବେ ପରିଚିତ କଳାହାଣ୍ଡି ଆଜି ରାଜ୍ୟର ସବୁଜ ସଫଳ ଜିଲ୍ଲା ଭାବେ ପରିଗଣିତ ହୋଇପାରିଛି।