ଦେବେନ୍ଦ୍ର କୁମାର ବିଶି
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ବହୁ ଅଞ୍ଚଳରେ ଆମ୍ବୁଲାନ୍ସ ଗାଡ଼ି ଯିବା ପାଇଁ ରାସ୍ତା ନାହିଁ। ଦୁର୍ଗମ ଅଞ୍ଚଳକୁ ପାଦଚଲା ରାସ୍ତା ହିଁ ଭରସା। ଏବେ ବି ବିଭିନ୍ନ ସମୟରେ ରୋଗୀଙ୍କୁ ଖଟିଆରେ ବୁହାଯାଉଥିବା ଦେଖିବାକୁ ମିଳୁଛି। କିଛି ଅଞ୍ଚଳକୁ କେବଳ ବାଇକ୍ ଯାଇପାରୁଥିବାରୁ କଳାହାଣ୍ଡି ଜିଲ୍ଲାରେ ରାଜ୍ୟର ପ୍ରଥମ ବାଇକ୍ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା। ତେବେ ଜିଲ୍ଲାର ୫୦ରୁ ଅଧିକ ପଞ୍ଚାୟତରେ ଯୋଗାଯୋଗ ବ୍ୟବସ୍ଥା ନାହିଁ। ମିଳିଥିବା ୫ଟି ବାଇକ୍ ଆମ୍ବୁଲାନ୍ସ ମଧ୍ୟରୁ ବଙ୍କାକୁଣ୍ଡରୁ ଓ ମଦନପୁର ରାମପୁର ବାଇକ୍ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଦରମା ମିଳୁ ନଥିବା ଯୋଗୁ ନଭେମ୍ବରରୁ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି। ଗତ ଏପ୍ରିଲରୁ କେନ୍ଦ୍ରୀୟ ଅନୁଦାନ ବନ୍ଦ ଅଛି।
୫୦ରୁ ଅଧିକ ପଞ୍ଚାୟତକୁ ପାଦଚଲା ରାସ୍ତା ହିଁ ଭରସା
ଅନୁମୋଦନ ନାହିଁ, ବନ୍ଦ ହୋଇଯିବ ରାଜ୍ୟର ପ୍ରଥମ ବାଇକ୍ ଆମ୍ବୁଲାନ୍ସ ସେବା
କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗର୍ଭବତୀ, ପ୍ରସୂତିଙ୍କ ପାଇଁ ୧୦୨ ଆମ୍ବୁଲାନ୍ସ ଏବଂ ସାଧାରଣ ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସ ସୁବିଧା ଉପଲବ୍ଧ ହୋଇଛି। ଦୁର୍ଗମ ଅଞ୍ଚଳରେ ଗୋଟିଏ ପଟେ ମୋବାଇଲ୍ ନେଟ୍ୱର୍କ ନଥିବା ବେଳେ ଅନ୍ୟ ପଟେ ଗାଁଗୁଡ଼ିକୁ ଆମ୍ବୁଲାନ୍ସ ଯିବା ଲାଗି ବାଟ ନାହିଁ। ଏବେ ବି ଲାଞ୍ଜିଗଡ଼ ବ୍ଲକ୍ର ତ୍ରିଲୋଚନପୁର, ବିଜେପୁର, ମାଳିଯୁବାଙ୍ଗ, ପାହାଡ଼ପଦର, ଲାକବାହାଲି, ବେନଗାଁ, ଲାଞ୍ଜି, ସାନକୁଟରୁ, ବେଡ଼ାଗାଁ, କଦମଗୁଡ଼ା, କୁମଖାଲ, ଭୂର୍ତ୍ତିଗଡ଼, ଭଟାଙ୍ଗପଦର, ଗୁଣ୍ଡରି, ଜୁନାଗଡ଼ ବ୍ଲକ୍ର ବୁଢ଼ୀଦର, ବାଙ୍କପଲାସ, ଦୁନ୍ଦେଲମାଲ ଓ ଦେଦର ପଞ୍ଚାୟତ, ମଦନପୁର ରାମପୁର ବ୍ଲକ୍ର ଉର୍ଲାଦାନୀ, ମୋହନଗିରୀ, ଦେଢ଼ଶୁଲି, ବାରବନ୍ଧା, ମାଣିକେରା ପଞ୍ଚାୟତ, ଥୁଆମୂଳ ରାମପୁର ବ୍ଲକ୍ର ମାଲିଗାଁ, ସିଲେଟ, କେରପାଇ, ନାକରୁଣ୍ଡି, ତଳ ଆମପଦର, କରଲାପାଟ, କିଆପଦର, କାଣିଗୁମା, ସିନ୍ଧିପଦର, ଥୁଆମୂଳ, ବିରିକୋଟ, ତଲଝାପି, ପଡ଼େପଦର, ମହୁଲପାଟଣା, ଗୋପୀନାଥପୁର, ଅଡରି ସମେତ ବହୁ ପଞ୍ଚାୟତକୁ ସଡ଼କ ଯୋଗାଯୋଗ ରାସ୍ତା ନାହିଁ। ଫଳରେ ଆମ୍ବୁଲାନ୍ସ ସେବା ରୋଗୀମାନଙ୍କ ପାଇଁ ପହଞ୍ଚି ପାରେନାହିଁ। କେବଳ କିଛି ଗାଁକୁ ବାଇକ୍ ହିଁ ଯାଇପାରୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପରୀକ୍ଷାମୂଳକ ଭାବରେ ୨୦୧୬ ମସିହା ନଭେମ୍ବର ୧୬ ତାରିଖରେ ରାଜ୍ୟରେ ପ୍ରଥମ କରି ଏଠାରେ ବାଇକ୍ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା। ଥୁଆମୂଳ ରାମପୁର ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସାଇସୁରନୀ, ଲାଞ୍ଜିଗଡ଼ ବ୍ଲକ୍ର ବଙ୍କାକୁଣ୍ଡୁରୁ, ବିଶ୍ୱନାଥପୁର ଓ ମଦନପୁର ରାମପୁରରେ ୫ଟି ବାଇକ୍ ଆମ୍ବୁଲାନ୍ସ ରଖାଯାଇଛି। ଜିଲ୍ଲାର ଯେଉଁ ଦୁର୍ଗମ ଅଞ୍ଚଳକୁ କେବଳ ବାଇକ୍ ଯାଇପାରୁଛି, ସେସବୁ ଅଞ୍ଚଳ ପାଇଁ ଅଧିକ ବାଇକ୍ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦୁର୍ଗମ ଅଞ୍ଚଳକୁ ରାସ୍ତା ଓ ମୋବାଇଲ ନେଟ୍ୱର୍କ ସଂଯୋଗୀକରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ମଧ୍ୟ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।
ଜିଲ୍ଲାରେ ସ୍ୱାସ୍ଥ୍ୟସେବା ପାଇଁ ଯୋଗାଯୋଗ ବ୍ୟବସ୍ଥା ପ୍ରତିବନ୍ଧକ ସାଜିଥିବା ବେଳେ ବାଇକ୍ ଆମ୍ବୁଲାନ୍ସ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପାଇଁ ଆଶାର ଆଲୋକ ସଞ୍ଚାର କରିଛି। କିନ୍ତୁ ବାଇକ୍ ଆମ୍ବୁଲାନ୍ସ ଚାଳକଙ୍କୁ କେନ୍ଦ୍ର ସରକାରଙ୍କ ଏନ୍ଆର୍ଏଚ୍ଏମ୍ ପକ୍ଷରୁ ଦରମା ଦିଆଯାଉଥିଲା। ଗତ ଏପ୍ରିଲ ମାସରୁ ଲାଞ୍ଜିଗଡ଼ ବ୍ଲକ୍ର ବଙ୍କାକୁଣ୍ଡରୁ ଓ ମଦନପୁର ରାମପୁରଠାରେ ଥିବା ବାଇକ୍ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଦରମା ଅନୁଦାନ ବନ୍ଦ ରହିଛି। ଏ ସଂପର୍କରେ କଳାହାଣ୍ଡି ସିଡିଏମ୍ଓ ଡା.ସୁଚେତା ପାଣିଙ୍କୁ ପଚାରିବାରୁ ସେ କହିଥିଲେ, ଏପ୍ରିଲରୁ ୨ଟି ବାଇକ୍ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଦରମା ଅନୁଦାନ ବନ୍ଦ ଅଛି। ଏ ନେଇ ବିଭାଗକୁ ଅବଗତ କରାଯାଇଥିଲେ ସୁଦ୍ଧା ଅନୁଦାନ ମିଳିନାହିଁ। ଏଥିଯୋଗୁଁ ୨ଟି ବାଇକ ଆମ୍ବୁଲାନ୍ସ ବନ୍ଦ ହେବାର ଆଶଙ୍କା ରହିଛି ବୋଲି ସେ କହିଥିଲେ।